କନକ ବ୍ୟୁରୋ: ଜହ୍ନ କେତେବେଳେ ସଧବା ସିନ୍ଦୂରର ସାକ୍ଷୀ, ତ ଆଉ କେତେବେଳେ ପ୍ରେମିକା ଚେହେରାର ପ୍ରତିଛବି । କେତେବେଳେ କୁନି ପିଲାଟିର ସ୍ନେହର ଜହ୍ମ ମାମୁଁ, ତ ଆଉ କେତେବେଳେ କୁଆରୀଁ ମନର ଅଦେଖା ମଣିଷ ।

Advertisment

ଭାରତୀୟ ଜୀବନଶୈଳୀ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଜହ୍ନ । କାହା ପାଇଁ କେମିତି ଚନ୍ଦ୍ରମା’ର ପରିକଳ୍ପନା । ପିଲାଟିଏ ଅଝଟ ହେଲେ ମା’ ଜହ୍ନକୁ ଦେଖାଇ ଚୁପ୍ କରାଇଦିଏ, ଆଉ କହେ ହେଇ ଦେଖ ଜହ୍ନମାମୁଁ । ସେହିପରି ଜହ୍ନ ବୈଜ୍ଞାନିକଙ୍କ ପାଇଁ ଗବେଷଣାର କ୍ଷେତ୍ର, କବି ପାଇଁ ଏକ କବିତାର ମାଧ୍ୟମ । ଏବେ ସେହି ଜହ୍ନରେ ପାଦ ଦେବାକୁ ପ୍ରୟାସ ଜାରି ରଖିଛି ମଣିଷ । ଚନ୍ଦ୍ରଯାନ-୩ ଏହି ଦିଗରେ ଆଉ ଏକ ପାଦ ।

ହେଇପାରେ ଇଏ କେବଳ ଏକ ଉପଗ୍ରହ । ବୈଜ୍ଞାନିକଙ୍କ ପାଇଁ ବିଜ୍ଞାନର ଗବେଷଣାର କ୍ଷେତ୍ର । କିନ୍ତୁ ଭାରତୀୟ ଜୀବନ ଶୈଳୀରେ ଜହ୍ନ, ଏକ ଅଭିନ୍ନ ଅଙ୍ଗ । କଳ୍ପନା ହେଉ ବା କାହାଣୀ, ଆଜି ବି ଛୋଟ ଛୁଆ କାନ୍ଦିଲେ, ମା’ଟିଏ ଜହ୍ନକୁ ଦେଖାଇ କୁହେ ଜହ୍ନ ମାମୁଁ । ଜହ୍ନ ଯେ, କେବେଠୁ ମଣିଷର ସମ୍ପର୍କୀୟ ହୋଇସାରିଛି ତାହା କାହାରିକୁ ଜଣାନାହିଁ ।

ପ୍ରେମ ସହ ଜହ୍ମ ଯେମିତି ଯୋଡ଼ାଯୋଡ଼ି ହୋଇ ରହିଛି । ଜହ୍ମରେ କେତେବେଳେ ପ୍ରେମିକାର ଚେହେରା ଦେଖେ ପ୍ରେମିକ । ତ ଆଉ କେତେବେଳେ ଜହ୍ନରେ ଜାଗାଟିଏ କିଣିବାର ପ୍ରତିଶ୍ରୁତି ଦିଏ । ସଧବା ମଥାରେ ଶୋଭାଯାଉଥିବା ସିନ୍ଦୂରର ସାକ୍ଷୀ ବି ହୋଇଛି ଜହ୍ନ । କରୱା ଚୌଥ୍ ପର୍ବରେ ଚାନ୍ଦର ଚେହେରା ଦେଖି ପାଣି ଗ୍ରହଣ କରୁଥିବା ସ୍ତ୍ରୀ ଟିଏଙ୍କୁ କିଏ କେମିତି ବା ଜହ୍ନର ମହତ୍ମ ବୁଝାଇବାକୁ ଚେଷ୍ଟା କରିବ । କୁମାର ପୂର୍ଣ୍ଣିମାରେ ଜହ୍ନକୁ ଦେଖି ପୂଜା କରୁଥିବା କୁଆଁରୀମାନେ ସୁନ୍ଦର ବରଟିଏ ଖୋଜିବା ପଛରେ ବି ଜହ୍ନ ରହିଛି । ଇଦ୍ କା ଚାନ୍ଦ, କେବଳ ଧର୍ମୀୟ ଭାବନା ସହ ଜଡ଼ିତ ନୁହେଁ । ଶ୍ରଦ୍ଧା ଓ ଭାବାବେଗ ସହ ସଂପୃକ୍ତ । ଜହ୍ନ, ଚାନ୍ଦ, ଚନ୍ଦ୍ରମାଁ । ନାଁ ଅଲଗା ହୋଇପାରେ, କିନ୍ତୁ ଜହ୍ନ ସହ ଥିବା ଆମ ସମ୍ପର୍କ ସେମିତି ଅତୁଟ ଓ ନିବିଡ଼ ।