ତାଗିଦ୍ ପାଇଁ ଜୀବନ ହାରିଦେଲା ପୁଅ। ଅଭିମାନରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଲା ଦଶମ ଶ୍ରେଣୀ ଛାତ୍ର

2,073

କନକ ବ୍ୟୁରୋ: ପ୍ରଦ୍ୟୁମ୍ନ ରାଉତ, ଦଶମ ଶ୍ରେଣୀ ଛାତ୍ର । ଜୀବନର ଅର୍ଥ ବୁଝିବା ପୂର୍ବରୁ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଇ ଜୀବନ ହାରି ଦେଇଛନ୍ତି ପ୍ରଦ୍ୟୁମ୍ନ । ଏହି ଘଟଣା ଜଗତସିଂହପୁର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ପ୍ରକାଶ ରାଉତ ଓ ରଶ୍ମୀରେଖାଙ୍କ ଏକମାତ୍ର ପୁଅ ପ୍ରଦ୍ୟୁମ୍ନ । ଅତି ଗେହ୍ଲାରେ ବଢିଥିଲା । ପୁଅର ସବୁ ଅଳି ଅଝଟ ପୂରଣ କରୁଥିଲେ ବାପା-ମାଆ । ସବୁ କିଛି ଠିକଠାକ୍ ଚାଲିଥିଲା, ହେଲେ ହଠାତ୍ ସବୁ କିଛି ବଦଳି ଗଲା । ସାମାନ୍ୟ କଥା ପାଇଁ ଜୀବନ ହାରିଦେଇଛି ପୁଅ । ଘଟଣା ଘଟିଛି ଜଗତସିଂହପୁର ଗାଲୁପଡ଼ା ଗାଁରେ । ବାପାଙ୍କ ପକେଟରୁ ମାତ୍ର ୬୦ ଟଙ୍କା ଚୋରାଇ ନେଇଥିଲେ ପ୍ରଦ୍ୟୁମ୍ନ । ଏହା ଜାଣିବା ପରେ ପୁଅକୁ ଆକଟ କରିଥିଲେ ବାପା । ଏଥିପାଇଁ ପ୍ରଦ୍ୟୁମ୍ନ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ଆତ୍ମହତ୍ୟା ପୂର୍ବରୁ ଏକ ହାତ ଲେଖା ଛାଡି ଯାଇଛନ୍ତି ପ୍ରଦ୍ୟୁମ୍ନ । ଯେଉଁଥିରେ ସେ ଲେଖିଛନ୍ତି,  “ତାଙ୍କ ମୃତ୍ୟୁ ପାଇଁ ବାପା- ମାଆ କି ଅନ୍ୟ କେହି ଦାୟୀ ନୁହନ୍ତି । ଚୋରି କରିଥିବା ବଳକା ପଇସା ଟେବୁଲ ଉପରେ ରଖିଛନ୍ତି ।”

କିପରି ଜଣେ କୋମଳମତି ବାଳକ, ଛୋଟିଆ କଥାକୁ ନେଇ ଏତେ ଭାବପ୍ରବଣ ହୋଇ ଉଠିଥିଲା, ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । କିଶୋର ବୟସରେ ପିଲାଙ୍କ ମନର ଆବେଗ ବୁଝିବା ବାସ୍ତବରେ କେତେ କଷ୍ଟକର ତାହା ଏହି ଦୁଃଖଦ ଘଟଣା ହିଁ ବୟାନ କରୁଛି । ପ୍ରଦ୍ୟୁମ୍ନଙ୍କ ବାପା-ମାଆ ଉଭୟ ସରକାରୀ ଶିକ୍ଷକ । ପୁଅକୁ ଭଲ ପାଠ ପଢାଇବା ପାଇଁ ବାଲିକୁଦା ମୁଳଗାଁ ପୈତୃକ ଘରେ ଛାଡି ଜଗତସିଂହପୁର ଗାଲୁପଡ଼ାରେ ଭଡାଘରେ ରହୁଥିଲେ । ପୁଅର ଆତ୍ମହତ୍ୟା ପରେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ବାପା-ମାଆ ।