କନକ ବ୍ୟୁରୋ: ଲବଲେଶ ତିୱାରୀ, ଅରୁଣ ମୌର୍ଯ୍ୟ ଓ ସନି ସିଂ । ବେଶ ସାଧାସିଧା, ନିରୀହ ଦେଖାଯାଉଥିବା ଏହି ତିନି ଯୁବକ, ଯେ ଏତେ ବଡ କାଣ୍ଡ ଘଟାଇଥିବେ, ତାହା ଦେଖିଲେ ହୁଏତ ବିଶ୍ୱାସ କରିବା କଷ୍ଟକର । କିନ୍ତୁ ଏହି ତିନି ଜଣ ଏମିତି କାଣ୍ଡ ଘଟାଇଛନ୍ତି, ଯାହା ସାରା ଦେଶରେ ହଇଚଇ ସୃଷ୍ଟି କରିଛି । ଉତ୍ତରପ୍ରଦେଶର ମାଫିଆରୁ ନେତା ବନିଥିବା, ଅତିକ୍ ଅହମ୍ମଦ ଓ ଭାଇ ଅସରଫଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଏହି ତିନି ଯୁବକ । ଆଉ ହତ୍ୟା କରିବା ପରେ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ୟୁପି ପୋଲିସ । ଗିରଫ କରିବା ପରେ ଜାରି ରଖିଛି ପଚରାଉଚୁରା ।

Advertisment

ସାମ୍ବାଦିକ ବେଶରେ ଆସି ଅତିକ ଓ ଅସରଫଙ୍କୁ ମାରିଥିବା ତିନି ଜଣଙ୍କୁ ପୋଲିସ ପଚରାଉଚୁରାବେଳେ ସାମନାକୁ ଆସିଛି ସାଂଘାତିକ ତଥ୍ୟ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ପୋଲିସ ପଚରାଉଚୁରା କରିବା ସମୟରେ ଅଭିଯୁକ୍ତମାନେ କହିଛନ୍ତି, ସେମାନେ ବଡ ମାଫିଆ ବା ଡନ୍ ବନିବା ଚାହୁଁଥିଲେ । ସେଥିପାଇଁ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି । ଆଉ କେତେ ଦିନ ଛୋଟ ମୋଟ ସୁଟର ହୋଇ ରହିବେ, ବଡ ମାଫିଆ ହେବାର ଥିଲା, ତେଣୁ ଅତିକ୍ ଓ ଅସରଫଙ୍କୁ ହତ୍ୟା କରିଛନ୍ତି । ଏବଂ ୨ଦିନ ପୂର୍ବରୁ ପ୍ରୟାଗରାଜ ଆସି ଏକ ହୋଟେଲରେ ରହିଥିଲେ ବୋଲି ପୋଲିସକୁ ସୂଚନା ଦେଇଛନ୍ତି । ତେବେ ଅଭିଯୁକ୍ତଙ୍କ କଥାରେ କେତେ ସତ୍ୟତା ରହିଛି, ଅଭିଯୁକ୍ତମାନଙ୍କର ଅପରାଧ ସମ୍ପର୍କୀତ କଣ ରେକର୍ଡ ରହିଛି, ସେହି ତଥ୍ୟ ଯୋଗାଡ କରୁଛି ପୋଲିସ ।

ତିିନି ଜଣଙ୍କ ପରିଚୟ ମିଳିବା ପରେ, ଅଭିଯୁକ୍ତମାନଙ୍କ ଠିକଣାରେ ପହଞ୍ଚିଖୋଳତାଡ ଆରମ୍ଭ କରିଛି ୟୁପି ପୋଲିସ । ଲବଲେଶ ତିୱାରଙ୍କ ବାନ୍ଦା କୋଟୱାଲି ସ୍ଥିତ ଘରେ ପହଞ୍ଚି ତାଙ୍କ ପରିବାର ଲୋକଙ୍କୁ ପଚରାଉଚୁରା କରିଛି । ଆଉ ଲବଲେଶର ଭାଇଙ୍କ କହିବା ଅନୁସାରେ ସେ ଡ୍ରଗ ଆଡିକ୍ଟ ଥିଲେ । ତେବେ ପ୍ରୟାଗରାଜରେ କେମିତି ପହଞ୍ଚିଲେ ଆଉ ହତ୍ୟାକାଣ୍ଡ ଘଟାଇଲେ ସେ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ସନି ସିଂ ବିରୋଧରେ ରହିଛି ପ୍ରାୟ ୧୭ ଅପରାଧିକ ମାମଲା । ସନି ସିଂର ହମିରପୁର ଘରେ ପହଞ୍ଚି ଖୋଳତାଡ ଆରମ୍ଭ କରିଛି ପୋଲିସ । ତେବେ ସନିର ଘର ଠାରୁ ଅଲଗା ରହୁଥିଲା ବୋଲି କହିଛନ୍ତି ତା ଭାଇ । ସେହିପରି ତୃତୀୟ ଅଭିଯୁକ୍ତ ଅରୁଣ ମୌର୍ଯ୍ୟ ଦୀର୍ଘ ଦିନ ହେବ ଘରକୁ ଫେରିନଥିଲା । ବାପା- ମାଙ୍କ ମୃତ୍ୟୁ ପରେ ଘର ଛାଡି ବାହାରେ ରହୁଥିଲା ।

ୟୁପି ପୁଲିସର ସୂଚନା ମୁତବାକ, ତିନି ଅଭିଯୁକ୍ତଙ୍କ ବୟସ ୩୦ ବର୍ଷରୁ କମ୍ । ଆଉ ତିନି ଜଣଙ୍କ ଘର ପ୍ରୟାଗରାଜ ଜିଲ୍ଲା ବାହାରେ । ଅର୍ଥାତ ସେମାନେ ଯୋଜନାବଦ୍ଧ ଭାବେ ଆସି, ଏକାଠି ହୋଟେଲରେ ରହି, ସେଠାରେ ଅତି ପାଖରୁ ଯାଇ, ତୁର୍କୀ ନିର୍ମିତ ବନ୍ଧୁକରୁ ଗୁଳି କରି ହତ୍ୟା କରିଛନ୍ତି ।