ବଙ୍ଗୋପସାଗରରେ ଆସୁଛି ଭୀଷଣ ସାମୁଦ୍ରିକ ଝଡ। ବାଂଲାଦେଶ-ମିଆଁମାର ମୁହାଁ ହୋଇପାରେ ବାତ୍ୟା।

489

କନକ ବ୍ୟୁରୋ: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବା ପରେ, ସମ୍ଭାବ୍ୟ ବାତ୍ୟା ନେଇ ପୂର୍ବନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏନେଇ ଆଇଏମଡି ପକ୍ଷରୁ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । କହିଛନ୍ତି, ସୃଷ୍ଟି ହୋଇଥିବା ଲଘୁଚାପ ୯ତାରିଖରେ ଅବପାତର ରୂପ ନେବ । ୧୦ରେ ସାମୁଦ୍ରିକ ଝଡରେ ପରିଣତ ହୋଇପାରେ । ପରେ ଅଧିକ ଘନୀଭୂତ ହୋଇ ଭୀଷଣ ସାମୁଦ୍ରିକ ଝଡର ରୂପ ନେଇପାରେ ।

ବଙ୍ଗୋପସାଗରରେ ବାତ୍ୟା ଆସୁଥିବା ଆକଳନ କରିଥିଲେ ବି, କେଉଁଠି ସ୍ଥଳଭାଗ ଛୁଇଁବ ତାହା ସ୍ପଷ୍ଟ କରିନି ଆଇଏମଡି । ତେବେ ପ୍ରାଥମିକ ଭାବେ ଏହା ବାଂଲାଦେଶ – ମିଆଁମାର ମୁହାଁ ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଇଏମଡିର ଆକଳନ ଅନୁସାରେ, ୧୧ ତାରିଖ ପର୍ଯ୍ୟନ୍ତ ଏହା ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ୧୨ତାରିଖ ପରେ ରିକର୍ଭ କରି ଧିରେ ଧିରେ ଉତ୍ତର ଏବଂ ଉତ୍ତର-ପୂର୍ବ ଦିଗରେ ବାଂଲାଦେଶ- ମିଆଁମାର ଆଡକୁ ଗତି କରିବ ।

ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେଉଥିଲେ ବି, ଓଡିଶା ସମେତ ବଙ୍ଗୋପସାଗର ଉପକୂଳରେ ଥିବା ପୂର୍ବତଟ ରାଜ୍ୟ ଗୁଡିକରେ ବର୍ତମାନ ସୁଦ୍ଧା ବାତ୍ୟାର ଆଶଙ୍କା ନଥିବା ଆକଳନ କରିଛି ଆଇଏମଡି । ତେବେ ଓଡିଶାରେ ବାତ୍ୟା ଯୋଗୁଁ ବର୍ଷା, ପବନ ହେବ କି ନାହିଁ?, ସେ ନେଇ କୌଣସି ଆକଳନ କରିନି ପାଣିପାଗ ବିଭାଗ । ଆଗକୁ ଏହା ସ୍ପଷ୍ଟ ହେବ ବୋଲି ଆଇଏମଡି ପକ୍ଷରୁ କୁହାଯାଇଛି । କିନ୍ତୁ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ଭିତରକୁ ନଯିବାକୁ ସହ ଯେଉଁମାନେ ଅଛନ୍ତି ଉପକୂଳକୁ ଶୀଘ୍ର ଫେରିଆସିବାକୁ କୁହାଯାଇଛି ।
କିନ୍ତୁ ଖରାଦିନିଆ ବାତ୍ୟା ଆକସ୍ମିକ ହୋଇଥିବାରୁ ଏହା ଉପରେ ନଜର ରଖିଛି ଭାରତୀୟ ପାଣିପାଗ ବିଭାଗ ।