କନକ ବ୍ୟୁରୋ: ରାଜ୍ୟରେ ବିଜେପି ସରକାର ଗଠନ କରିବାକୁ ଏହା ଭିତରେ ମାସେ ଟପି ସାରିଲାଣି। ମାସେ ଭିତରେ ବିଜେପି ନିର୍ବାଚନ ସମୟରେ ଦେଇଥିବା ପ୍ରଥମ କେତୋଟି ପ୍ରତିଶ୍ରୁତି ବି ପୂରଣ କରିଛି। କିନ୍ତୁ ଦୁର୍ନୀତି ବିରୋଧରେ ଦେଇଥିବା ପ୍ରତିଶ୍ରୁତି କେବେ ପୂରଣ ହେବ ସେନେଇ, ଓଡିଶାବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଆଉ ଏହାରି ଭିତରେ କାର୍ଯ୍ୟକାରିଣୀରେ ଦୁର୍ନୀତି ବିରୋଧରେ ବଡ ନିଷ୍ପତି ନେଇଛି ରାଜ୍ୟ ବିଜେପି।..

Advertisment

ନିର୍ବାଚନ ବେଳେ ଦୁର୍ନୀତି ମୁକ୍ତ ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି, ପ୍ରତିଶ୍ରୁତି ପୂରଣ ପାଇଁ ଆରମ୍ଭ କରିଛି ପ୍ରକ୍ରିୟା। ରାଜ୍ୟ ବିଜେପିର ଦୁଇ ଦିନିଆ କର୍ଯ୍ୟକାରିଣୀରେ, ଓଡ଼ିଶାକୁ ତୃଣମୂଳ ସ୍ତରରୁ ଉପର ସ୍ତର ପର୍ଯ୍ୟନ୍ତ ଦୁର୍ନୀତି ମୁକ୍ତ କରିବାକୁ ସଂକଳ୍ପ ନେଇଛି। ବିଜେଡ଼ି ସରକାର ସମୟରେ ଫାଇବ- ଟି ନାଁରେ ବର୍ଷକୁ ପଚାଶ ହଜାର କୋଟିରୁ ଉର୍ଦ୍ଧ ଟଙ୍କା ଲୁଟପାଟ ହୋଇଥିବା ଅଭିଯୋଗ ଆଣି, ଦୁର୍ନୀତି ମୁକ୍ତ ସରକାର ଦେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ । ଏଥିସହ ବିଜେପି କାର୍ୟ୍ୟକାରିଣୀରେ, ଦୁର୍ନୀତି ମୁକ୍ତ ସରକାର ପାଇଁ ଚିଠା ପ୍ରସ୍ତାବ ପାରିତ ହୋଇଛି।

ବିଜେପିର ଚାର୍ଜସିଟ ଉପରେ । ନିର୍ବାଚନ ପୂର୍ବରୁ ତତ୍କାଳୀନ ବିଜେଡି ସରକାରଙ୍କ ଦୁର୍ନୀତି ବିରୁଦ୍ଧରେ ଚାର୍ଜସିଟ ଜାରି କରିଥିଲା ବିଜେପି । ମହିଳା ବିରୋଧୀ, ଅପରାଧରେ ଏକ ନମ୍ବର, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଖଣିରେ ବ୍ୟାପକ ଦୁର୍ନୀତିର ଅଭିଯୋଗ ଆଣି ସରକାରଙ୍କୁ ଜୋରଦାର ଘେରିଥିଲା । ଆଉ ଏବେ ବିଜେପିର ସରକାର ଆସିବା ପରେ ପ୍ରଥମ ରାଜ୍ୟ କାର୍ୟ୍ୟକାରିଣୀରେ ପୂର୍ବ ସରକାରର ଦୁର୍ନୀତି ବିରୁଦ୍ଧରେ କଠୋର ହେବାକୁ ନିଷ୍ପତି ପାରିତ ହୋଇଛି... ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ପ୍ରସ୍ତାବ ପାରିତ ପରେ ପରବର୍ତି ପଦକ୍ଷେପକୁ ଅପେକ୍ଷା କରିଛନ୍ତି ସାଢ଼େ ଚାରି କୋଟି ଓଡିଆ।