ସପ୍ଟୱେର୍ ଇଞ୍ଜିନିୟରରୁ ଜିଲ୍ଲା ପରିଷଦ ପ୍ରାର୍ଥୀ । ଚାକିରି ଛାଡିଲେ ଏବେ ଲୋକଙ୍କ ସେବା କରିବେ

150

କନକ ବ୍ୟୁରୋ : ଚଳିତ ପଞ୍ଚାୟତ ନିର୍ବାଚନରେ ନୂଆ ନୂଆ ଉଚ୍ଚ ଶିକ୍ଷିତ ପ୍ରାର୍ଥୀଙ୍କ ଚେହେରା ସାମ୍ନାକୁ ଆସୁଛି । ଗ୍ରାଜୁଏଟ୍, ଏମବିଏ ଏବଂ ସିବିଏସଇରେ ଟପ୍ପର ହୋଇଥିବା ଯୁବକ ଯୁବତୀ ରାଜନୀତିରେ ପାଦ ଥାପିବାକୁ ଆଗେଇ ଆସିଛନ୍ତି । ଏହାରି ମଧ୍ୟରେ ନବରଙ୍ଗପୁରରେ ଜଣେ ବିଦେଶ ଫେରନ୍ତା ସପ୍ଟୱେର ଇଞ୍ଜିନିୟର ଚାକିରି ଛାଡି ବିଜେଡିରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି । ଯାହା ନିର୍ବାଚନୀ ପାଣିପାଗକୁ ଆହୁରି ଉଷ୍ମ କରିଛି ।
ନବରଙ୍ଗପୁର ରାଜନୀତିରେ ଉଚ୍ଚଶିକ୍ଷିତ ଯୁବକ ଯୁବତୀଙ୍କ ଏଣ୍ଟ୍ରି । କଂଗ୍ରେସରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ଜଣେ ଡାକ୍ତର ଲିପିକା ମାଝୀ ନିର୍ବାଚନ ଲଢୁଥିବା ବେଳେ, ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଜୋନ୍-୨ରୁ ବିଜେଡି ପକ୍ଷରୁ ଜିଲ୍ଲାପରିଷଦ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଛନ୍ତି ଜଣେ ସପ୍ଟୱେର ଇଞ୍ଜିନିୟର ରତିକାନ୍ତ ପଣ୍ଡା ।
ରତିକାନ୍ତ ସଫ୍ଟୱେର କମ୍ପୁଟର ଇଞ୍ଜିନିୟରିଂରେ ଶିକ୍ଷା ପୂରା କରିବା ପରେ ଦେଶ ସହ ବିଦେଶର ଅନେକ ନାମୀ ଦାମୀ କମ୍ପାନୀରେ କାମ କରିସାରିଛନ୍ତି । ବିଦେଶରେ ଚାକିରୀ କରିବା ସହ ଦେଶର ବିଭିନ୍ନ ମେଟ୍ରୋ ପଲିଟିଆନ ସହରରେ ବିଭିନ୍ନ କ୍ଷେତ୍ରରେ ପ୍ରୟୋଗ ହେଉଥିବା ଉନ୍ନତ ଜ୍ଞାନ କୌଶଳ ତାଙ୍କୁ ବେଶ ପ୍ରଭାବିତ କରିଥିଲା । ତେଣୁ ନିଜ ରାଜ୍ୟ ଏବଂ ଜିଲ୍ଲାରେ ଉନ୍ନତ ଜ୍ଞାନକୌଶଳ ଜରିଆରେ ବିକାଶ କରିବା ଲକ୍ଷ ନେଇ ସେ ରାଜନୀତିକୁ ଓହ୍ଲାଇଥିବା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତିକି, ଚାଷ କ୍ଷେତ୍ରରେ ସରକାର ଏହି ଦିଗରେ ଅନେକ ପ୍ରୋତ୍ସାହନ ଦେଉଛନ୍ତି କିନ୍ତୁ ଏହା ଠିକ୍ ଭାବରେ ଲୋକଙ୍କ ପାଖରେ ପହଞ୍ଚିପାରୁନି । ତେଣୁ ମୁଁ ରାଜନୀତି ଜରିଆରେ ସେହି ସବୁ ସୁବିଧାକୁ ଲୋକଙ୍କ ପାଖରେ ପହଞ୍ଚାଇ ପାରିବି । ତେବେ ନବରଙ୍ଗପୁର ଜିଲ୍ଲାରେ ଭିନ୍ନ ଭିନ୍ନ ଜୋନରୁ ଉଚ୍ଚ ଶିକ୍ଷିତ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି