କନକ ବ୍ୟୁରୋ : ଗୋଟାଏ ସାପ ମୋ ଫାର୍ମହାଉସ୍ରେ ପଶିଲା । ଖଣ୍ଡେ ବାଡ଼ିରେ ସାପକୁ ମୁଁ ବାହାରେ ଛାଡିବାକୁ ନେଉଥିଲି । ଆଉ ସେତିକିବେଳେ ସେ ମୋ ହାତ ପର୍ଯ୍ୟନ୍ତ ଚାଲି ଆସିଲା । ବାହାରେ ଛାଡ଼ିବାକୁ ତାକୁ ନେବା ବେଳେ ସେ ମୋତେ ୩ ଚୋଟ ମାରିଲା । ସେଇଟା ଗୋଟାଏ ଧରଣର ବିଷଧର ସାପ । ତେଣୁ, ମୋତେ ୬ ଘଣ୍ଟା କାଳ ଡାକ୍ତରଖାନାରେ ରହିବାକୁ ପଡ଼ିଲା । ଏବେ ମୁଁ ଭଲ ଅଛି ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’କୁ ଅଭିନେତା ସଲ୍ମନ୍ ଖାଁ କହିଛନ୍ତି ।
ତାଙ୍କୁ ଚିକିତ୍ସା କରୁଥିବା କାମୋଥ ହସ୍ପିଟାଲ୍ର ଡାକ୍ତର କୁଳଦୀପ ସଲଗୋତ୍ର ପୂର୍ବରୁ ଗଣମାଧ୍ୟମକୁ କହିଥିଲେ ଯେ, ଦୁଇଟି ଡାକ୍ତରୀ ଟିମ୍ ସଲ୍ମନ୍ ଖାଁଙ୍କର ଚିକିତ୍ସା କରୁଛନ୍ତି । ତାଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ଅଛି । ବିପଦମୁକ୍ତ ହେବା ପରେ ୫୬ତମ ଜନ୍ମଦିନ ପାଳନ ପାଇଁ ସଲ୍ମନ୍ ଡାକ୍ତରଖାନାରୁ ପନ୍ୱେଲ୍ସ୍ଥିତ ଫାର୍ମହାଉସ୍କୁ ଯାଇଥିଲେ । ମୁମ୍ବାଇ ଉପକଣ୍ଠରେ ଥିବା ଉକ୍ତ ଫାର୍ମହାଉସ୍ରେ ପରିବାର ଓ ଘନିଷ୍ଠ ବନ୍ଧୁବାନ୍ଧବଙ୍କ ସହ ସାଧାରଣତଃ ସଲ୍ମନ୍ ତାଙ୍କର ଜନ୍ମଦିନ ପାଳନ କରିଥାଆନ୍ତି ।
ଅନ୍ଲାଇନ୍ରେ ସେୟାର୍ ହୋଇଥିବା କେତେକ ଫଟୋ ଏବଂ ଭିଡିଓରେ ସଲ୍ମାନ୍ ଜନ୍ମଦିନ କେକ୍ କାଟୁଥିବାର ଦୃଶ୍ୟ ରହିଛି । ବାହାରେ ପ୍ରତୀକ୍ଷାରତ ଫଟୋଗ୍ରାଫର୍ମାନଙ୍କ ସହ ଆଳପ କରିବା ଲାଗି ସଲ୍ମନ୍ ଫାର୍ମହାଉସ୍ ବାହାରକୁ ଆସି ସହାସ୍ୟ ବଦନରେ ପୋଜ୍ ଦେଇଥିଲେ । ସେମାନେ ମଧ୍ୟ ତାଙ୍କ ପାଇଁ ଗୀତଟିଏ ବୋଲିଥିଲେ। ସଲ୍ମନ୍ ସେମାନଙ୍କୁ ସର୍ପାଘାତ କଥା କହି ହସି ପକାଇଥିଲେ ।
ତାଙ୍କ ବାପା ସଲିମ୍ ଖାଁ ମଧ୍ୟ ଗଣମାଧ୍ୟମକୁ କହିଥିଲେ, ସଲ୍ମନ୍ ଭଲ ଅଛି । ବିବ୍ରତ ହେବାର କୌଣସି କାରଣ ନାହିଁ। ବଡ଼ି ସକାଳୁ ସାପ କାମୁଡ଼ି ଥିଲା, ଏବେ ସେ ଭଲ ଅଛି । ସାପଟି ଥିଲା ବିଷହୀନ । ଜଙ୍ଗଲିଆ ଅଞ୍ଚଳରେ ଏଭଳି ଜନ୍ତୁ ଦେଖାଯିବା ସ୍ବାଭାବିକ କଥା । ଡାକ୍ତରମାନେ ତା’ ପାଇଁ କିଛି ଔଷଧ ଲେଖି ଦେଇଛନ୍ତି । ସେ କିନ୍ତୁ, ସମ୍ପୂର୍ଣ୍ଣ ସୁସ୍ଥ ଅଛି । ଜନ୍ମଦିନ ଉପଲକ୍ଷେ ଅଭିନେତା ସଲମନ୍ କଳା ଟି-ସାର୍ଟ, କଳା ଜ୍ୟାକେଟ୍ ଏବଂ ବାଦାମୀ ରଙ୍ଗର ପ୍ୟାଣ୍ଟ୍ ପିନ୍ଧିବା ସହ ବେକରେ ଚେନ୍ ପକାଇଛନ୍ତି ।