ବିଶ୍ୱ ଦେଖିବ ପାଇକ ବିଦ୍ରୋହ । ଷ୍ଟାର ପ୍ଲସ ଚ୍ୟାନେଲରେ ପ୍ରସାରଣ ହେବାକୁ ଯାଉଛି ବକ୍ସି ଜଗବନ୍ଧୁଙ୍କ ଜୀବନୀ ଉପରେ ଧାରାବାହିକ ।

291

କନକ ବ୍ୟୁରୋ: ବକ୍ସି ଜଗବନ୍ଧୁ, ଏହି ନାଁକୁ ଶୁଣିବା ମାତ୍ରେ ପ୍ରତ୍ୟେକ ଓଡ଼ିଆଙ୍କ ଦେହରେ ଶିହରଣ ଖେଳିଯାଏ । ଦେଶପ୍ରେମର ଏହି ସର୍ବୋଚ୍ଚ ବଳିଦାନକୁ ନେଇ ପୂରା ଜାତିର ଛାତି ଗର୍ବରେ ଫୁଳିଉଠେ । ଆଉ ଏବେ ସାରା ଦେଶ ଦେଖିବ ପ୍ରଥମ ସ୍ୱାଧୀନତା ସଂଗ୍ରାମ ଓ ବଳିଦାନର ଅମର ଗାଥା । ଟିଭି ଚ୍ୟାନେଲ ଷ୍ଟାର ପ୍ଲସ ଓ ହଟ ଷ୍ଟାର ଓଟିଟି ପ୍ଲାଟଫର୍ମରେ ଖୁବଶୀଘ୍ର ରିଲିଜ୍ ହେବାକୁ ଯାଉଛି ଧାରାବାହିକ ବିଦ୍ରୋହୀ । ଯେଉଁଥିରେ ରହିଛି ବକ୍ସି ଜଗବନ୍ଧୁଙ୍କ ବୀରତ୍ୱ ଓ ଦେଶପ୍ରେମର କାଳଜୟୀ କାହାଣୀ ।

ତେବେ ୧୮୧୭ ମସିହାରେ ବ୍ରିଟିଶ ସରକାର ବିରୋଧରେ ରଣହୁଙ୍କାର ଦେଇଥିଲେ ବକ୍ସି ଜଗବନ୍ଧୁ । ବେଆଇନ କର ପ୍ରତିବାଦରେ ପାଇକମାନଙ୍କୁ ଏକାଠି କରି ଇଂରେଜ ବିରୋଧରେ ସଂଗ୍ରାମ କରିଥିଲେ । ଓଡ଼ିଶାରୁ ହିଁ ଆରମ୍ଭ ହୋଇଥିଲା ଇଂରେଜ ଶାସନ ବିରୋଧରେ ଲଢ଼େଇ । ୧୮୦୪ରେ ଜୟୀ ରାଜଗୁରୁ ଓ ୧୮୧୭ରେ ପାଇକ ବିଦ୍ରୋହ ହିଁ ଥିଲା ବ୍ରିଟିଶ ସରକାର ବିରୋଧରେ ପ୍ରଥମ ସଶସ୍ତ୍ର ସଂଗ୍ରାମ ।

ବିଳମ୍ବରେ ହେଲେ ବି ଦେଶର ଏକ ପ୍ରମୁଖ ଚ୍ୟାନେଲରେ ହେବାକୁ ଯାଉଛି ବକ୍ସି ଜଗବନ୍ଧୁଙ୍କ ଜୀବନୀ ଉପରେ ଧାରାବାହିକ । ପ୍ରଥମ ସ୍ୱାଧୀନତା ସଂଗ୍ରାମକୁ ନେଇ ବିତର୍କ ଚାଲିଥିବା ବେଳେ ଏହି ସିରିଏଲ, ପ୍ରକୃତ ତଥ୍ୟକୁ ସାମନାକୁ ଆଣିବ ବୋଲି ଆଶା କରାଯାଉଛି । ତେବେ ଷ୍ଟାର ପ୍ଲସ ପକ୍ଷରୁ ଯେଉଁ ଟିଜର ରିଲିଜ କରାଯାଇଛି, ତାହା ବେଶ ଚିତାକର୍ଷକ ହୋଇଛି ।