କନକ ବ୍ୟୁରୋ: କୁହାଯାଏ ଜଗନ୍ନାଥଙ୍କ ସେବାର ସୁଯୋଗ ଭାଗ୍ୟରେ ଥିଲେ ମିଳେ। ଏମିତି ଜଣେ ସେବକ ଖୋର୍ଦ୍ଧା ବୋଲଗଡ଼ ବ୍ଲକ ଗୋପାଳପୁର ପଞ୍ଚାୟତ ଦେଉଳି ଗାଁର ଯୋଗୀ ମୁଦୁଲି। ଦୀର୍ଘ ବର୍ଷ ହେବ ଶ୍ରୀମନ୍ଦିରକୁ ଯୋଗାଇ ଆସୁଛନ୍ତି ମାଟି କୋଡୁଆ।

Advertisment

ବୁଲୁଛି ଚକ, ଗଢ଼ା ଚାଲିଛି କୋଡୁଆ। ପୁରା ପରିବାର ଲାଗି ପଡିଛନ୍ତି କାମରେ। କିଏ ମାଟି ଚକଟୁଛି ତ କିଏ ଚକ ବୁଲାଇଛି। ଏହି କୋଡୁଆକୁ ପୂର୍ଣ୍ଣ ରୂପ ଦେଇ ଚାଲିଛନ୍ତି ୭୫ ବର୍ଷୀୟ ଯୋଗୀ ମୁଦୁଲି। ବୟସର ଅପରାହ୍ନରେ ଖୁବ୍ ଚଳଚଞ୍ଚଳ ତାଙ୍କ ହାତ। ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ ସହ ମହାପ୍ରସାଦ ପାଇଁ ବ୍ୟାକୁଳ ହୁଏ ଭକ୍ତ । ଭକ୍ତଙ୍କ ପାଖରେ ଭଗବାନଙ୍କ ପ୍ରସାଦ ପହଂଚିବା ପାଇଁ ଆବଶ୍ୟକ ହେଉଥିବା ମାଟି କୋଡୁଆ ଯୋଗାଇ ଆସୁଛନ୍ତି କୋଡୁଆ ସେବକ ଖୋର୍ଦ୍ଧା ଦେଉଳିର ଯୋଗୀ ମୁଦୁଲି ।

ମହାପ୍ରଭୁଙ୍କ ମହାପ୍ରସାଦ ପାଇଁ ବିଭିନ୍ନ ପ୍ରକାର କୋଡୁଆ ବନାଯାଏ। ବଡ଼ମଠ କୋଡୁଆ, ସାନମଠ କୋଡୁଆ, ଦାସିଆ, ନମ୍ବରି, ହାଣ୍ଡି, ବାଇହାଣ୍ଡି, ସମାଜି ହାଣ୍ଡି, ଢ଼ଡା ଆଦି ବନାଇଥାନ୍ତି ଯୋଗୀ। ଯୋଗୀ ମଉସା ନିଜେ ଗଢ଼ିବା ସହ ଅନ୍ୟମାନଙ୍କୁ ମଧ୍ୟ ପ୍ରଶିକ୍ଷଣ ଦେଇଥାନ୍ତି। କୋଡୁଆ ପ୍ରସ୍ତୁତ କରି ମହାପ୍ରଭୁଙ୍କ ଡାକକୁ ଅନୁଭବ କରିଛନ୍ତି। ଏ ପିଣ୍ଡରେ ପ୍ରାଣଥିବା ଯାଏଁ, କୋଡୁଆ ସେବାରେ ନିଜକୁ ନିୟୋଜିତ କରିବେ ବୋଲି କହିଛନ୍ତି ଯୋଗୀ।

କୋଡୁଆ ପ୍ରସ୍ତୁତ ପରେ ଯୋଗୀଙ୍କ ପୁଅ ଗାଡ଼ିରେ ଶ୍ରୀମନ୍ଦିରକୁ ନେଇ ଯାଆନ୍ତି। ସପ୍ତାହକୁ ୨ରୁ ୩ ଥର ପଠାଉଥିବା କହିଛନ୍ତି । ରଥ ସମୟରେ ସବୁଦିନ ଯୋଗାଇବାକୁ ଶ୍ରୀମନ୍ଦିର ପ୍ରଶାସନ କହୁଥିବା ବେଳେ ଏତେ ସଂଖ୍ୟକ ଯୋଗାଇବା ସମ୍ଭବ ହେଇନାହିଁ ।