ଜଗନ୍ନାଥଙ୍କ ସେବା ଆଗରେ ଶରୀର ପୀଡ଼ା ତୁଚ୍ଛ: ଦିବ୍ୟାଙ୍ଗ ହୋଇ ବି ବୁଣୁଛନ୍ତି ଗୀତ ଗୋବିନ୍ଦ ପାଟ

173

କନକ ବ୍ୟୁରୋ: ଖୋର୍ଧା ଜିଲ୍ଲା ରାଉତପଡାର ବୁଣାକାର କାର୍ତ୍ତିକେଶ୍ୱର । ଜନ୍ମରୁ ଦିବ୍ୟାଙ୍ଗ । କିନ୍ତୁ ଜଗା ସେବା ଆଗରେ ସବୁ କିଛି ତୁଚ୍ଛ ହୋଇଯାଇଛି । ବୁଣିଚାଲିଛନ୍ତି ପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ବସ୍ତ୍ର ଗୀତଗୋବିନ୍ଦ ପାଟ । ଶ୍ରୀଜୀଉଙ୍କ ବସ୍ତ୍ର ବୁଣି କାଳିଆ ସେବାରେ ମଜି ଯାଇଛନ୍ତି କାର୍ତ୍ତିକେଶ୍ୱର । ପ୍ରଭୁ ଜଗନ୍ନାଥଙ୍କ କାମରେ ନିଜକୁ ସମର୍ପି ଦେଇ ସେ ବୁଣିଚାଲିଛନ୍ତି ଶ୍ରୀଜୀଉଙ୍କ ବସ୍ତ୍ର ।

କାର୍ତ୍ତିକେଶ୍ୱରଙ୍କ ଜନ୍ମ ପରଠାରୁ ଗୋଡରେ ଯନ୍ତ୍ରଣା ହେଉଥିଲା । ଧିରେ ଧିରେ ଚାଲିବା ବି ମୁସ୍କିଲ ହୋଇପଡିଲାଣି । ଏବେ ତାଙ୍କ ପାଇଁ ସାହାରା ସାଜିଛି ଏହି ଆଶା ବାଡି । ଚାଲିବାକୁ ସେ ଅକ୍ଷମ , ଶରୀରରେ ବି ଜୋର ନାହିଁ । କିନ୍ତୁ କାଳିଆ କଥା କହିଲେ ଶରୀରର ପୀଡା ଭୁଲିଯାଇ ଲାଗିପଡନ୍ତି ପ୍ରଭୁଙ୍କ ବସ୍ତ୍ର ବୁଣିବାରେ । କାଳିଆର ବି ବିଚିଚ୍ର ଲୀଳା । ଯେବେଠାରୁ କାଳିଆ ପାଇଁ ବସ୍ତ୍ର ବୁଣିଛନ୍ତି ସେବେଠାରୁ ଆଉ କାଳିଆକୁ ଦେଖିବାର ସୁଯୋଗ ମିଳିନି ।

ଗୀତଗୋବିନ୍ଦ ପାଟ ହେଉଛି ପ୍ରଭୁୁ ଜଗନ୍ନାଥଙ୍କର ପ୍ରିୟ ବସ୍ତ୍ର । ଏହି ପାଟରେ ହୁଏ ପ୍ରଭୁ ଜଗନ୍ନାଥଙ୍କର ବଡ ସିଂହାର ବେଶ । ଶାରୀରିକ ଯନ୍ତ୍ରଣା ସହିବା କଷ୍ଟକର ହେଉଥିଲେ ବି ନିଜର ପ୍ରିୟ ଠାକୁରଙ୍କର ପ୍ରିୟ ବସ୍ତ୍ର ବୁଣି ବେଶ ଆନନ୍ଦ ପାଉଛନ୍ତି କାର୍ତ୍ତିକେଶ୍ୱର ।