ଆରପାରିକୁ ଚାଲିଗଲେ, ଆଖି ଦାନ କରି ଅମର ହେଲେ । ମୃତ୍ୟୁ ପରେ ଅନ୍ୟଆଖିରେ ବଞ୍ଚି ରହିବେ କାର୍ତ୍ତିକ ।

214

କନକ ବ୍ୟୁରୋ: ଆଖି ବୁଜିବା ପରେ ଦୁନିଆ ଦେଖିବ ମୋ ପୁଅର ଆଖି । ସେ ସିନା ଶେଷ ନିଦ୍ରାରେ ଶୋଇଗଲା ହେଲେ ତା ଆଖିରେ ଆଉ କିଏ ଦୁନିଆ ଦେଖିବ, ନୂଆ ଜୀବନ ପାଇବ । ମୃତ୍ୟୁ ପରେ ବି ଆଉ କାହା ଦେହରେ ବଞ୍ଚି ରହିବ ମୋ ପୁଅର ଆଖି । ଆଉ ସେ ମରି କି ହୋଇଯିବ ଅମର… ପାଣିରେ ବୁଡି ପୁଅର ଆକସ୍ମିକ ମୃତ୍ୟୁ ପରେ ମାଆ ଅବାକ ହୋଇଥିବା ବେଳେ ପୁଅର ଏ ମହାନ କାମ ପାଇଁ ଲୁହ ଲୁଚାଇ ଗର୍ବ କରୁଛି ମାଆ । ଆଉ ତା ରିକ୍ସାକୁ ଅଣ୍ଡାଳି ଅଣ୍ଡାଳି ପୁଅକୁ ମନେ ପକାଇଛି ।

କୁହାଯାଏ ଚକ୍ଷୁ ଦାନ ମହତ ପୁଣ୍ୟ । ଏହି କଥାକୁ ମୃତ୍ୟୁ ପରେ ବି ସତ ପ୍ରମାଣିତ କରିଛନ୍ତି ପୁରୀର ରିକ୍ସାଚାଳକ କାର୍ତ୍ତିକ । ନିଜ ମୃତ୍ୟୁ ପରେ ଅନ୍ୟକୁ ଚକ୍ଷୁ ଦାନ କରି ସେ ହୋଇଛନ୍ତି ଅମର । ଆଉ ଜଣେ ରିକ୍ସାଚାଳକଙ୍କର ଏମିତି ମହନୀୟତା ପାଇଁ ତାଙ୍କୁ ଝୁରୁଛନ୍ତି ସମସ୍ତେ ।

ପୁରୀ ନରେନ୍ଦ୍ରକୋଣ ମଙ୍ଗଳାସାହିର କାର୍ତ୍ତିକ ବେହେରା । ବୟସ ମାତ୍ର ୨୫ ବର୍ଷ । ଶ୍ରୀଜଗନ୍ନାଥବଲ୍ଲଭ ମଠ ସାମ୍ନାରେ ରିକ୍ସାଷ୍ଟାଣ୍ଡରୁ ସବୁଦିନ ରିକ୍ସା ଟାଣି ନିଜ ପରିବାର ପ୍ରତିପୋଷଣ କରନ୍ତି । କଷ୍ଟରେ ହେଉ ବରଂ ଏଇ ରିକ୍ସା ହିଁ ତାଙ୍କ ରୋଜଗାରର ମାଧ୍ୟମ ଥିଲା । ହେଲେ ଗୁରୁବାର ନରେନ୍ଦ୍ରକୋଣ ଦଶତୁଠରେ ଗାଧୋଉଥିବା ବେଳେ ପାଣିରେ ବୁଡିଯାଇ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାରର ଏକମାତ୍ର ପୁଅର ଅକାଳ ବିୟୋଗ ପରେ ପ୍ରିୟଜନ ଭାଙ୍ଗି ପଡିଥିବା ବେଳେ କାର୍ତ୍ତିକଙ୍କ ଚକ୍ଷୁ ଦାନ ପାଇଁ ନିଷ୍ପତ୍ତି ନେଇଥିଲେ । ମୃତ୍ୟୁ ପୂର୍ବରୁ କାର୍ତ୍ତିଙ୍କର ଶରୀର ଓ ଅଙ୍ଗଦାନ ପାଇଁ ସ୍ୱପ୍ନ ଥିବାରୁ ତାକୁ ସତ କରିଥିଲେ ପରିବାର ଲୋକେ । ତେବେ ଭୁବନେଶ୍ୱରସ୍ଥିତ ଏକ ଆଖି ହସ୍ପିଟାଲରେ କାର୍ତ୍ତିକଙ୍କ ଆଖି ଦାନ କରାଯାଇଛି । ଆଉ କାର୍ତ୍ତିକ ସବୁଦିନ ପାଇଁ ଅନ୍ୟ ଆଖିରେ ଅମର ହୋଇଯାଇଛନ୍ତି ।

ସେପଟେ ସ୍ୱାମୀଙ୍କୁ ହରାଇବା ପରେ ସ୍ତ୍ରୀ ଆଖିରୁ ଲୁହ ଶୁଖୁନି । ଶୁଖିବ ବା କେମିତିଷ ଏଇ ବର୍ଷେ ତଳେ ତ କାର୍ତ୍ତିକଙ୍କ ହାତ ଧରିଥିଲେ ଟିକିନା । ଏଯାଏଁ କାନ୍ଥରୁ ବାହାଘରର ସେ ଝୋଟି ଲିଭିନି କିନ୍ତୁ ସବୁଦିନ ପାଇଁ ଲିଭିଯାଇଛି ସ୍ତ୍ରୀ ମଥାର ସିନ୍ଦୂର । ସ୍ୱାମୀତ ଛାଡି ଚାଲିଗଲେ ଏବେ ଏକା ଏକା କେମିତି ତାଙ୍କ ଭବିଷ୍ୟତକୁ ବଞ୍ଚାଇ ରଖିବି । କୋଳରେ ୬ ମାସର ଛୁଆକୁ ଧରି କଇଁ କଇଁ କାନ୍ଦୁଛନ୍ତି କାର୍ତ୍ତିକଙ୍କ ପତ୍ନୀ ।

ତେବେ ମୃତ୍ୟୁ ପରେ ସିନା ମଣିଷପଣିଆର ମନ୍ଦିର ସାଜି କାର୍ତ୍ତିକ ଚକ୍ଷୁ ଦାନ କରି ଅନ୍ୟର ଜୀବନ ବଞ୍ଚାଇଦେଲେ । ହେଲେ ତାଙ୍କ ଦେହାନ୍ତ ପରେ ଏବେ ଦୁଃଖ ଦୁର୍ଦ୍ଦିନରେ କଟିବ ପରିବାରର ଦିନ । ଭୋକ ଉପସାରେ ରହିବ ପରିବାରର ପେଟ । କଣ ହେବ ଜୀବନ କଣ ଜାଣିନଥିବା କୁନି ଛୁଆର ଭବିଷ୍ୟତ । ସହାୟତା ମାଗୁଛି କାର୍ତ୍ତିକର ପରିବାର ।