କନକ ବ୍ୟୁରୋ: ସକ୍ରିୟ ରାଜନୀତିକୁ ଆସିବେ ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ବେଶ କିଛି ଦିନ ହେବ ବାପାଙ୍କ ନିର୍ବାଚନ ମଣ୍ଡଳୀରେ ଜନସମ୍ପର୍କ ବଢାଇବା କାମରେ ଲାଗିଥିବା ଅରବିନ୍ଦ ପ୍ରଥମ ଥର ପାଇଁ ରାଜନୀତିରେ ଯୋଗଦେବେ ବୋଲି କହିଛନ୍ତି । କେନ୍ଦ୍ରାପଡ଼ାର ମହାକାଳପଡ଼ା ଓ ପାଟକୁରା ନିର୍ବାଚନ ମଣ୍ଡଳୀରେ ବାପା ବିଜୟ ମହାପାତ୍ରଙ୍କ ଲୋକପ୍ରିୟତାକୁ ଆଧାର କରି ଅରବିନ୍ଦ ମୈଦାନକୁ ଓହ୍ଲାଇବାକୁ ସଙ୍କେତ ଦେଇଛନ୍ତି । ଆମେରିକାରେ ଚାକିରୀ କରିଥିଲେ ମଧ୍ୟ ଅଧିକାଂଶ ସମୟ ଏବେ ନିଜ ଅଞ୍ଚଳରେ ରହି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି ଅରବିନ୍ଦ । ତେବେ ବିଜେଡ଼ିରେ ତାଙ୍କ ଯୋଗଦାନକୁ ସେ ଗୁଜବ ବୋଲି କହିଥିବା ବେଳେ, କେଉଁ ଦଳ ଓ କେଉଁ ନିର୍ବାଚନ ମଣ୍ଡଳୀରୁ ସେ ପ୍ରତିନିଧିତ୍ୱ କରିବେ ତାହା ସ୍ପଷ୍ଟ କରିନାହାନ୍ତି ।
ନୂଆବର୍ଷ ଅବସରରେ ପାଟକୁରା ନିର୍ବାଚନ ମଣ୍ଡଳୀରେ ଆୟୋଜିତ ବନ୍ଧୁମିଳନ ଅବସରରେ ଗୋଟିଲ ମଞ୍ଚରେ ଦେଖିବାକୁ ମିଳିଥିଲା ଉଭୟ ବିଜୟ ଓ ତାଙ୍କ ଏକମାତ୍ର ପୁଅ ଅରବିନ୍ଦଙ୍କୁ । ପୁଅ ରାଜନୀତିକୁ ଆସିବାକୁ ନେଇ ବିଜୟ ମହାପାତ୍ର କୈାଣସି ସ୍ପଷ୍ଟ ଚିତ୍ର ଦେଇନଥିଲେ ମଧ୍ୟ ଆସନ୍ତା ନିର୍ବାଚନରେ ରାଜ୍ୟ ରାଜନୀତିରେ ବଡ଼ ପରିବର୍ତନ ହେବ ବୋଲି ଦମ୍ଭୋକ୍ତି ରଖିଛନ୍ତି ।
ଏକଦା ରାଜ୍ୟ ରାଜନୀତିରେ ପ୍ରମୁଖ ସ୍ଥାନ ଗ୍ରହଣ କରୁଥିବା ବିଜୟ କିନ୍ତୁ ଦୁଇ ହଜାର ମସିହା ପରଠାରୁ କେବେ ବି ବିଜୟର ସ୍ୱାଦ ଚାଖି ପାରିନାହାନ୍ତି । ବିଜୁ ଜନତା ଦଳ ଗଠନରେ ମୁଖ୍ୟ ଭୂମିକା ନେଇଥିଲେ ମଧ୍ୟ ଦଳ ତାଙ୍କୁ ପ୍ରଥମରୁ ଦୂରେଇ ଦେଇଥିଲା । ଏପରିକି ବିଜୟ ଏବେ ବିଜେପିରେ ଥିଲେ ମଧ୍ୟ ଦଳଠାରୁ ତାଙ୍କ ଦୂରତା ବେଶ ବାରି ହୋଇପଡ଼ୁଛି । ଏବେ କେଉଁ ଆଭିମୁଖ୍ୟ ନେଇ ତାଙ୍କ ପୁଅ ରାଜନୀତିକୁ ଆସିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/2-19.jpg)