ଶୁକ୍ରବାର ଅପରାହ୍ନରୁ ଖୋଲିବ କେରଳର ସାବରିମାଲା ମନ୍ଦିର । ଆସନ୍ତା କାଲିଠାରୁ ଦର୍ଶନ କରିପାରିବେ ଭକ୍ତ

75

କନକ ବ୍ୟୁରୋ : କରୋନା ମହାମାରୀର ଦ୍ୱିତୀୟ ଲହର ବେଳେ ରାଜ୍ୟ ସରକାର ମାନଙ୍କ ପକ୍ଷରୁ ରାଜ୍ୟମାନଙ୍କରେ ଥିବା ଛୋଟ ବଡ ଧାର୍ମିକ ପୀଠକୁ ବନ୍ଦ ରଖା ଯାଇଥିଲା । ଏବେ କରୋନା ସଂକ୍ରମଣ କମିଥିବାରୁ ପୁଣି ଧାର୍ମିକ ପୀଠ ଗୁଡିକୁ ଖୋଲିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି କ୍ରମରେ କେରଳର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶୁକ୍ରବାର ଅପରାହ୍ନ ଠାରୁ ଖୋଲାଯିବ ବୋଲି କୁହାଯାଇଛି । ହେଲେ ଆସନ୍ତା କାଲିଠାରୁ ସର୍ବସାଧାରଣ ଦର୍ଶନ କରିପାରିବେ ।

କୁହାଯାଇଛି କି ମାଲାୟଲମ୍ ମାସ କାରକିଦକମ୍ ଉପଲକ୍ଷେ ମନ୍ଦିରରେ କିଛି ସ୍ୱତନ୍ତ୍ର ପୂଜା ପାଇଁ ଖୋଲା ଯାଇଛି । ଅନ୍ୟପଟେ ସାବରିମାଲା ମନ୍ଦିର ପରିଚାଳନା କରୁଥିବା ‘ଟାୱାଙ୍କୋର ଦେବସ୍ୱମ୍ ବୋର୍ଡ’ (ଟିଡିପି) ପକ୍ଷରୁ ମନ୍ଦିରରେ ସାଧାରଣ ଦର୍ଶନ ନିମନ୍ତେ କିଛି କଟକଣା ଜାରି କରାଯାଇଛି । ବୋର୍ଡ ପକ୍ଷରୁ କୁହାଯାଇଛି କି ମନ୍ଦିର ଦର୍ଶନରେ ଆସୁଥିବା ତୀର୍ଥଯାତ୍ରୀମାନେ ନିଜ ସାଙ୍ଗରେ କୋଭିଡ ଟିକା ପ୍ରମାଣପତ୍ର କିମ୍ବା ୪୮ ଘଂଟା ମଧ୍ୟରେ କରାଯାଇଥିବା ଆରଟି-ପିସିଆର ଟେଷ୍ଟ ରିପୋର୍ଟ ଆଣିବାକୁ ପଡିବ । ନଚେତ ସେମାନଙ୍କୁ ମନ୍ଦିର ପ୍ରବେଶର ସୁଯୋଗ ମିଳିବ ନାହିଁ । ଏହାସହ ମନ୍ଦିର ଦର୍ଶନ ପାଇଁ ଅନଲାଇନ ପେର୍ଟାଲ ମାଧ୍ୟମରେ ବୁକିଂ କରିଥିବା ଆବଶ୍ୟକ । ଏହାସହ ଦୈନିକ ସର୍ବାଧିକ ୫ ହଜାର ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ମିଳିବ ବୋଲି ବୋର୍ଡ ସ୍ପଷ୍ଟ କରିଛି ।

କହିରଖୁ କି, ଅନ୍ୟ ରାଜ୍ୟମାନଙ୍କ ତୁଳନାରେ କେରଳରେ କରୋନା ସଂକ୍ରମଣ ଏବେବି ଉଦବେଗଜନକ ସ୍ଥିତିରେ ରହିଛି । ରାଜ୍ୟରେ ଦୈନିକ ସଂକ୍ରମଣ ୯ ହଜାର ଉପରେ ଥିବା ବେଳେ ‘ଜିକା’ ଭୂତାଣୁ ସଂକ୍ରମଣ ବି ବୃଦ୍ଧି ପାଇଛି ।