ଭାଙ୍ଗି ଯାଇଛି ଘର, ଉଡିଯାଇଛି ଚାଳ । ଫନୀ ପରେ ବି ମିଳିନି ସହାୟତା, ପିପିଲିକୁ ମାଳ ମାଳ ନେତାମନ୍ତ୍ରୀ ଯାଉଛନ୍ତି । ହେଲେ କାହାରି ଆଖିରେ ପଡୁନି ରବି ମାଷ୍ଟ୍ରେଙ୍କ ଦୁଃଖ…

177

କନକ ବ୍ୟୁରୋ: ପେଟ ପାଇଁ ପାଦ ମାଡେ ପେଡାଲ. ଘାଇ ଘାଇ ଘୁରେ ଚକ । ପରିଣତ ବୟସରେ ପରିବାର ପୋଷିବାକୁ ଛୁଞ୍ଚି ସୂତା ସହ ନିତିଇ ଚାଲେ ସମ୍ପର୍କ ଗଢା । ରଙ୍ଗୀନ ସୂତାରେ ସିନା ସେ ସିଇଁ ଦିଅନ୍ତି ଅନ୍ୟର ପୋଷାକ, ହେଲେ ନିଷ୍ଠୁର ସମୟକୁ ପାରନ୍ତିନି ସିଲେଇ । ପରର ଚିରା ଫଠା ଜାମା ଯୋଡି ଦିଅନ୍ତି କିନ୍ତୁ ଯୋଡି ପାରନ୍ତିନି ନିଜର ଭାଗ୍ୟ । ଏଇ ପୁରୁଣା ମେସିନ, ଭଙ୍ଗା କେବିନରେ ବସି କପଡା ସହ କସରତ କରି ଘର ଚଳାନ୍ତି ଦରିଦ୍ର ଦର୍ଜୀ । କାରଣ ଚକ ନଚାଲିଲେ ପରିବାର ଚଳିବନି, ସିଲେଇ ନକଲେ ଦାନା ମିଳିବନି…

ସେଇଠି କପଡା, ସେଇଠି ମେସିନ, ସେଇଛି ମାଠିଆ, ସେଇଠି ସାଇକେଲ । ଘର ଭାଙ୍ଗିଯାଇଛି, ଛପର ଉଡିଯାଇଛି, ଚାଳ ଉଲୁରି ପଡିଛି । ତଥାପି ସେ ଅସଜଡା ଘରେ କିନ୍ତୁ ଅନ୍ୟର ବେଶ ସଜାଡୁଛନ୍ତି ରବି ମାଷ୍ଟ୍ରେ । ସେ ସାର୍ଟ ହେଉ କି କୁର୍ତ୍ତା, ପାଇଜାମା ହେଉ କି ପ୍ୟାଣ୍ଟ , ତିଆରି କରିବେ ତ ରବି ମାଷ୍ଟ୍ରେ କରିବେ । ତେଣୁ ପୁରୀ ଡେଲାଙ୍ଗ ସୁଜନପୁର ରଙ୍ଗଣୀ ସାହିର ରବିନାରାୟଣ ସାହୁଙ୍କ ଏହି ରାସ୍ତା କଡ କେବିନକୁ କପଡା ଧରି ଆସନ୍ତି ଲୋକେ । ଭଲ କାମ ପାଇଁ ଆଖପାଖ ଅଞ୍ଚଳରେ ରବି ମାଷ୍ଟ୍ରେ ବେଶ୍ ଜଣାଶୁଣା । ଆଉ ହାତ ତିଆରି ପୋଷାକ ପିନ୍ଧିବାକୁ ଲୋକଙ୍କର ବି ଭିଡ ଜମେ । ହେଲେ ଏହି ଭଙ୍ଗା ଘର ପାଇଁ ଏବେ ଧିରେଧିରେ କମିଲାଣି ଲୋକଙ୍କ ଆସିବା ।

ଗତ ଫନୀର ପବନରେ ଭାଙ୍ଗିଯାଇଥିଲା ରବିଙ୍କ ଦୋକାନ ଘର । ଆଉ ୟାରି ଭିତରେ ଫନୀ ଫେରିଯିବାକୁ ୨ ବର୍ଷ ବିତିଲାଣି । କ୍ଷତିଗ୍ରସ୍ତଙ୍କୁ ସହାୟତା ବି ମିଳିଲାଣି । ହେଲେ ରାସ୍ତା ପାଖରେ ଥାଇ ମଧ୍ୟ ସରକାରୀ ବାବୁଙ୍କ ନଜରୁ ଖସିଯାଇଥି ରବିଙ୍କ ପେଟପୋଷା କେନ୍ଦ୍ର । ଘରେ ଚାରି ଚାରିଟି ପ୍ରାଣୀ । ଯାହା ଏଉଠୁ ରୋଜଗାର ହୁଏ ସେଥିରେ ସମସ୍ତଙ୍କ ପାଇଁ ତେଲ, ଲୁଣ ଯାଏ । ଅନଲାଇନ ଯୁଗରେ ଲୋକେ ଫ୍ଲିପକାର୍ଡ, ଆମାଜନ, ମିନତ୍ରା ଆଦି ସପିଂ ସାଇଟରୁ ପୋଷାକ କିଣୁଥିଲେ ବି ରବି ମାଷ୍ଟ୍ରେଙ୍କ ହାତ ତିଆରି କପଡାର ନାଁ ଡାକରା ରହିଛି ସ୍ଥାନୀୟ ଅଞ୍ଚଳରେ । ହେବେ ଦୋକାନ ଭାଙ୍ଗିଯାଇଥିବାରୁ ପୋଷାକ ସିଲେଇ ପାଇଁ ଆସୁ ନାହାନ୍ତି ଲୋକେ । ଚାଳ କଣା ଥିବାରୁ କାଳେ ବର୍ଷା ପାଣି, ଧୂଳି ପଶି ପୋଷାକ ନଷ୍ଟ ହେବ ସେ ଆଶଙ୍କାରେ କେହି ବି ଏବେ ମାଷ୍ଟ୍ରେଙ୍କ କେବିନ ମାଡୁନାହାନ୍ତି । ତେଣୁ ଭଙ୍ଗା ଭାଗ୍ୟକୁ ନେଇ ସୂତା ସହ ସଙ୍ଘର୍ଷ କରି ଚାଲିଛନ୍ତି ରବି ।

ଅନ୍ୟପଟେ ଗାଁରୁ ୧୫ କିମି ସାଇକେଲରେ ଆସି ଏହି କେବିନରେ କାମ କରୁଥିବା ରବି ମଉସା ଦିନରେ ପଖାଳ ଶାଗରେ ପେଟ ପୂରାନ୍ତି । ଜମିବାଡି କିଛି ନାହିଁ, ଏଇ ଟେଲର ହିଁ ଏକମାତ୍ର ଭରସା ବୋଲି ସରକାରୀ ବାବୁଙ୍କୁ ସହଯୋଗ ଲୋଡିଲେଣି ଅନେକ ଥର । ହେଲେ କେହି ରବିଙ୍କୁ ଆଡଆଖିରେ ବି ଦେଖୁନାହାନ୍ତି ।

ପିପିଲି ଉପନିର୍ବାଚନ ପାଇଁ ମାଳମାଳ ନେତା ମନ୍ତ୍ରୀଙ୍କର ପାଦ ଏବେ ସେ ଅଞ୍ଚଳରେ ପଡୁଛି । ପ୍ରଚାର ପାଇଁ ଯେମିତି ବି ହେଉ ନେତାମାନେ ରବିଙ୍କ କେବିନ ଦେଇ ଯାଉଥିବେ, ତାଙ୍କୁ ଭୋଟ ମାଗୁଥିବେ । ହେଲେ କେମିତି ସେମାନଙ୍କ ଆଖି ଏ ଭଙ୍ଗା ଦୋକାନ ଉପରେ ପଡିଲାନି । ଭୋଟ ମାଗିବା ବେଳେ ଓ ପରେ କଣ ନେତାଏ ଅନ୍ଧ ପାଲଟି ଯାଆନ୍ତି । ସରକାରୀ ବ୍ୟବସ୍ଥା ଓ ନିର୍ବାଚନୀ ସ୍ୱାର୍ଥକୁ ପ୍ରଶ୍ନ ପଚାରୁଛି ରବି ମାଷ୍ଟ୍ରେଙ୍କ ଛୁଞ୍ଚି ସୂତା …