ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି! ପ୍ରେମିକାକୁ ନୃଶଂସ ପ୍ରେମିକର ହତ୍ୟା, ୬ ଖଣ୍ଡ କରି ଫ୍ରିଜରେ ରଖିଲା ଶବ

363

କନକ ବ୍ୟୁରୋ: ଦିଲ୍ଲୀର ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡ ମନରୁ ଲିଭି ନଥିବା ବେଳେ ଠିକ୍ ସେହିଭଳି ଆଉ ଏକ ଘଟଣା ହାଇଦ୍ରାବାଦରୁ ଆସିଛି । ଜଣେ ବ୍ୟକ୍ତି ନିଜ ପ୍ରେମିକାକୁ ପ୍ରଥମେ ଛୁରୀରେ ହତ୍ୟା, ପରେ ପଥରକଟା ମେସିନରେ ଖଣ୍ଡଖଣ୍ଡ କରି ଫ୍ରିଜରେ ରଖିଥିଲେ । ଏପରି ଘଟଣା ପୁଣି ଥରେ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟାକାଣ୍ଡର ସେହି ଛାତିଥରା ଘଟଣାକୁ ମନେ ପକାଇଦେଇଛି । ସୂଚନା ଅନୁସାରେ, ମେ ୧୭ ତାରିଖରେ ସହରର ମୁସି ନଦୀ ନିକଟରେ ଏକ କଟା ମୁଣ୍ଡ ପଡ଼ିଥିବା ସୂଚନା ପାଇଥିଲା ହାଇଦ୍ରାବାଦ ପୁଲିସ । ପୁଲିସ ଏହାର ତଦନ୍ତ କରିବା ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି । କଟାମୁଣ୍ଡଟି ଜଣେ ମହିଳାଙ୍କର ବୋଲି ଜଣାପଡ଼ିବା ପରେ ପ୍ରେମିକକୁ ଗିରଫ କରିଛି ପୁଲିସ ।

ହତ୍ୟାକାଣ୍ଡ ପଛର କାରଣ
-ଟଙ୍କା ନେଣଦେଣକୁ ନେଇ ହୋଇଥିଲା ପାଟିତୁଣ୍ଡ
– ନିଜ ରାସ୍ତାରୁ ପ୍ରେମିକାକୁ ହଟାଇଦେବାକୁ ଯୋଜନା କରିଲା ପ୍ରେମିକ
– ପ୍ରେମିକା ଅନୁରାଧାକୁ ହତ୍ୟା କଲା ପ୍ରେମିକ ଚନ୍ଦ୍ରମୋହନ
– ପ୍ରଥମେ ଛୁରୀରେ ମାରିଲା, ପରେ ପଥର କଟା ମେସିନରେ କାଟିଲା
– ପ୍ରେମିକାର ଶବକୁ ୬ ଖଣ୍ଡ କରି ଫ୍ରିଜରେ ରଖିଥିଲା
– ଦୁର୍ଗନ୍ଧ ନ ହେବା ପାଇଁ ଫରଫ୍ୟୁମ, ଫିନାଇଲ ଓ ଡେଟଲର ବ୍ୟବହାର କରୁଥିଲା ଚନ୍ଦ୍ରମୋହନ
– ସନ୍ଦେହ ନ ହେବା ପାଇଁ ହତ୍ୟା ପରେ ଅନୁରାଧା ସାଜି ସମ୍ପର୍କୀୟଙ୍କୁ କରୁଥିଲା ମେସେଜ

ସୂଚନା ଅନୁସାରେ, ଅଭିଯୁକ୍ତ ୪୮ ବର୍ଷୀୟ ଚନ୍ଦ୍ରମୋହନ ୫୫ ବର୍ଷୀୟ ଅନୁରାଧା ରେଡ୍ଡିଙ୍କ ସହ ଗତ ୧୫ ବର୍ଷ ଧରି ଅବୈଧ ସମ୍ପର୍କରେ ରହୁଥିଲେ । ନିଜ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ଦିଲସୁଖନଗରସ୍ଥିତ ଚୈତନ୍ୟପୁରୀ କଲୋନୀରେ ଚନ୍ଦ୍ରମୋହନଙ୍କ ସହ ରହୁଥିଲେ ଅନୁରାଧା । ଅନୁରାଧା ଲୋକଙ୍କୁ ଟଙ୍କା କରଜ ଆକାରରେ ଦିଅନ୍ତି । ତେବେ ଚନ୍ଦ୍ରମୋହନ ଅନୁରାଧାଙ୍କ ଠାରୁ ପ୍ରାୟ ୭ ଲକ୍ଷ ଟଙ୍କା ନେଇଥିବାବେଳେ ଏହାକୁ ଫେରାଇବାକୁ ନେଇ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଆଉ ବାରମ୍ବାର ପାଟିତୁଣ୍ଡର ରୂପ ଶେଷରେ ଲୋମଟାଙ୍କୁରା ଭଳି ହତ୍ୟାକାଣ୍ଡର ରୂପ ନେଇଥିଲା । ଗିରଫ ପରେ ଅଭିଯୁକ୍ତ ଚନ୍ଦ୍ରମୋହନ ଅପରାଧ ସ୍ୱୀକାର କରିଛି । ସେପଟେ ପୋଲିସ ଅନୁରାଧାଙ୍କ ଶରୀରର ଅଙ୍ଗଗୁଡ଼ିକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି ।