ବିଜେପି ତେଜିଲା ବଗଲା ଜମି ବିବାଦ । ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଲେ, ଦାନ ଜମି ବିକ୍ରି କରିବା ବେଆଇନ, ତୁରନ୍ତ ପ୍ଲଟିଂ ବନ୍ଦ କରି କରାଯାଉ ଧର୍ମଶାଳା ନିର୍ମାଣ

155

କନକ ବ୍ୟୁରୋ : ବଗଲା ଧର୍ମଶାଳା ବିବାଦକୁ ଆହୁରି ଆଗକୁ ବଢ଼ାଇଛି ବିଜେପି । ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଦିଲ୍ଲୀରୁ ଆସି ପହଁଚିଯାଇଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସମ୍ବିତ ପାତ୍ର । ପୁରୀ ଯାଇ ବଗଲା ଧର୍ମଶାଳା ଅଂଚଳ ବୁଲି ଦେଖିବା ପରେ ସରକାରଙ୍କ ଉପରେ ବର୍ଷିଛନ୍ତି ସମ୍ବିତ । ପ୍ରେସମିଟ୍ କରି ସେ କହିଛନ୍ତି, ୧୧୫ ବର୍ଷ ପୂର୍ବରୁ ଗରିବ ତୀର୍ଥଯାତ୍ରୀଙ୍କ ପାଇଁ ଦାନ ସୂତ୍ରରେ ମିଳିଥିବା ଏକ ଧର୍ମଶାଳାକୁ ପ୍ଲଟିଂ କରି କିଛି ଲଜ ମାଲିକଙ୍କୁ ବିକ୍ରି କରାଯିବା ବେଆଇନ । ତୁରନ୍ତ ଏହା ବନ୍ଦ କରାଯାଉ, ପ୍ରସାଦ ଯୋଜନାରେ ଧର୍ମଶାଳା ନିର୍ମାଣ କାମ ଆଗକୁ ବଢାଯାଉ ବୋଲି ଦାବି କରିଛନ୍ତି ସମ୍ବିତ ପାତ୍ର ।

ବଗଲା ଧର୍ମଶାଳାକୁ ନେଇ ବିବାଦ ତେଜିବା ପରେ ସ୍ପଷ୍ଟୀକରଣ ରଖିଲା ପୁରୀ ଜିଲ୍ଲା ପ୍ରଶାସନ । ବଗଲା ଧର୍ମଶାଳାର ନକ୍ସା ସହ ପ୍ରଶାସନ ପକ୍ଷରୁ ପ୍ରେସ୍ ନୋଟ୍ ଜାରି କରାଯାଇଛି । ବଗଲା ଧର୍ମଶାଳାରେ ଯେତିକି ବ୍ୟବସ୍ଥା ଥିଲା, ତା’ଠାରୁ ୫୦ ଗୁଣ ଅଧିକ ଗରିବ ତୀର୍ଥଯାତ୍ରୀଙ୍କ ପାଇଁ ସୁବିଧା କରାଯିବା ଲକ୍ଷ୍ୟ ରହିଛି ବୋଲି କହିଛି ପ୍ରଶାସନ ।

ପୁରୀ ବଳଗଣ୍ଡିରେ ରହିଛି ବଗଲା ଧର୍ମଶାଳାର ୨.୭୩୮ ଏକର ଜମି
ବଗଲା ଜମି ଘରୋଇ ଲଜ୍ ମାଲିକକୁ ବିକ୍ରି କରାଯାଇନାହିଁ
୭୫ ମିଟର ପରିସରରୁ ବିସ୍ଥାପିତମାନଙ୍କୁ ଦିଆଯାଇଛି ୧୨ ପ୍ରତିଶତ ଜମି
ଶ୍ରୀମନ୍ଦିର କରିଡର ପ୍ରକଳ୍ପ ପାଇଁ ଏମାନେ ନିଜ ଜମି ଦାନ କରିଛନ୍ତି
ଭିତର ସେବାୟତ ନିଯୋଗ ସମେତ ଜମି ପାଇଥିବା ବ୍ୟକ୍ତି ଅଧିକାଂଶ ସେବାୟତ
ରାଜ୍ୟ ସରକାରଙ୍କ ଥଇଥାନ ନୀତି ଅନୁସାରେ ଜମି ଦିଆଯାଇଛି
ବଗଲା ଧର୍ମଶାଳାରେ ୨ ଶହ ତୀର୍ଥଯାତ୍ରୀଙ୍କ ରହିବା ପାଇଁ ବ୍ୟବସ୍ଥା ଥିଲା
୨ ହଜାର ଗରିବ ତୀର୍ଥଯାତ୍ରୀଙ୍କ ପାଇଁ ଲଜ୍ ତିଆରି ଚାଲିଛି
ଆଉ ୮ ହଜାର ତୀର୍ଥଯାତ୍ରୀଙ୍କ ପାଇଁ ଲଜିଂ ବ୍ୟବସ୍ଥା କରାଯିବ

ଶ୍ରୀମନ୍ଦରର ସୌନ୍ଦର୍ଯ୍ୟକରଣ ପାଇଁ ଯେଉଁ ସେବାୟତ ବର୍ଷ ବର୍ଷର ଭିଟାମାଟି ଛାଡିଛନ୍ତି, ସେମାନଙ୍କୁ ପ୍ରେସ ନୋଟ ଜରିଆରେ ପ୍ରଶଂସା କରିଛି ଜିଲ୍ଲା ପ୍ରଶାସନ । ପ୍ରଶାସନର ସଫେଇ ପରେ ମଧ୍ୟ ଏବେ ବି ଅନେକ ପ୍ରଶ୍ନର ଉତର ମିଳୁନି । ୩୦୦ ମିଟର ଭିତରେ ବିସ୍ଥାପିତଙ୍କୁ ଦେବା ପାଇଁ କେବଳ ବଗଲା ଧର୍ମଶାଳା ଜମିକୁ କାହିଁକି ବଛାଗଲା? ଦାନସୂତ୍ରରେ ପାଇଥିବା ଜମିକୁ କାହିଁକି ଟେକିଦେଲା ପ୍ରଶାସନ? ଏହା ଭିତରେ ରହିଛି କି ଆଉ କିଛି ଭିତରି ଉଦ୍ଦେଶ୍ୟ? ବଗଲା ଧର୍ମଶାଳା ଜମିର ୦.୩୪ ଏକର ଜମି ଦିଆଯାଇଥିବା ବେଳେ ବଳକା ଜମିରେ କ’ଣ କରିବ ପ୍ରଶାସନ?