କନଷ୍ଟେବଳଙ୍କ କାରନାମା… ୪ଟି ଅଣ୍ଡା ପାଇଁ ଖାକିରେ ଲାଗିଲା ଦାଗ । ଦିନ ଦ୍ୱିପହରେ ରାସ୍ତା ଉପରୁ ଅଣ୍ଡା ଚୋରି କଲେ ପୋଲିସ କନଷ୍ଟେବଳ ।

342

କନକ ବ୍ୟୁରୋ: ଦିନ ଦ୍ୱିପହରେ ଚୋରୀ । ସେ ପୁଣି ଚୋର ନୁହେଁ ପୋଲିସ କରୁଛି ଏଭଳି କାଣ୍ଡ । ମାତ୍ର ୪ଟି ଅଣ୍ଡା ପାଇଁ ଖାକିରେ ଲାଗିଲା ଦାଗ । ସମସ୍ତଙ୍କ ଆଖି ସାମ୍ନାରେ ୪ଟି ଅଣ୍ଡାକୁ ଠେଲାରୁ ଆଣି ପକେଟରେ ପୂରାଇ ଦେଉଛନ୍ତି ଏହି ପୋଲିସ କନଷ୍ଟେବଳ । ଆଉ ଚୁପଚାପ ସେଠାରୁ ପଳାଉଛନ୍ତି । ଲୋକମାନଙ୍କ ହାତରୁ ସିନା ଖସିଗଲେ ହେଲେ କ୍ୟାମେରାରେ କଏଦ ହୋଇଗଲା ତାଙ୍କର ଏହି କାରନାମା । ଏହି ପୋଲିସ କନଷ୍ଟେବଳଙ୍କ ଅଣ୍ଡା ଚୋରିର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ପଞ୍ଜାବର ଫତେଗଡ ସାହିବ ଜିଲ୍ଲାରେ । ଏହି ଭିଡିଓ ବହୁତ ମାତ୍ରାରେ ସେୟାର ହୋଇଥିଲା । ଆଉ ଅନେକ ଲୋକ ପୋଲିସର ଏଭଳି କାର୍ଯ୍ୟକୁ ନିନ୍ଦା ମଧ୍ୟ କରିଥିଲେ । ଶେଷରେ ପଞ୍ଜାବ ପୋଲିସ ପାଖରେ ଏହି ଭିଡିଓ ପହଞ୍ଚିବା ପରେ କନଷ୍ଟେବଳ ପ୍ରିତପାଲ ସିଂକୁ ନିଲମ୍ବନ କରାଯାଇଛି । ଆଉ ତାଙ୍କ ବିରୋଧରେ ବିଭାଗୀୟ ଯାଞ୍ଚ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ପଞ୍ଜାବ ପୋଲିସ ନିଜେ ଟ୍ୱିଟର ପେଜରେ ଏହି ଭିଡିଓ ସେୟାର କରିଛି । ତେବେ କନଷ୍ଟେବଳଙ୍କ ଏଭଳି ଞ୍ଚ କାମ ପାଇଁ ତାଙ୍କୁ ନିଲମ୍ବନ କରାଯାଇଥିବା ଟ୍ୱିଟର ପେଜରେ ସୂଚନା ଦେଇଛି ପଞ୍ଜାବ ପୋଲିସ । ତେବେ ଏହି ଭିଡିଓକୁ ୧୦ ହଜାରରୁ ଅଧିକ ଲୋକ ଦେଖିସାରିଲେଣି ।

ସାମାନ୍ୟ ୪ଟି ଅଣ୍ଡା ଯାହାର ଦାମ ୨୦ ଟଙ୍କା । ଯାହାକି ଏବେ ଖାକି ଉପରେ ଭାରି ପଡିଛି । ୪ଟି ଅଣ୍ଡା ଚୋରୀ କରିବାକୁ ଯାଇ ଖାକିରେ ଦାଗ ଲଗାଇଦେଲେ କନଷ୍ଟେବଳ । ଲୋଭର ଶିକାର ହୋଇ ତାଙ୍କୁ ଶେଷରେ ଚାକିରି ବି ହରାଇବାକୁ ପଡିଛି । ଲୋକଙ୍କ ଜିନିଷକୁ ସୁରକ୍ଷା ଦେବା ବଦଳରେ ନିଜେ ହିଁ ପାଲଟିଗଲେ ଚୋର । ନିଜ ମାନ ସମ୍ମାନ ହରାଇବା ସହ ଖାକି ପାଇଁ କଳଙ୍କ ହୋଇଗଲେ ।

ଅନେକ ସମୟରେ ପୋଲିସ ଉପରେ ଲୋକମାନଙ୍କ ଭରସା ରହିନଥାଏ । ପୋଲିସର କାର୍ଯ୍ୟକୁ ନେଇ ଲୋକମାନେ ଅସନ୍ତୋଷ ଜାହିର କରିଥାନ୍ତି । ଆଉ ପୋଲିସର ଏଭଳି କାମ ପାଇଁ ବେଳେବେଳେ ଲୋକମାନଙ୍କ ଆକ୍ରୋଶର ସିକାର ମଧ୍ୟ ହେବାକୁ ପଡିଥାଏ । ଆଉ ଏବେ ପଞ୍ଜାବରୁ ଆସିଥିବା ଏହି ଖବର ପରେ ପୋଲିସ ଉପରେ ଲୋକମାନଙ୍କ ଭରସା ଆହୁରି ଖସିଯାଇଛି । ହେଲେ ପଞ୍ଜାବ ପୋଲିସ କିନ୍ତୁ ନିଜ କର୍ତ୍ତବ୍ୟ କରିବାକୁ ଯାଇ ସେହି ପୋଲିସ କନଷ୍ଟେବଳଙ୍କୁ ନିଲମ୍ବିତ କରିଦେଇଛି ।