କନକ ବ୍ୟୁରୋ: ଶିକ୍ଷାର ବିକାଶ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । ଗ୍ରାଉଣ୍ଡ ଜିରୋରେ କିନ୍ତୁ ଏହାର ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ ଦେଖିବାକୁ ମିଳିଛି । ଗୋଟିଏ ଚିତ୍ରରେ ପିଲାମାନେ ବାଲି ସିମେଣ୍ଟ ବୋହୁଥିବା ବେଳେ ଅନ୍ୟ ଏକ ଚିତ୍ରରେ ସ୍କୁଲ ଭିତରେ ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷକ ନିଦରେ ଶୋଇଥିବା ବେଳେ ପିଲାମାନେ କ୍ୟାରମ ବୋର୍ଡରେ କ୍ୟାରମ ଖେଳୁଛନ୍ତି । ଏ ହେଉଛି ଶିକ୍ଷା ବ୍ୟବସ୍ଥାର ବାସ୍ତବତା । ଗୋଟିଏ ଚିତ୍ର ସୁନ୍ଦରଗଡ଼ ବିଶ୍ରା ବ୍ଲକ ବରଟୋଲି ସରକାରୀ ପ୍ରାଥମିକ ବିଦ୍ୟାଳୟର । ଯେଉଁଠି କୁନି କୁନି ପିଲାମାନେ ସାଜିଛନ୍ତି ନିର୍ମାଣ ଶ୍ରମିକ । ହାତରେ ଝୁଡ଼ି ଧରି ପିଲାମାନେ ବାଲି ସିମେଂଟ ବୋହୁଛନ୍ତି । ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ଖବର ସାମ୍ନାକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ପରିବର୍ତେ ବିଦ୍ୟାଳୟର ରୋଷେୟା ଭିଡ଼ିଓ ଭାଇରାଲ କରିଥିବା ସନ୍ଦେହରେ ତାଙ୍କୁ ଚାକିରିରୁ ବିଦା କରିବାକୁ ଧମକ ମିଳୁଛି । ଏହି ଖବର ପ୍ରସାରିତ ହେବା ପରେ ଜିଲ୍ଲାପାଳ ମାମଲାକୁ ଗୁରୁତର ସହ ନେଇ ସ୍କୁଲ ପରିଦର୍ଶନ କରି ତଦନ୍ତ କରିବାକୁ ଜିଲ୍ଲାଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଅନ୍ୟଏକ ଦୃଶ୍ୟ ପିପିଲି ଅଞ୍ଚଳରୁ ଏକ ପୁରାତନ ସ୍କୁଲରୁ ଆସିଛି । ୧୦୭ ବର୍ଷର ପୁରୁଣା ଏହି ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ନିଦରେ ଶୋଇଥିବା ବେଳେ ପିଲାମାନେ କ୍ୟାରମ ବୋର୍ଡରେ କ୍ୟାରମ ଖେଳୁଛନ୍ତି । ପିପିଲି ବ୍ଳକ ପୁରୁଣା ମଉଜିବେଗ ପ୍ରାଥମିକ ବିଦ୍ୟାଳୟଟି ଅବହେଳିତ ଅବସ୍ଥାରେ ପଡ଼ିରହିଛି । କିଛି ପିଲା ସ୍କୁଲକୁ ଆସିଥିବା ବେଳେ କିଛି ପିଲା ସ୍ଥାନୀୟ ଅଞ୍ଚଳରେ ହେଉଥିବା ମେଳନ ଯୋଗୁଁ ଆସିନାହାନ୍ତି । ଯେତିକି ପିଲା ଆସିଛନ୍ତି ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷକ ନିଦରେ ଶୋଇଥିବା ବେଳେ କ୍ଲାସରୁମ୍ରେ ପିଲାମାନେ କ୍ୟାରମ ଖେଳୁଛନ୍ତି ।
Follow Us