କନକ ବ୍ୟୁରୋ : ବିଧାନସଭାରେ ବେଆଇନ ଆପାର୍ଟମେଣ୍ଟ ପ୍ରସଙ୍ଗ ଉଠିବା ପରେ ବିଭିନ୍ନ ସ୍ଥାନରେ କୋଟି କୋଟି ଟଙ୍କା ଦେଇ ଆପାର୍ଟମେଣ୍ଟରେ ଘର କିଣିଥିବା ଲୋକଙ୍କ ମନରେ ଛନକା ପଶିଛି। କଂଗ୍ରେସ ବିଧାୟକ ତାରା ପ୍ରସାଦଙ୍କ ବେଆଇନ ଆପାର୍ଟମେଣ୍ଟ ପ୍ରଶ୍ନର ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସଠିକ୍ ଉତ୍ତର ରଖିନାହାନ୍ତି।
ତାରାଙ୍କ ସିଧା ପ୍ରଶ୍ନ, ଭୁବନେଶ୍ବରରେ ବେଆଇନ ଆପାର୍ଟମେଣ୍ଟ ସଂଖ୍ୟା କେତେ?
ମନ୍ତ୍ରୀଙ୍କ ବଙ୍କା ଉତ୍ତର, ରାଜଧାନୀରେ ବେଆଇନ ଆପାର୍ଟମେଣ୍ଟ ବିରୋଧରେ ୬୮୯ ମାମଲା ଦାୟର
ଏବେ ପ୍ରଶ୍ନ ଉଠୁଛି,
ରାଜଧାନୀରେ କେତେ ବେଆଇନ ଆପାର୍ଟମେଣ୍ଟ ରହିଛି?
ବେଆଇନ ଆପାର୍ଟମେଣ୍ଟ ପାଇଁ ଅନୁମତି ଦେଲା କିଏ?
ବିଏମସି ନା ବିଡିଏ କିଏ ଏଥିପାଇଁ ଉତ୍ତରଦାୟୀ?
ଅନୁମତି ଦେଇଥିବା ଅଧିକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ କେବେ?
କାହା ଆଶୀର୍ବାଦରେ ଖୁଲମଖୁଲା ବେଆଇନ ଆପାର୍ଟମେଣ୍ଟ ନିର୍ମାଣ କରୁଛନ୍ତି ବିଲଡର?
ବେଆଇନ ଆପାର୍ଟମେଣ୍ଟ ଉପରେ ବୁଲଡୋଜର ଚଲାଇବେ କି ମୋହନ ସରକାର?
ଏସବୁ ଭିତରେ ମେୟର କହୁଛନ୍ତି ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିଲେ କ୍ଷତିପୂରଣ ଦେବାକୁ ବିଏମସି ପାଖରେ ଅର୍ଥ ନାହିଁ। ଏବେ ଚର୍ଚ୍ଚା ହେଉଛି, ସରକାର ବଦଳିବା ପରେ ବଦଳି ଗଲା କି ମେୟରଙ୍କ ଭାଷା?ଦୋଷ ଠେଲାଠେଲି ଭିତରେ ଏବେ ବି ରାଜଧାନୀର ଅନେକ ସ୍ଥାନରେ ବେଆଇନ ଆପାର୍ଟମେଣ୍ଟ ନିର୍ମାଣ ଜାରି ରହିଛି। ରାଜଧାନୀରେ ଜମି ଠକେଇ ଭଳି ଏବେ ବେଆଇନ ଆପାର୍ଟମେଣ୍ଟର ଫାଶରେ ପଡୁଛନ୍ତି ଅନେକ ଉପଭୋକ୍ତା। ତେଣୁ
ଆପାର୍ଟମେଣ୍ଟରେ ଫ୍ଲାଟ କିଣିବା ପୂର୍ବରୁ ଧ୍ୟାନ ଦିଅନ୍ତୁ:
ଅଗ୍ନି ନିରାପତ୍ତା, ଅକୁପାନ୍ସି ଓ ପ୍ଲାନ ଆପ୍ରୁଭାଲ ସାର୍ଟିଫିକେଟ ଅଛି କି ନାହିଁ ତାହାର ଯାଞ୍ଚ କରନ୍ତୁ
ଓରେରା ପଞ୍ଜିକରଣ ହୋଇଛି କି ନାହିଁ ତାହା ଜାଣିବା ଆବଶ୍ୟକ
ଜମିର ମାଲିକାନାସତ୍ତ୍ବରେ କେଁ ଅଛି କି ନାହିଁ ତାହା ଦେଖିବା ଗୁରୁତ୍ବପୂର୍ଣ୍ଣ
ରାଜଧାନୀରେ ଛତୁ ଫୁଟିଲା ଭଳି ଛିଡା ହେଉଛି ଆପାର୍ଟମେଣ୍ଟ। କିନ୍ତୁ ସରକାରଙ୍କ ପାଖରେ ଏନେଇ ସ୍ପଷ୍ଟ ତଥ୍ୟ ନାହିଁ। ବର୍ତ୍ତମାନ ଯଦି ସରକାର ଏହା ଉପରେ ଅଙ୍କୁଶ ନଲଗାନ୍ତି ତେବେ ଭବିଷ୍ୟତରେ ଏହିସବୁ ବେଆଇନ ଆପାର୍ଟମେଣ୍ଟ ସହର ପାଇଁ ସମସ୍ୟା ସୃଷ୍ଟି କରିବ।
ଭୁବନେଶ୍ୱରରେ ରହିଛି ୬ଶହରୁ ଅଧିକ ବେଆଇନ ଆପର୍ଟମେଣ୍ଟ । ବିଧାନସଭାରେ ମନ୍ତ୍ରୀ ଉତ୍ତର ରଖିବା ପରେ ରାଜଧାନୀରେ ହଇଚଇ
/kanak/media/post_attachments/wp-content/uploads/2024/07/31-22.jpg)