କନକ ବ୍ୟୁରୋ : ମଦ ବ୍ୟବସାୟୀ ରାଜକିଶୋର ସାହୁ ଓ ଦେବରାଜ ସାହୁଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ସମୟରେ ଜବତ ହୋଇଛି ଏହି ବିପୁଳ ପରିମାଣର ଟଙ୍କା । ପୁରୁଣା ରଦି କାଗଜ ଭଳି ବନ୍ଧା ହୋଇଛି ବିଡା ବିଡା ନୋଟ୍ । ସେମିତି ଆଲମିରା ଭିତରେ ଥାକ ମରା ହୋଇ ରହିଛି ବିଡା ବିଡା ନୋଟ୍ । ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ତଦନ୍ତକାରୀ ଅଧିକାରୀ । ମଦବ୍ୟବସାୟୀଙ୍କ ବଲାଙ୍ଗୀର, ସୁନ୍ଦରଗଡ, ସମ୍ବଲପୁରର ବିଭିନ୍ନ ଠିକଣାରେ ଚଢ଼ାଉ ବେଳେ ଜବତ ହୋଇଛି ଏହି ଟଙ୍କା ।

Advertisment

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏତେ ଟଙ୍କା ଜବତ ହୋଇଛି, ସେହି ଟଙ୍କାକୁ ଟ୍ରକରେ ବୁହାହୋଇଛି । ଷ୍ଟିଲର ବଡ ବଡ ଟ୍ରଙ୍କରେ ଭର୍ତି କରି ଟଙ୍କାକୁ ବ୍ୟାଙ୍କକୁ ନିଆଯାଇଥିଲା । ଯେଉଁଠି ଟ୍ରଙ୍କ ନଥିଲା ସେଠି ବଡ ବଡ ବ୍ୟାଗରେ ଭର୍ତି କରି ଟଙ୍କାକୁ ନିଆଯାଇଥିଲା । ଆଉ ସେହି ଟଙ୍କାକୁ ମେସିନ ସହାୟତାରେ ଗଣତି ଚାଲିଛି । ତେବେ ନୋଟ ଗୁଡିକ ଅଧିକ ଦିନ ବିଡା ହୋଇ ରହିଥିବାରୁ ଗଣତି ବିଳମ୍ବ ହେଉଥିବା କୁହାଯାଉଛି ।

ବୁଧବାରଠାରୁ ସୁନ୍ଦରଗଡ, ରାଉରକେଲା, ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧ, ରାୟଗଡା ଓ ଭୁବନେଶ୍ୱରରେ ଆୟକର ବିଭାଗ ଚଢ଼ାଉ କରୁଛି । ପ୍ରଥମ ଦିନରେ ଦିନ ତମାମ ଯାଞ୍ଚ କରିବା ପରେ ଦ୍ୱିତୀୟ ଦିନରେ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରୁଛନ୍ତି । ବିଭିନ୍ନ ସ୍ଥାନରେ ପୁଳା ପୁଳା ନୋଟ୍ ଜବତ ପରେ ଚଢ଼ାଉକୁ ଆହୁରି ଜୋର କରିଛି ତଦନ୍ତକାରୀ ସଂସ୍ଥା ।

କୁହାଯାଉଛି, ଝାରଖଣ୍ଡର କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ରାଂଚି ସମେତ ବିଭିନ୍ନ ଠିକଣାରେ ଚଢ଼ାଉ ପରେ ଓଡିଶାରେ ଆୟକର ବିଭାଗ ଚଢ଼ାଉ କରୁଛି । ଧୀରଜ ସାହୁ ଆୟକର ଫାଙ୍କିଥିବା ଅଭିଯୋଗରେ ତାଙ୍କର ରାଂଚି, କୋଲକାତା ସମେତ ବିଭିନ୍ନ ଠିକଣାରେ ଚଢ଼ାଉ ହୋଇଥିଲା । ଆଉ ଚଢ଼ାଉ ସମୟରେ ଓଡିଶା ଲିଙ୍କ ପାଇବାରୁ ଆୟକର ବିଭାଗ ଓଡିଶାର ବିଭିନ୍ନ ଠିକଣାରେ ରେଡ୍ କରୁଛି । ଧୀରଜଙ୍କ ସମ୍ପର୍କୀୟ ରାଜକିଶୋର ସାହୁ, ଦେବରାଜ ସାହୁଙ୍କ ସମେତ ରାଜକିଶୋର ଜୟସ୍ୱାଲ ଓ କାମେଶ୍ୱର ତିୱାରୀଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ କରିଛନ୍ତି ଆୟକର ବିଭାଗର ଅଧିକାରୀ ।