ପଞ୍ଜୀକରଣ ବିନା ଓଡିଶା ମନା । ବିନା ପଞ୍ଜୀକରଣରେ ଓଡିଶା ଫେରି ପାରିବେନି ବାହାରେ ଫସିଥିବା ଓଡିଆ । ଆସନ୍ତା ୨୪ରୁ ଆରମ୍ଭ ହେବ ପଞ୍ଜୀକରଣ ପ୍ରକ୍ରିୟା । ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ ?

2,375

କନକ ବ୍ୟୁରୋ: ଲକଡାଉନ ହଟିବା ପରେ ଓଡିଶା ଫେରିବେ ଓଡିଶା ବାହାରେ ଫସିଥିବା ଓଡିଆ । ତାଲାବନ୍ଦ ପାଇଁ ରାଜ୍ୟ ବାହାରେ ଅନେକ ଶ୍ରମିକ ବି ଫସିରହିଛନ୍ତି । ତେଣୁ ଓଡିଶା ବାହାରୁ ଓଡିଆଙ୍କୁ ଆଣିବାକୁ ଅଣ୍ଟା ଭିଡିଲେ ରାଜ୍ୟ ସରକାର । ଲକଡାଉନ ଉଠିବା ପରେ କିଭଳି ପ୍ରବାସୀ ଶ୍ରମିକ ମାନେ ରାଜ୍ୟକୁ ଫେରିବେ ସେଥିପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ରାଜ୍ୟ ସରକାର । ତେବେ ସେମାନେ କିଭଳି ଓଡିଶାକୁ, ନିଜ ଗାଁକୁ ଫେରିବେ ଆଉ ବାହାରୁ ଫେରିବା ପରେ କେଉଁଠି ରହିବେ ସେସବୁର ପୂରା ରୂପରେଖ ପ୍ରସ୍ତୁତ କରିଛନ୍ତି ସରକାର ।

ତେବେ ରାଜ୍ୟ ବାହାରେ ଫସିଥିବା ଓଡିଆଙ୍କ ପାଇଁ ଆରମ୍ଭ ହେବ ଏକ ସ୍ୱତନ୍ତ୍ର ପୋର୍ଟାଲ । ଉକ୍ତ ପୋର୍ଟାଲରେ ନିଜ ସବିଶେଷ ତଥ୍ୟ ଦେଇ ପଞ୍ଜୀକରଣ କରି ପାରିବେ । ପୋର୍ଟାଲରେ ନମ୍ବର ବି ରହିବ । ବାହାରେ ଥିବା ଲୋକ ଏହି ନମ୍ବରରେ ଫୋନ କରି ନିଜ ସମସ୍ୟା ଓ କେଉଁଠି ସେମାନେ ଫସିଛନ୍ତି ତାହା କହିପାରିବେ । ତେବେ ୩ଟି ମାଧ୍ୟମରେ ପୋର୍ଟାଲରେ ପଞ୍ଜୀକରଣ କରିହେବ ।

୧-ବାହାରେ ଫସିଥିବା ବ୍ୟକ୍ତି ନିଜେ ପଞ୍ଜୀକରଣ କରିପାରିବେ
୨-ଅନ୍ୟମାନେ ବି ସେମାନଙ୍କ ପାଇଁ ପଞ୍ଜୀକରଣ କରିପାରିବେ
୩-ନିଜ ସମ୍ପର୍କୀୟ ଲୋକ ବି ଫସିଥିବା ବ୍ୟକ୍ତିଙ୍କ ବାବଦରେ ଏକ ଫର୍ମ ପୂରଣ କରି ପଞ୍ଚାୟତରେ ଦେଇ ପାରିବେ । ପଞ୍ଚାୟତରେ ଥିବା କର୍ମଚାରୀ ଉକ୍ତ ତଥ୍ୟକୁ ପୋର୍ଟାଲରେ ପଞ୍ଜୀକରଣ କରାଇବେ ।

ତେବେ ଆସନ୍ତା ୨୪ ତାରିଖ ଶୁକ୍ରବାରରୁ ବାହାରେ ଥିବା ଓଡିଆଙ୍କ ପାଇଁ ପଞ୍ଜୀକରଣ ଆରମ୍ଭ ହେବ । ସବୁଠାରୁ ବଡ କଥା ହେଉଛି ବିନା ପଞ୍ଜୀକରଣରେ କେହି ଓଡିଶା ଆସି ପାରିବେନି । ପଞ୍ଜୀକରଣ ବିନା ସମସ୍ତଙ୍କୁ ଓଡିଶା ମନା । ତେଣୁ ଘରକୁ ଫେରିବା ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ । ବିନା ପଞ୍ଜୀକରଣରେ ବାହାରୁ ଲୋକଙ୍କୁ ଆଣିବା କଷ୍ଟକର । କାରଣ କେଉଁ ଜାଗାରୁ କେତେ ଲୋକ ଆସିବେ ତାହା ପଞ୍ଜୀକରଣରୁ ଜଣା ପଡିବ । ଆଉ ସରକାର ସେହି ଅନୁସାରେ ବ୍ୟବସ୍ଥା କରିବେ ବୋଲି ସ୍ପଷ୍ଟ କରିଛନ୍ତି ସଚିବ ଦେଓ ରଞ୍ଜନ ସିଂହ ।

ତେବେ ବାହାରେ ଫସିଥିବା ଓଡିଆମାନେ ଆସିବା ପରେ ସେମାନଙ୍କୁ ସିଧା ଗ୍ରାମପଞ୍ଚାୟତ ସ୍ତରରେ ଖୋଲା ଯାଇଥିବା ସ୍ୱାସ୍ଥ୍ୟ ଶିବିରକୁ ନିଆଯିବ । ସେଠାରେ ସେମାନଙ୍କୁ ୧୪ ଦିନ ସଙ୍ଗରୋଧରେ ରଖାଯିବ । ସେମାନଙ୍କର ଖାଇବା, ରହିବା, ଚିକିତ୍ସା ସବୁ ବହନ କରିବେ ସରକାର । କେହି ବି ଜଣେ ବାହାରୁ ଆସିଲେ ଘରକୁ ଯାଇ ପାରିବେନି ।

ସେପଟେ ଗାଁରେ ହୋମ୍ କ୍ୱାରେଣ୍ଟାଇନ ମନା । ବାହାରୁ ଆସିବା ପରେ କେହି ବି ଜଣେ ନିଜ ଘରେ ସଙ୍ଗରୋଧରେ ରହି ପାରିବେନି । ସମସ୍ତେ ପଞ୍ଚାୟତରେ ଖୋଲାଯାଇଥିବା କ୍ୱାରେଣ୍ଟାଇନ କେନ୍ଦ୍ରର ୧୪ ଦିନ ପାଇଁ ରହିବେ । ତେବେ ବାହାରୁ ପ୍ରାୟ ୫ ଲକ୍ଷ ଲୋକ ଫେରିବା ଅନୁମାନ କରୁଛନ୍ତି ସରକାର । ଗଞ୍ଜାମ ଓ କେନ୍ଦ୍ରାପଡାରେ ଅନେକ ଲୋକ ଫେରିବା ଅନୁମାନ କରାଯାଉଛି । ତେଣୁ ଯେଉଁଠି ଅଧିକ ଲୋକ ହେବେ ସେହି ପଞ୍ଚାୟତରେ ଅଧିକ ସଂଖ୍ୟକ ବେଡ୍ ପ୍ରସ୍ତୁତ ପାଇଁ ଯୋଜନା କରୁଛନ୍ତି ସରକାର ବୋଲି ସଚିବ ଦେଓ ରଞ୍ଜନ ସିଂହ କହିଛନ୍ତି ।