ଛାତ୍ରଙ୍କ ପାଇଁ ବିପଦ ଆଣିଦେଲା ରିଲ୍ସ ନିଶା । ନବରଙ୍ଗପୁର ରାଇଘରରେ ବିପଦଜ୍ଜନକ ଭିଡିଓ ରେକଡିଂ ବେଳେ ଜଣେ ଗୁରୁତର । ୭ ଛାତ୍ରଙ୍କୁ ସ୍କୁଲ କର୍ତ୍ତୃପକ୍ଷଙ୍କ ଟିସି

297

କନକ ବ୍ୟୁରୋ: କ୍ୟାମେରା ପ୍ରସ୍ତୁତ, ଦୁଃସାହାସିକ ରିଲ୍ସ ତିଆରି ପାଇଁ ପିଲା ବି ପ୍ରସ୍ତୁତ । ସ୍କୁଲରେ ଫଙ୍କସନ୍ ଚାଲିଥିବା ବେଳେ ଏପଟେ ଲୁଚି ଲୁଚି ଚାଲିଥିଲା ପିଲାଙ୍କ ଦୁଃସାହାସିକ ରିଲ୍ସ ପାଇଁ ଭିଡିଓ ସୁଟ୍ । ଫେବୃୟାରୀ ୧୪ ତାରିଖରେ ରାଇଘର ଉଚ୍ଚପ୍ରାଥମିକ ବିଦ୍ୟାଳୟର ସ୍କୁଲ କୋଠାରୁ ୧୦ ଫୁଟ ଦୂରରେ ଥିବା ଦୁର୍ବଳ ଆଜବେଷ୍ଟସ ଘରକୁ ଲମ୍ଫ ମାରୁଥିଲେ ସ୍କୁଲ ଛାତ୍ର । ହେଲେ ଆଜବେଷ୍ଟ ଭାଙ୍ଗିଯିବାରୁ ଦୁଲ କରି ତଳେ ପଡିଯାଇଥିଲେ । ତେବେ ଲମ୍ଫ ମାରିଥିବା ଛାତ୍ର ଜଣକ ତଳେ ପଡି ଆହତ ହୋଇଥିଲେ ମଧ୍ୟ ସୌଭାଗ୍ୟକୁ ବଞ୍ଚିଯାଇଛନ୍ତି । ଏହି ଭିଡିଓକୁ କେହି ସୋସିଆଲ ମିଡିଆରେ ଛାଡିଦେବାରୁ ଏହା ଭାଇରାଲ ହେଉଛି ।

  • ରିଲ୍ସ ପାଇଁ ବାଜିରେ ଲାଗିଲା ଜୀବନ
  • ସୌଭାଗ୍ୟରୁ ଅଳ୍ପକେ ବର୍ତିଗଲେ ଛାତ୍ର

ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ଭିଡିଓରୁ ୭ ଜଣ ଛାତ୍ରଙ୍କୁ ଚିହ୍ନଟ କରି ଟିସି ଦେଇ ଦେଇଥିଲେ ପ୍ରଧାନ ଶିକ୍ଷକ । କିନ୍ତୁ ଅଭିଭାବକମାନେ ପିଲାଙ୍କ ଭବିଷ୍ୟତ ନଷ୍ଟ ହୋଇଯିବ କହି ଅନୁରୋଧ କରିବାରୁ ପରୀକ୍ଷା ପର୍ଯ୍ୟନ୍ତ ସ୍କୁଲ ଆସିବାକୁ ଅନୁମତି ଦେଇଛନ୍ତି । ସେପଟେ ୭ ଛାତ୍ରଙ୍କୁ ଟିସି ଦେବା ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବିଇଓ । କହିଛନ୍ତି ଘଟଣାର ତଦନ୍ତ କରି ପ୍ରଧାନ ଶିକ୍ଷକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସୋସିଆଲ ମିଡିଆ ପାଇଁ ଦୁଃସାହାସିକ ରିଲ୍ସ ତିଆର କରିବା ନିଶା ଏବେ ସମସ୍ତଙ୍କୁ ଘାରିଛି । ହେଲେ ଏହା କେତେ ବିପଦଜନକ ଦୁଇ ଦିନ ତଳେ ରାୟଗଡାର ଭାଲୁମସ୍କା ଷ୍ଟେସନରେ ଦେଖିବାକୁ ମିଳିଛି । ଷ୍ଟେସନରେ ଅଟକିଥିବା ମାଲବାହୀ ଟ୍ରେନ ଉପରେ ଚଢି ସେଲଫି ନେବା ଜଣେ ବାଳକ ସେଲଫି ନେବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜୀବନ ଜଳି ଯାଇଛନ୍ତି । ଘଟଣାରେ ୨ ଜଣ ବାଳକ ଗୁରୁତର ଆହତ ହୋଇଛନ୍ତି ।