ତାଲାବନ୍ଦ, ମିଳୁନି କାମ । ବଢ଼ୁଛି ଶ୍ରମିକଙ୍କ ଦୁଃଖ, ବ୍ରହ୍ମପୁରରୁ ଚାଲି ଚାଲି ବଲାଙ୍ଗିର ଓ ବରଗଡ଼କୁ ଯିବାକୁ ଅଣ୍ଟା ଭିଡିଲେ ୮୧ ଜଣ ଶ୍ରମିକ, ୩୦୦ କିଲୋମିଟର ବାଟ ଚାଲିବାକୁ ବାହାରିଲେ ଶିଶୁ ଓ ଗର୍ଭବତୀ ମହିଳା ।

443

କନକ ବ୍ୟୁରୋ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଥମ ଲକଡ଼ାଉନ୍ ଘୋଷଣାର ଶେଷ ସମୟ ବେଳକୁ ଶ୍ରମିକଙ୍କ ମନରେ କ୍ଷୀଣ ଆଶାଟିଏ ଥିଲା । ପୁଣି ସବୁ କିଛି ଠିକ୍ ଠାକ୍ ହେବ କାମଧନ୍ଦା ସ୍ୱାଭାବିକ ହେବ । ହେଲେ ପ୍ରଥମ ଲକ୍ ଡ଼ାଉନ୍ ନସରୁଣୁ ପୁଣି ଦ୍ୱିତିୟ ଲକ୍ ଡ଼ାଉନ୍ ଘୋଷଣା କଲେ ସରକାର । ଏହି ଘୋଷଣା ଶ୍ରମିକଙ୍କ ଆଶା ମରି ଯିବା ପରେ ଜୀବନ ବଂଚାଇ ଘର ବାହୁଡା ନିଷ୍ପତି ନେଇଛନ୍ତି ଏହି ବଲାଙ୍ଗୀର ଓ ବରଗଡର ଶ୍ରମିକମାନେ ।

ତାଲାବନ୍ଦରେ ଫସି ରହିଥିବା ଜୀବନରୁ ମୁକ୍ତି ପାଇଁ ବାହାରିଛନ୍ତି ଦାଦନ ଶ୍ରମିକ । ଲକ ଡାଉନ ଯୋଗୁଁ ହାତରେ କାମ ନାହିଁ, କି ପାଖରେ ପଇସା ନାହିଁ । ତେଣୁ କର୍ମକ୍ଷେତ୍ର ଛାଡି ଭିଟାମାଟିକୁ ଫେରିବା ପାଇଁ ନିଷ୍ପତି ନେଇଛନ୍ତି ଏମାନେ । ପିଲାଛୁଆଙ୍କୁ ଧରି ପାଦରେ ଚାଲି ଚାଲି ବ୍ରହ୍ମପୁରରୁ ବାହାରିଛନ୍ତି ବଲାଙ୍ଗିରର ୬୦ ଜଣ ଓ ବରଗଡର ୨୧ ଜଣ ଦାଦନ ଶ୍ରମିକ । ସବୁଠାରୁ ଚିନ୍ତାଜନକ କଥା ହେଉଛି ଏହି ୮୧ ଜଣିଆ ଦାଦନ ଶ୍ରମିକଙ୍କ ମଧ୍ୟରେ ୨୧ ଜଣ ଶିଶୁ ଓ ଜଣେ ଗର୍ଭବତୀ ମହିଳା ରହିଛନ୍ତି ।

ଦେହରେ ବଳ ନଥିଲେ ବି ଲକ୍ଷ୍ୟ ପୂରଣ ପାଇଁ ଆଗକୁ ଆଗକୁ ବଢୁଛନ୍ତି ଦାଦନ ଶ୍ରମିକ । ଶହଶହ କିଲୋମିଟର ରାସ୍ତା ଚାଲିବା ପାଇଁ ବୁଧବାର ରାତି ବାହାରିଥିଲେ ଏମାନେ । ବ୍ରହ୍ମପୁରରୁ ବଲାଙ୍ଗୀରର ଦୂରତା ୨୮୫ କିଲୋମିଟର ହୋଇଥିବା ବେଳେ ବ୍ରହ୍ମପୁରରୁ ବରଗଡର ଦୂରତା ପ୍ରାୟ ୩ ୫୫ କିଲୋମିଟର । ଏସବୁ ରାସ୍ତାକୁ ଅତିକ୍ରମ କରି ଘରକୁ ବାହୁଡି ଯାଉଥିବା ଶ୍ରମିକଙ୍କୁ ଭଂଜନଗର ଏନଏସି କର୍ତୃପକ୍ଷ ଉଦ୍ଧାର କରିଛନ୍ତି । ପ୍ରଶାସନ ପକ୍ଷରୁ ସେମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା ହୋଇଥିବା ବେଳେ କିଛି ସ୍ୱାଚ୍ଛାସେବୀ ସଂଗଠନର ସଦସ୍ୟମାନେ ମାସ୍କ ବଂଟନ କରିଛନ୍ତି ।

ତେବେ ପ୍ରଶାସନ ସେମାନଙ୍କ ଘରକୁ ଫେରିବା ପାଇଁ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ଦାଦନ ଶ୍ରମିକମାନେ । ଏକ ସ୍ୱତନ୍ତ୍ର ଗାଡିରେ ଘରକୁ ପଠା ଯାଉ ନଚେତ୍ ଭଂଜନଗର ସହରର କୌଣସି ଏକ ସ୍ଥାନରେ ରହିବା ପାଇଁ ବ୍ୟବସ୍ଥା କରାଯାଉ ବୋଲି ଦାବି ହୋଇଛି ।