ମୋ ବୋଉକୁ କ୍ୟାନ୍ସର, କେମିତି କରିବି ଚିକିତ୍ସା ? ପଖାଳ ଲୁଣରେ ପେଟ ପୂରୁଛି, ଚିକିତ୍ସା ପାଇଁ କେଉଁଠୁ ଆସିବ ଟଙ୍କା…? ସରକାର ! ତୁମେ ସାହା ହୁଅ…

285

କନକ ବ୍ୟୁରୋ: ମଣିଷ କେତେ କଷ୍ଟରେ ରୁହେ ? ବଞ୍ଚିବାକୁ କେତେ ସଙ୍ଘର୍ଷ କରେ? ଆଉ କଅଁଳ ବୟସରେ କେମିତି ପରିବାର ପାଇଁ ଚିନ୍ତା କରିବାକୁ ପଡେ? ତାହା ଏ ପୁଅର କୋହଭରା କଥାରୁ ଆପଣ ଅନୁମାନ କରିପାରୁଥିବେ । ନିଜ କଷ୍ଟର କାହାଣୀ କହିବା ବେଳେ ଆଖି ଛଳଛଳ ହୋଇଯାଉଛି, କୋହ କଣ୍ଠ ଥରେଇ ଦେଉଛି ଆଉ ଥମଥମ ହୋଇ ଘରର ଅସରନ୍ତି ଦୁଃଖ କଥା କହୁଛି କୁନିପୁଅ । ବାପା ଆରପାରିରେ, ମାଆ କ୍ୟାନସର କୋଳରେ, ଆଉ ସବୁ ଦାୟିତ୍ୱ ଏବେ ପୁଅ ମୁଣ୍ଡରେ…

କେନ୍ଦ୍ରାପଡା ମାର୍ଶାଘାଇ ହଜାରି ଗାଁର କଳ୍ପତରୁ, ନବମ ଶ୍ରେଣୀରେ ପଢେ କିନ୍ତୁ ତା ମୁଣ୍ଡରେ ଏବେ ହଜାରେ ଚିନ୍ତା । ପାଠ ନୁହେଁ ପରିବାରର ଚିନ୍ତା । ଦୁଇ ବର୍ଷ ତଳେ ବାପା ଆରପାରିକୁ ଚାଲିଗଲେ ଆଉ ପରେ ପରେ ମାଆ କ୍ୟାନସରରେ ପୀଡିତ । ସେବେଠାରୁ ପାଠ କଣ ପଢିବ ମାଆର ଜୀବନ ବଞ୍ଚାଇବାକୁ ପୁଅ କରୁଛି ଆପ୍ରାଣ ଉଦ୍ୟମ ।

ଘରେ ରହି ରୋଗୀଣା ମାଆର ସେବାଯତ୍ନ କରିବା ସହ ଘରର ସବୁ କାମ କରୁଛି କଳ୍ପତରୁ । ଘର ଝାଡୁ କରିବା ଠାରୁ ମାଆର ଲୁଗାପଟା ଧୋଇବା । ଗୋଟି ଗୋଟି କାମ କରୁଛି ଏ କୁନି ପୁଅ । ଆଉ ଭୋକ ଲାଗିଲେ ଯେତେବେଳେ ହାଣ୍ଡି ଅଣ୍ଡାଳୁଛି ସେତେବେଳେ ପେଟ ପାଇଁ ସାହାରା ସାଜିଛି ଏ ଅଳ୍ପ ପଖାଳର କଂସା, ବାଡିର କଞ୍ଚା ଲଙ୍କା ଓ ଲୁଣ । ପୁଅ ସିନା କଷ୍ଟରେ ଖାଇଦେବ ହେଲେ କ୍ୟାନ୍ସର ପୀଡିତା ମାଆ ପାଟିକୁ ଏସବୁ ରୁଚୁନି । ଭାଗ୍ୟକୁ ନିନ୍ଦି ଭୋକରେ ରହିଯିବ ପଛେ ହେଲେ ପାଟିକୁ କିଛି ନେଉନି । ଯନ୍ତ୍ରଣା ପାଇଁ ଭଗବାନଙ୍କ ଆଗରେ ମାଆର ଜିଦ୍ ଦେଖି ପୁଅ ମାଆକୁ ବୁଝାଉଛି…

ରାସନରୁ ମିଳୁଥିବା ୧୦ କେଜି ଚାଉଳରୁ ୫ କେଜି ବିକି ମାଆର ଔଷଧ କିଣୁଥିବା ବେଳେ ଆଉ ୫ କେଜିକୁ ମୁଠା ମୁଠା କରି ଚଳୁଛନ୍ତି ମାଆପୁଅ । ଦିନରେ ଖାଉଛନ୍ତି ରାତିରେ ଉପାସ ଶୋଉଛନ୍ତି । ସତରେ ଏ କଥା ଶୁଣିବା ପରେ କଳ୍ପତରୁ ତା କ୍ୟାନସର ପିଡିତା ମାଆକୁ ନେଇ କେତେ କଷ୍ଟରେ ଚଳୁଥିବ ତାହା ଅନୁମାନ କରି ହେଉଛି ।

ଅନେକ ଲୋକ ପିଲାବେଳେ ଅନେକ କଷ୍ଟ କରିଥାନ୍ତି, ଅନେକ ସଙ୍ଘର୍ଷ କରି ଜୀବନରେ ସଫଳ ହୋଇଛନ୍ତି । କଳ୍ପତରୁ ବି ପିଲାବେଳେ ପାହାଡ ପରି ଦୁଃଖ ବୋହି ବଞ୍ଚୁଛି । ଯଦି ଜୀବନରେ ସଙ୍ଘର୍ଷରୁ ସଫଳତା ପାଇଥିବା ସହୃଦୟ ବ୍ୟକ୍ତି ନିଜ ପିଲାଦିନ ମନେପକାଇ ତାଙ୍କୁ ସାହାଯ୍ୟ କରନ୍ତି କିମ୍ବା ସରକାର ସହାୟତା କରନ୍ତେ ତେବେ କୁନିପୁଅ କଳ୍ପତରୁ କାନ୍ଧରୁ ବଡ ବୋଝ ହାଲକା ହୋଇଯାଆନ୍ତା ।