ଗଜପତିରୁ ଆସିଲା ଓଲଟା ଚିତ୍ର, ମଣ୍ଡିରୁ ଉଠିପାରୁନି ମାଣ୍ଡିଆ।

82

କନକ ବ୍ୟୁରୋ: ମିଲେଟ ମିଶନରେ ମାଣ୍ଡିଆକୁ ଦିଆଯାଇଛି ଗୁରୁତ୍ୱ । ମଣ୍ଡିରୁ ବାହାରିପାରୁନି ମାଣ୍ଡିଆ । କୁଇଁଣ୍ଟାଲ କୁଇଁଣ୍ଟାଲ ମାଣ୍ଡିଆ ପଡି ରହିଛି । ମିଲେଟ ମିଶନ ଜରିଆରେ ସରକାର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଗଜପତିରେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ କ୍ଷତିରେ ପଡିଛନ୍ତି ମାଣ୍ଡିଆ ଚାଷୀ । ଟଙ୍କା ଖର୍ଚ୍ଚ କରି ଚାଷ କରିଛନ୍ତି । ମାଣ୍ଡିଆ ଅମଳ ବି ହୋଇସାରିଛି । ହେଲେ ଅମଳ ମାଣ୍ଡିଆ ବିକ୍ରି ନହୋଇ ପଡିରହିଛି ।

ଲାଭବାନ ହେବା ଆଶାରେ ମାଣ୍ଡିଆ ଚାଷ କରିଥିଲା ଚାଷୀ । ଏନେଇ ପ୍ରଶାସନ ପକ୍ଷରୁ ଚାଷୀମାନଙ୍କୁ ପ୍ରୋତ୍ସାହିତ କରାଯାଇଥିଲା । ଚାଷୀ ଏକର ଏକର ଜମିରେ ମାଣ୍ଡିଆ ଚାଷ କରି ଅମଳ କରିଛନ୍ତି ହେଲେ ଅମଳ ମାଣ୍ଡିଆ ଧରି ବସିଛନ୍ତି । ମାଣ୍ଡିଆ ଯୋଗୁ ବହୁତ କ୍ଷତିରେ ମଧ୍ୟ ସେମାନେ ପଡୁଛନ୍ତି । ଅମଳ ମାଣ୍ଡିଆ ସବୁ ଓଜନ ହିସାବରେ ରଖାଯାଉଛି । ହେଲେ ଗନି ବ୍ୟାଗ ନଥିବା ଯୋଗୁ ମାସ ମାସ ଧରି ମଣ୍ଡିରେ ପଡିରହୁଛି ମାଣ୍ଡିଆ । ସରକାରଙ୍କ ନିୟମ ଅନୁସାରେ ୪୦ କୁଇଁଣ୍ଟାଲରୁ ଅଧିକ ମାଣ୍ଡିଆ ମଣ୍ଡିରେ ଗଚ୍ଛିତ ରଖାଯାଇପାରିବନି । ତାସହିତ ୭୨ ଘଣ୍ଟା ଭିତରେ ବିକ୍ରି ନିୟମ ରହିଥିଲେ ବି ମାସ ମାସ ଲାଗୁଛି ବିକ୍ରି ପାଇଁ । ଏପରିକି ବିକ୍ରି କରାଯାଇଥିବା କିଛି ଫସଲ ପ୍ରାପ୍ୟ ମଧ୍ୟ ମିିଳିପାରିନି ଚାଷୀଙ୍କୁ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।