ହମାସ-ଇସ୍ରାଇଲ ଯୁଦ୍ଧ ବନ୍ଦ ନେଇ ଜାତିସଂଘରେ ପ୍ରସ୍ତାବ ପାରିତ: ଭୋଟିଂରୁ ଦୂରେଇ ରହିଲେ ଭାରତ ସମେତ ୪୫ ଦେଶ

831

କନକ ବ୍ୟୁରୋ: ହମାସ-ଇସ୍ରାଇଲ ଯୁଦ୍ଧ ବନ୍ଦ ନେଇ ଜାତିସଂଘରେ ପ୍ରସ୍ତାବ ପାରିତ ହୋଇଛି । କିନ୍ତୁ ଭାରତ ଏହି ପ୍ରସଙ୍ଗରେ ଭୋଟ ଦେବାରୁ ନିବୃତ ରହିଛି । ଜାତିସଂଘରେ ଥିବା ମୋଟ ୧୯୩ ଦେଶ ମଧ୍ୟରୁ ୧୨୦ ଦେଶ ଯୁଦ୍ଧ ବନ୍ଦ ଉପରେ ମତଦାନ କରିଥିବା ବେଳେ ୧୪ ଦେଶ ଏହା ବିରୋଧରେ ଭୋଟ ଦେଇଛନ୍ତି । ଭାରତ ସମେତ ୪୫ ଦେଶ ଭୋଟ ଦେବାରୁ ନିବୃତ ରହିଛନ୍ତି । ସେପଟେ ଭାରତ ସରକାରଙ୍କ ଆଭିମୁଖ୍ୟ ଉପରେ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି ।

ଆତଙ୍କୀ ସଂଗଠନ ହମାସର ବର୍ବରକାଣ୍ଡ ପରେ ଗାଜା ଉପରେ ପାଲଟା ଆକ୍ରମଣ ଚଳାଇଛି ଇସ୍ରାଏଲ । ଏଥିରେ ଗାଜା ଛାରଖାର ହେବାକୁ ବସିଲାଣି । ଗାଜାରେ ୭ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଏଠାରେ ଏକ ବଡ଼ ମାନବୀୟ ସଙ୍କଟ ସୃଷ୍ଟି ହୋଇଛି । ଅନ୍ୟପଟେ ଗାଜାରେ ସ୍ଥଳଭାଗରେ ଅଭିଯାନ ବା ଗ୍ରାଉଣ୍ଡ ଅପରେସନ ପାଇଁ ଇସ୍ରାଏଲ ସେନା ପ୍ରସ୍ତୁତ ହେଉଛି । ଯୁଦ୍ଧ ବଢ଼ିଚାଲିଥିବା ବେଳେ ଶାନ୍ତି ପାଇଁ ମିଳିତ ଜାତିସଂଘରେ ପ୍ରୟାସ ଆରମ୍ଭ ହୋଇଛି । ଜାତିସଂଘର ସାଧାରଣ ପରିଷଦରେ ଏକ ସଂକଳ୍ପ ପାରିତ ହୋଇଛି । ଗାଜାକୁ ମାନବୀୟ ସହାୟତା ଦାବି କରି ଏହି ସଂକଳ୍ପ ଅଣାଯାଇଥିଲା । ହେଲେ ଯେଉଁ ସଂକଳ୍ପପତ୍ର ପ୍ରସ୍ତୁତ ହୋଇଥିଲା, ଏଥିରେ କିଛି ବଡ଼ ତ୍ରୁଟି ରହିଥିବା ଦେଖିବାକୁ ମିଳିଛି । ଫଳରେ ଏନେଇ ଭୋଟିଂ ବେଳେ ଭାଗ ନେଇନଥିଲା ଭାରତ ।

ଗାଜା ସମ୍ପର୍କିତ ଯେଉଁ ସଂକଳ୍ପପତ୍ର ଅଣାଯାଇଥିଲା, ଏହାକୁ ଆଗତ କରିିଥିଲା ଜୋର୍ଡାନ, ଆଉ ଏହାକୁ ସମର୍ଥନ କରିଥିଲା ଆମେରିକା । ଏଥିରେ ଯୁଦ୍ଧବିରତି ପାଇଁ ଦାବି କରାଯାଇଥିଲା, ଫଳରେ ଗାଜାକୁ ମାନବୀୟ ସହାୟତା ପହଂଚି ପାରିବ । ଖାଦ୍ୟ, ପାନୀୟ, ଇନ୍ଧନ ଓ ଔଷଧ ପରି ଅତ୍ୟାବଶ୍ୟକ ଜିନିଷ ଗାଜାରେ ସହଜରେ ପହଂଚି ପାରିବ । ହେଲେ ଏଥିରେ ହମାସର ଆତଙ୍କୀ ଆକ୍ରମଣ ବିଷୟରେ କିଛି ଲେଖାଯାଇନଥିଲା । ଅବଶ୍ୟ ପରେ ଆମେରିକା ଏଥିରେ ସଂଶୋଧନ ଆଣି ହମାସର ଘୃଣ୍ୟ କାର୍ଯ୍ୟକୁ ନିନ୍ଦା କରିବା ବିଷୟରେ ଉଲ୍ଲେଖ ପାଇଁ ଦାବି ଉଠାଇଥିଲା । ଆଉ ଏହା ହିଁ ବିବାଦର ମୂଳ କାରଣ ଥିଲା । ଫଳରେ ଏହି ସଂକଳ୍ପ ନେଇ ଯେତେବେଳେ ଭୋଟିଂ ହେଲା, ଭାରତ ଦୂରେଇ ରହିଲା । ଭାରତ ଦୂରେଇ ରହିବାର କାରଣ ମଧ୍ୟ ସ୍ପଷ୍ଟ କରିଛି । ଆତଙ୍କବାଦ ବିଷୟରେ ସଂକଳ୍ପପତ୍ର ଲେଖା ନଯିବା ବିଷୟରେ ଇସାରାରେ ସୂଚାଇ ଦେଇଛି ଭାରତ । ଅକ୍ଟୋବର ୭ରେ ହମାସ୍ ଇସ୍ରାଏଲରେ ଯେଉଁ ବର୍ବରକାଣ୍ଡ ଘଟାଇଲା, ତାହା ଅତି ଜଘନ୍ୟ ଓ ଘୃଣ୍ୟ, ତେଣୁ ଏହାକୁ ଯେତେ ନିନ୍ଦା କରାଗଲେ ବି କମ୍ ହେବ ବୋଲି କହିଛି ଭାରତ । ଏହାସହ ହମାସ୍ ପଣବନ୍ଦୀମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ଭାରତ ଦାବି କରିଛି ।

ଭାରତ ପୁଣି ଥରେ ସାରା ବିଶ୍ୱକୁ ଆତଙ୍କବାଦର ଭୟାବହତା ବିଷୟରେ ସୂଚାଇ ଦେଇଛି । ଆତଙ୍କବାଦ ପ୍ରତି ଆଖିବୁଜି ଅଣଦେଖା କରିବା ଯେ କେତେବଡ଼ ଭୁଲ, ତାହା ବିଶ୍ୱ ହୃଦୟଙ୍ଗମ କରିବା ଆବଶ୍ୟକ । ଆତଙ୍କବାଦର କୌଣସି ଜାତି, ଦେଶ କିମ୍ବା ସୀମା ନାହିଁ । କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ପଛରେ କୌଣସି ପ୍ରକାର ଯୁକ୍ତିକୁ ବିଶ୍ୱ ଗ୍ରହଣ କରିବା ଉଚିତ୍ ନୁହେଁ ବୋଲି ଭାରତ ଦୃଢ଼ କଣ୍ଠରେ କହିଛି । ଏହାସହ ଉତେଜନା କମାଇ ଶାନ୍ତି ଆଲୋଚନା ରାସ୍ତା ପ୍ରସ୍ତୁତ କରାଯିବା ଜରୁରୀ ବୋଲି ଭାରତ କହିଛି ।

ତେବେ ଏହି ସଂକଳ୍ପପତ୍ର ସାଧାରଣ ପରିଷଦରେ ଗୃହୀତ ହୋଇଛି । ଜାତିସଂଘ ସାଧାରଣ ପରିଷଦରେ ୧୯୩ ସଦସ୍ୟ ଥିବା ବେଳେ ସଂକଳ୍ପପତ୍ର ସପକ୍ଷରେ ୧୨୦ଟି ଦେଶ ଭୋଟ ଦେଇଥିଲେ । ରୁଷ୍, ଦକ୍ଷିଣ ଆଫ୍ରିକା, ମାଳଦୀପ, ପାକିସ୍ତାନ ଓ ବାଂଲାଦେଶ ପରି ଦେଶ ଏହାକୁ ସମର୍ଥନ କରିଥିଲେ । ୧୪ଟି ଦେଶ ସଂକଳ୍ପପତ୍ରକୁ ବିରୋଧ କରିଥିଲେ । ୪୫ଟି ଦେଶ ଭୋଟିଂରୁ ଦୂରେଇ ରହିଥିଲେ । ଭାରତ ସହ ଅଷ୍ଟ୍ରେଲିଆ, କାନାଡ଼ା, ଜର୍ମାନୀ, ଜାପାନ, ୟୁକ୍ରେନ ଓ ବ୍ରିଟେନ ଭୋଟିଂରେ ଭାଗ ନେଇନଥିଲେ । ସେପଟେ ଜାତିସଂଘକୁ ଦୃଢ଼ କଣ୍ଠରେ ସମାଲୋଚନା କରିଛି ଇସ୍ରାଏଲ । ଆତଙ୍କବାଦକୁ ଏକ ସ୍ୱରରେ ସମାଲୋଚନା କରିବାରେ ଜାତିସଂଘ ବିଫଳ ହୋଇଛି, ଆଉ ଏପରି କରି ଜାତିସଂଘ ନିଜ କର୍ତବ୍ୟ ଠିକ୍ ଭାବେ କରୁ ନାହିଁ ବୋଲି ଇସ୍ରାଏଲ ରୋକଠୋକ ଭାବେ କହିଛି ।

ଯୁଦ୍ଧ ୩ ସପ୍ତାହ ଟପିସାରିଥିବା ବେଳେ ଲଢ଼େଇ ଭୟଙ୍କର ରୂପ ନେଇଛି । ଗାଜାରେ ପ୍ରଚଣ୍ଡ ବିମାନ ଆକ୍ରମଣ କରୁଛି ଇସ୍ରାଏଲ । ହମାସ୍ ପକ୍ଷରୁ ମଧ୍ୟ ଇସ୍ରାଏଲ ଉପରେ ରକେଟ ମାଡ଼ ହେଉଛି । ଇସ୍ରାଏଲ ଆକ୍ରମଣରେ ହମାସର ୫ରୁ ଅଧିକ ପ୍ରମୁଖ କମାଣ୍ଡର ନିପାତ ହୋଇଛନ୍ତି ।