ବଢୁଛି ପରୀକ୍ଷା, କମୁଛି ସଂକ୍ରମଣ : ରାଜ୍ୟରେ ପୁଣି ରେକର୍ଡ ସଂଖ୍ୟକ ନମୁନା ପରୀକ୍ଷା । ୨୪ଘଣ୍ଟାରେ ୫୩ହଜାର ୧୫ ନମୁନା ପରୀକ୍ଷା ; ସେପଟେ କୋଭିଡ ମୃତ୍ୟୁହାର କମିବା ପାଇଁ ରାଜ୍ୟରେ ଗଠନ ହେଲା ବୈଷୟିକ କମିଟି

233

କନକ ବ୍ୟୁରୋ : ରାଜ୍ୟରେ ବଢୁଛି ପରୀକ୍ଷା କମୁଛି ସଂକ୍ରମଣ । ଗତ ୨୪ ଘଂଟାରେ ରେକର୍ଡ ୫୩ ହଜାର ୧୫ ନମୁନା ପରୀକ୍ଷା ହୋଇଛି । ଏଥିମଧ୍ୟରୁ  ୪୭ ହଜାର ୮୩୪ ଆଂଟିଜେନ ଟେଷ୍ଟ ହୋଇଥିବାବେଳେ ଆରଟିପିସିଆର ଟେଷ୍ଟ ହୋଇଛି  ୫ ହଜାର ୬୮ । ଆଉ ଏଥିରୁ ସ୍ପଷ୍ଟ ହୋଇଛି  ଯେ ରାଜ୍ୟରେ  ସଂକ୍ରମଣ କମୁଛି ।   ବିଶେଷକରି ପ୍ରଥମେ ଗଞ୍ଜାମ ଜିଲ୍ଲା ଚିନ୍ତା ବଢାଇଥିବାବେଳେ  ଏବେ ସେଠାରେ  ସ୍ଥିତି ନିୟନ୍ତ୍ରଣକୁ ଆସିଛି । ଏବେ ଖୋର୍ଧା, କଟକ, ସୁନ୍ଦରଗଡ ଓ ରାୟଗଡା ଜିଲ୍ଲାରେ  କୋଭିଡ ନିୟନ୍ତ୍ରଣ ପାଇଁ  ଅଂଚଳଭିତିକ  ରଣନୀତି ପାଇଁ ସ୍ଥିର କରାଯାଇଛି । ଗତକାଲି ମୁଖ୍ୟମନ୍ତ୍ରୀ ସମୀକ୍ଷା ବେଳେ ଏହି ଜିଲ୍ଲାଗୁଡିକୁ ଅଧିକ ଫୋକସ କରିବା ସହ  ସଂକ୍ରମିତ ହାର ହ୍ରାସ କରିବା ପାଇଁ କହିଛନ୍ତି ।

ସେପଟେ କୋଭିଡ ମୃତ୍ୟୁହାର କମିବା ପାଇଁ ରାଜ୍ୟରେ ଗଠନ ହେଲା ବୈଷୟିକ କମିଟି । ୭ଟି ମେଡିକାଲ କଲେଜର ପ୍ରଫେସରଙ୍କୁ ନେଇ ଏହି  ବୈଷୟିକ କମିଟି ଗଠନ କରାଯାଇଛି । ଏସସିବି,ଏମକେସିଜି, ବୁର୍ଲା, ବିବି ମେଡିକାଲ କଲେଜ, ଏଫଏମ, କୋରାପୁଟ ମେଡିକାଲ ଓ ପିଆରଏମ ମେଡିକାଲ । ଏହି କମିଟି ୩୦ଟି ଜିଲ୍ଲାରେ ମେଡିକାଲ ପରିଦର୍ଶନ କରିବେ ।  ଜିଲ୍ଲା ବୁଲିବା ସହ ଡାକ୍ତରଙ୍କୁ ମାର୍ଗଦର୍ଶନ ଦେବେ । ଏହା ପରେ ସ୍ୱାସ୍ଥ୍ୟ ବିଭାଗକୁ ରିପୋର୍ଟ ଦେବେ ଏହି ବୈଷୟିକ କମିଟି  ।