ପୋଲିସ ଗାଡିରେ ସାଇରନ ନୁହେଁ କୁଆଁ କୁଆଁ ଶୁଭିଲା, ପ୍ରସୂତିଙ୍କ ପାଇଁ ପିସିଆର ଭ୍ୟାନ ଲେବର ରୁମ୍ ପାଲଟିଲା । ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କୁ ହସ୍ପିଟାଲ ନେଇଥିବାରୁ ଆଇଆଇସି ସାବିତ୍ରୀଙ୍କୁ ସାବାସୀ ଦେଲେ ପୋଲିସ ଡିଜି ।

937

କନକ ବ୍ୟୁରୋ: ପୋଲିସ ଗାଡିରେ କୁଆଁ କୁଆଁ । ଲେବର ରୁମ୍ ପାଲଟିଲା ପିସିଆର ଭ୍ୟାନ । ପ୍ରସବ ବେଦନା ଅଧିକ ହେବାରୁ ପୋଲିସ ଗାଡିରେ ପିଲା ଜନ୍ମ କଲେ ଗର୍ଭବତୀ ମହିଳା । ହସ୍ପିଟାଲ ନେବା ବାଟରେ ଅସହ୍ୟ ଗର୍ଭ ଯନ୍ତ୍ରଣା ଛଟପଟ ହେଉଥିବା ମହିଳା ପୋଲିସ ଗାଡିରେ ହିଁ ଶିଶୁକୁ ନୂଆ ଦୁନିଆ ଦେଖାଇଥିଲେ । ଏଭଳି ଖବର ଆସିଛି ଝାରସୁଗୁଡା ଜିଲ୍ଲାରୁ ।

ତେବେ ପ୍ରବାସୀଙ୍କୁ ନେଇ ଯାଉଥିବା ଏକ ଶ୍ରମିକ ଟ୍ରେନରେ ଅପରାହ୍ଣରେ ଜଣେ ମହିଳା ପ୍ରସବ ବେଦନା ଭୋଗିଥିଲେ । ଅଧିକ ଯନ୍ତ୍ରଣା ହେବାରୁ ଟ୍ରେନ ଅଟକାଇ ତାଙ୍କୁ ସ୍ଥାନୀୟ ହସ୍ପିଟାଲ ଆଣିଥିଲା ପୋଲିସ । ଆଇଆଇସି ସାବିତ୍ରୀ ବଳ ଗର୍ଭବତୀଙ୍କୁ ହସ୍ପିଟାଲ ନେବା ବାଟରେ ପିସିଆର ଭ୍ୟାନରେ ତାଙ୍କର ପିଲାଜନ୍ମ ହୋଇଥିଲା । ଆଉ ପରେ ଉଭୟ ମାଆ ଓ ଶିଶୁ ଝାରସୁଗୁଡା ଜିଲ୍ଲା ହସ୍ପିଟାଲରେ ସୁସ୍ଥ ଥିବା ଖୋଦ ପୋଲିସ ଡିଜି ଟ୍ୱିଟ କରି ସୂଚନା ଦେଇଛନ୍ତି ।

ପୋଲିସ ଷ୍ଟେସନକୁ ମାମୁଘର ଆଉ ପୋଲିସକୁ ମାମୁ ମାମୁ କହି ଅନେକ ଲୋକ କଟାକ୍ଷ କରିବାର ନଜିର ରହିଛି । ହେଲେ କଟାକ୍ଷ ସାଜୁଥିବା ମାମୁ ଆଜି ସତସତିକା ମାମୁର କର୍ତ୍ତବ୍ୟ କରିଛି । ଯେତେବେଳେ ମହିଳା ଜଣଙ୍କ ଗର୍ଭ ଯନ୍ତ୍ରଣାରେ ଚିକ୍ରାର କରୁଥିଲେ ଠିକ ସେତିକିବେଳେ ଆମ୍ବୁଲାନ୍ସକୁ ଅପେକ୍ଷା ନକରି ନିଜ ଗାଡିରେ ମେଡିକାଲ ନେଇଥିଲା ପୋଲିସ । ହୁଏତ ନୂଆ ଜୀବନ ପାଇଥିବା କଅଁଳ କଢିକୁ ବଡ ହେବା ପରେ ତା ମାଆ କହିବ ତୁ ମେଡିକାଲରେ ନୁହେଁ, ତୁ ଜନ୍ମହେଇଥିଲୁ ପୋଲିସ ମାମୁ ଗାଡିରେ…

ସେପଟେ ଆଉ ଏକ ଚିତ୍ର ମଣିଷପଣିଆର ମୂଲ୍ୟବୋଧ ବୁଝାଇ ଦେଇଛି । ଚଳନ୍ତା ଟ୍ରେନରେ ଯେତେବେଳେ ଜଣେ ମହିଳା ପ୍ରସବ କଷ୍ଟ ଭୋଗୁଥିଲେ ଠିକ ସେତିକିବେଳେ ଶ୍ରମିକ ଏକ୍ସପ୍ରେସରେ ଆସୁଥିବା ତାଙ୍କ ସହଯାତ୍ରୀ ନବଜାତକୁ ନୂଆ ଦୁନିଆ ଦେଖାଇବାରେ ସହଯୋଗ କରିଥିଲେ । ବେଙ୍ଗାଲୁରୁରୁ ଦୀର୍ଘ ୨ ଦିନ ଯାତ୍ରା କରି ଆସିବା ବେଳେ ଗର୍ଭବତୀ ଚଳନ୍ତା ଟ୍ରେନରେ ପିଲାଜନ୍ମ କରିଥିଲେ ଆଉ ଟ୍ରେନରେ ଡାକ୍ତର ନଥିବାରୁ ତାଙ୍କୁ ସହଯାତ୍ରୀ ସହଯୋଗ କରିଥିଲେ । ଯାହା ସଂକ୍ରମଣ ବେଳେ ସନ୍ଦେହ ନୁହେଁ ସଂପର୍କର ସଜ୍ଞାକୁ ମଜବୁତ୍ କରିଛି ।