କନକ ବ୍ୟୁରୋ : ଏବେ ସମୟରେ ଗାଡି କିଣିବା ଠାରୁ ତାକୁ ଚଳାଇବା ପାଇଁ ସରକାର ଆଣିଥିବା ନିୟମ ପାଳନ କରିବା ସବୁଠାରୁ ବେଶି କଷ୍ଟ । ଗାଡି ସିନା ଆପଣ ଗୋଟିଏ ଦିନରେ କିଣିଦେବେ ହେଲେ ରାସ୍ତାରେ ଗାଡି ଚଳାଇବା ପାଇଁ ଦୈନିକ ଆପଣଙ୍କୁ ଆରଟିଓ ନିୟମ ମାନିବାକୁ ବାଧ୍ୟ । ଗାଡି ଚଳାଇବା ପାଇଁ ଆପଣଙ୍କ ପାଖରେ ଗାଡିର ସମସ୍ତ କାଗଜପତ୍ର ସହ ଡ୍ରାଇଭିଂ ଲାଇସେନ୍ସ ଥିବା ଜରୁରୀ । ବିନା ଲାଇସେନ୍ସରେ ଗାଡି ଚଳାଉଥିଲେ ଆପଣଙ୍କୁ ବିଭିନ୍ନ ରାଜ୍ୟ ସରକାରଙ୍କ ନିୟମ ମୁତାବକ ଭିନ୍ନ ଭିନ୍ନ ପରିମାଣର ଜରିମାନା ଦେବାକୁ ପଡିଥାଏ । ଏଥିପାଇଁ ଏବେ ସମସ୍ତେ ଡ୍ରାଇଭିଂ ଲାଇସେନ୍ସ କରିବାକୁ ଭିଡ ଜମାଉଛନ୍ତି । ଆରଟିଓ କାର୍ଯ୍ୟାଳୟରେ ଆପଣ ଗାଡି ଚାଳନାର ପରୀକ୍ଷା ଦେବା ପରେ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ମିଳିଥାଏ । ଏହି ଲାଇସେନ୍ସ ଆପଣଙ୍କୁ ଗୋଟିଏ ଥର ଟେଷ୍ଟ ଦେବା ପରେ ୧ମାସ ମଧ୍ୟ ମିଳିଯାଇଥାଏ । ହେଲେ ଆପଣ କେବେ ଭାବିଛନ୍ତି କି ଜଣେ ମହିଳା ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ୧୮ ବର୍ଷ ଲାଗିଗଲା । ଏହି ୧୮ ବର୍ଷ ମଧ୍ୟରେ ତାଙ୍କୁ ଆରଟିଓ କାର୍ଯ୍ୟାଳୟରେ ୯୬୦ ଥର ଟେଷ୍ଟ ଦେବାକୁ ପଡିଛି । ଏହାସହ ତାଙ୍କୁ ୧୩ହଜାର ୫ଶହ ପାଉଣ୍ଡ ମଧ୍ୟ ଖର୍ଚ୍ଚ କରିଛନ୍ତି । ଏଭଳି କାହିଁକି ହେଲା ବୋଲି ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଥିବ ।

Advertisment

ସାଉଥ୍ କୋରିଆର ଏହି ମହିଳା ହେଉଛନ୍ତି ସା ସୁନ । ୨୦୧୦ ମସିହାରେ ସେ ଯେତେବେଳେ ଡ୍ରାଇଭିଂ ଟେଷ୍ଟ ପରୀକ୍ଷାରେ ପାସ୍ କଲେ ସେତେବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇସାରିଥିଲା   । ୯୬୦ ଥର ପ୍ରଚେଷ୍ଠା ପରେ ତାଙ୍କୁ ଯେତେବେଳେ ଏହି ଲାଇସେନ୍ସ ମିଳିଲା ସେତେବେଳେ ସେ ସାଉଥ କୋରିଆ ଲୋକଙ୍କ ଭିତରେ ସେଲିବ୍ରେଟି ହୋଇସାରିଥିଲେ । କାରଣ ତାଙ୍କର ଏହି କାହାଣୀ ସେହି ଲୋକମାନଙ୍କୁ ମୋଟିଭେଟ କରିଥିଲା ଯେଉଁମାନେ କି ଦୀର୍ଘବର୍ଷ ହେବ ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ଷ୍ଟ୍ରଗଲ କରୁଛନ୍ତି ।

ସା ସୁନ ସାଉଥ କୋରିଆର ସିନଚୋନ ଗାଁରେ ଏକୁଟିଆ ରହନ୍ତି । ହେଲେ ଶହ ଶହ ଥର ପ୍ରଚେଷ୍ଠା କରି ସେ ଯେତେବେଳେ ଡ୍ରାଇଭିଂ ଲାଇସେନ୍ସ ପାସ୍ କଲେ ସେତେବେଳେ ତାଙ୍କୁ ସାଉଥ କୋରିଆର କାର ନିର୍ମାତା କମ୍ପାନୀ ହୁଣ୍ଡାଇ ତରଫରୁ ଏକ କାର ପୁରସ୍କାର ଆକାରରେ ମିଳିଲା । ହେଲେ ଏବେ ତାଙ୍କର ଏହି ସଂଘର୍ଷର କାହାଣୀ ବେଶ୍ ଭାଇରାଲ ହେବାରେ ଲାଗିଛି ।

ସା ସୁନ ଏହି ଡ୍ରାଇଭିଂ ଟେଷ୍ଟ ପାସ୍ କରିବାକୁ ଜୈମ୍ବୁକ୍ ଡ୍ରାଇଭିଂ ସ୍କୁଲରେ ଟ୍ରେନିଂ ନେଉଥିଲେ । ହେଲେ ସାଉଥ କୋରିଆ ସରକାରଙ୍କ ନିଷ୍ପତ୍ତି ପରେ ମହିଳାମାନଙ୍କୁ ଟେନିଂ ଦେବା ଉପରେ ବାଧା ଉପୁଜିଥିଲା । ସ୍କୁଲ ତରଫରୁ ତାଙ୍କୁ ଟ୍ରେନିଂ ଦେବାକୁ ସିଧା ସଳଖ ମନା କରାଯାଉ ନଥିଲେ ବି ସ୍କୁଲ ଛାଡିବାକୁ ତାଙ୍କ ଉପରେ ଚାପ ଥିଲା । ଏହି ଚାପ ଭିତରେ ଦୀର୍ଘ ୧୮ ବର୍ଷର ସଂଘର୍ଷ ପରେ ସା ସୁନଙ୍କୁ ଲାଇସେନ୍ସ ମିଳିଲା । ଏହାକୁ ନେଇ ସା ସୁନ କହିଛନ୍ତି କି ଦୀର୍ଘ ୧୮ବର୍ଷ ପରେ ତାଙ୍କ ମୁଣ୍ଡ ଉପରେ ଥିବା ଏକ ବୋଝ ଓହ୍ଲାଇ ଯାଇଛି ।