ପେଶାରୁ ନିଶା କେବଳ ସେବା ହିଁ ସେବା : ଜଗତସିଂହପୁରର ଆଇନଜୀବୀଙ୍କ ଅଜବ ନିଶା । ଲୋକଙ୍କ ସେବାରେ ଲାଗିବ ଜୀବନ ଯାକର ପୁଞ୍ଜି, ପୁଅ ଥାଇ ଜିଲ୍ଲାପାଳଙ୍କୁ କଲେ ସଂଚିତ ସମ୍ପତ୍ତିର ନୋମିନ ।

92

କନକ ବ୍ୟୁରୋ: ଜୀବନ ସାରା କଷ୍ଟ ଅର୍ଜିତ ଧନ ସମ୍ପତ୍ତିକୁ ବାପା-ମାଆ ପିଲାଙ୍କ ପାଇଁ ସାଇତି ରଖିଥାନ୍ତି । ବାପା-ମାଙ୍କର ସମ୍ପତ୍ତିରେ ମଧ୍ୟ ପିଲାମାନେ ଅଧିକାର ସାବ୍ୟସ୍ତ କରିଥାନ୍ତି । କିନ୍ତୁ ଜଗତସିଂହପୁରର ଜଣେ ଆଇନଜୀବୀଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜଗତସିଂହପୁର ସହର ୨୧ ନମ୍ବର ୱାର୍ଡ ସିପି ମକୁନ୍ଦପୁରରେ ରହୁଥିବା ଆଇନଜୀବୀ ବାସୁଦେବ ଷଡ଼ଙ୍ଗୀ ପାରମ୍ପରିକ ପ୍ରଥାରୁ ନିଜକୁ ଦୂରେଇ ଏକ ଭିନ୍ନ ଉଦାହରଣ ସୃଷ୍ଟି କରିଛନ୍ତି । ପୁଅ-ବୋହୂ ଥାଇ ବି ଜିଲ୍ଲାପାଳଙ୍କୁ ନିଜ ସଂଚିତ ଅର୍ଥର ଉତରାଧିକାରୀ କରାଇଛନ୍ତି । ବାବୁଦେବ ଓ ତାଙ୍କ ପତ୍ନୀଙ୍କ ନାଁରେ ବ୍ୟାଙ୍କରେ ଥିବା ୧୪ ଲକ୍ଷ ଟଙ୍କାର ନୋମିନି ଜଗତସିଂହପୁର ଜିଲ୍ଲାପାଳଙ୍କୁ କରିଛନ୍ତି । ତାଙ୍କ ଅନ୍ତେ ଜିଲ୍ଲାପାଳ ଏହି ଅର୍ଥକୁ ସମାଜର ମଙ୍ଗଳ ପାଇଁ ଖର୍ଚ୍ଚ କରିବେ ସେ କହିଛି । ଏବଂ ଆଇନ୍ଜୀବୀଙ୍କ ଏଭଳି ଉଦ୍ୟମକୁ ପରିବାର ଲୋକ ସ୍ୱାଗତ କରିଛନ୍ତି ।

ଭିନ୍ନ ଜଣେ ବାପା । ଭିନ୍ନ ତାଙ୍କ ଚିନ୍ତାଧାରା । ଏହି ସ୍ୱାର୍ଥପର ଦୁନିଆରେ ଅନେକ ସମାଜରୁ ଲୁଟି ଖାଇବାକୁ ଉଦ୍ୟମ କରୁଥିବା ବେଳେ ଆଇନଜୀବୀ ବାସୁଦେବ ଷଡ଼ଙ୍ଗୀ, ସମାଜ ପାଇଁ କିଛି କରିବାର ଆଶା ରଖିଛନ୍ତି । ୧୯୫୪ ସେପ୍ଟେମ୍ବର ୧୨ରେ ଜନ୍ମ ଗ୍ରହଣ କରିଥିବା ବାସୁଦେବ ପିଲାଟି ଦିନରୁ ଅନେକ ଆନ୍ଦୋଳନରେ ସାମିଲ ହୋଇ ଜେଲ୍ ଯାଇଛନ୍ତି । ସମୟ କ୍ରମେ ଆନ୍ଦୋଳନରୁ ଓହରି ଓକିଲାତିକୁ ପେଶା ଭାବେ ଗ୍ରହଣ କରିଛନ୍ତି । ଆଉ ଅସହାୟ ଗରିବଙ୍କୁ ନ୍ୟାୟ ଦେବା ପାଇଁ ବିନା ଟଙ୍କାରେ କେସ ଲଢି ପ୍ରତିପତି ଓ ମୁଷ୍ଟିମେୟ ବ୍ୟକ୍ତିଙ୍କୁ କାଠଗଡାରେ ଠିଆ କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ବାସୁଦେବ ।

ଓକିଲାତିକୁ ପେଶା କରିଥିବା ବାସୁଦେବଙ୍କ ନିଶା ସମାଜସେବା । ସେଥିପାଇଁ ତ ନିଜର ଦୁଇ ଦୁଇଟି ପୁଅ ଥାଇ ବି ଜିଲ୍ଲାପାଳଙ୍କୁୁ ସଂଚିତ ସଂପତିର ନୋମିନି ରଖିଛନ୍ତି । ବାସୁଦେବଙ୍କ ବ୍ୟାଙ୍କ ଖାତାରେ ଥିବା ୧୨ ଲକ୍ଷ ଟଙ୍କା ଓ ସ୍ତ୍ରୀ ବିଦ୍ୟୁତ୍ପ୍ରଭାଙ୍କ ଆକାଉଁଟରେ ଥିବା ୨ ଲକ୍ଷ ଟଙ୍କାର ନୋମିନ ଅଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ଜିଲ୍ଲାପାଳଙ୍କୁ ନୋମିନ କରିବା ସଂପର୍କରେ ପଚାରିଲେ ବାସୁଦେବ କୁହନ୍ତି, କରୋନାର ଏହି ଭୟାବହତା ଭିତରେ ଯଦି ତାଙ୍କ ସହ କିଛି ଦୁର୍ଘଟଣା ଘଟେ ତେବେ ଜିଲ୍ଲାପାଳ ସେହି ଟଙ୍କାରେ ଗରିବ ପିଲାଙ୍କୁ ପାଠ ପଢାଇବା ସହ ଅସହାୟଙ୍କ ଚିକିତ୍ସା କରାଇବେ ।

୨୦୧୭ରେ ବଡ଼ ପୁଅ ଓ ୨୦୧୯ରେ ସାନ ପୁଅଙ୍କ ବାହାଘର କରି ଚର୍ଚ୍ଚାକୁ ଆସନ୍ତି ବାସୁଦେବ । ବଡ଼ ପୁଅ ବିପ୍ଳବ ଲେଲିନ୍ ସୁପ୍ରିମକୋର୍ଟର ଆଇନଜୀବୀ ଥିବା ବେଳେ ସାନ ପୁଅ ବିସ୍ମୟ ଷ୍ଟାଲିନ୍ ହାଇକୋର୍ଟରେ ଓକିଲାତି କରୁଛନ୍ତି । ଦୁଇ ପୁଅଙ୍କ ବାହାଘର ବିନା ଜାନି ଯøତୁକରେ କରି ଚର୍ଚ୍ଚାକୁ ଆସିଛନ୍ତି ବାସୁଦେବ । ବଡପୁଅଙ୍କ ବିବାହ ବଳେ ପ୍ରତିରକ୍ଷା ବିଭାଗ ପାଣ୍ଠିକୁ ୫୦ ହଜାର ଟଙ୍କା ଦାନ କରିଥିବା ଏହି ବ୍ୟକ୍ତି ଜଣଙ୍କ ସାନପୁଅର ବିବାହ ପାଇଁ ଥିବା ୪ ଲକ୍ଷ ଟଙ୍କାରେ ମାନବ ଟ୍ରଷ୍ଟ କରି ଗ୍ରାମବାସୀଙ୍କୁ ଚିକିତ୍ସା ଯୋଗଇ ଆସୁଛନ୍ତି ଆଇନଜୀବୀ ବାସୁଦେବ ।

ଅନ୍ୟାୟ ଦେଖିଲେ ନିଜର ମାଇକ୍ ଧରି ରାଜରାସ୍ତାକୁ ଏକାକି ଓହ୍ଲାଇ ଆସନ୍ତି ବାସୁଦେବ । ଆଉ ବାସୁଦେବଙ୍କ ନାଁ ଶୁଣିଲେ ଦୁର୍ନୀତି କରୁଥିବା ଅଧିକାରୀଙ୍କ ଛାତି ଥରିଯାଏ । ଜଗତସିଂହପୁର ତ୍ୟାଗ ଓ ବଳିଦାନର ମାଟି । ଏହି ମାଟିର ମଣିଷ ବାସୁଦେବଙ୍କ ଏହି ଉଦ୍ୟମ ସରକାରୀ କର୍ମଚାରୀଙ୍କୁ ଉତରଦାୟି କରିବା ସହ ସ୍ୱଚ୍ଛ ହୋଇ କାମ କରିବାକୁ ବାଧ୍ୟ କରିବ ବୋଲି ଜିଲ୍ଲପାଳ କହିଛନ୍ତି ।