ଗାଧୋଇବା ବେଳେ ନଦୀରେ ଭାସିଗଲେ ବୃଦ୍ଧା, ଲଟାବୁଦାକୁ ଧରି ୨୪ ଘଣ୍ଟା ପାଣି ସହ କଲେ ସଂଘର୍ଷ, ଦିନକ ପରେ ହେଲେ ଉଦ୍ଧାର ।

825

କନକ ବ୍ୟୁରୋ: ରଖେ ହରି ତ ମାରେ କିଏ? ଭାସିଗଲା ବେଳେ କୁଟାଖିଅ ଆଶ୍ରା ହୋଇଥାଏ । ବଂଶଧାରା ନଦୀରେ ଭାସି ଯାଇଥିବା ଜଣେ ବୃଦ୍ଧା ଉଦ୍ଧାର ହେବା ପରେ ଏହି ଦୁଇ କଥା ପୁଣି ଥରେ ପ୍ରମାଣିତ ହୋଇଛି । ଗଜପତି ଜିଲ୍ଲା କାଶୀନଗର ବଂଶଧାରା ନଦୀରେ ନିଖୋଜ ଥିବା ଜଣେ ବୃଦ୍ଧାଙ୍କୁ ୨୪ ଘଂଟା ଧରି ଲଟାବୁଦାକୁ ଆଶ୍ରା କରି ଭାସି ରହିବା ପରେ ଆଶ୍ଚର୍ଯ୍ୟଜନକ ଭାବେ ଜୀବିତ ଭାବେ ଉଦ୍ଧାର କରାଯାଇଛି ।

ସୂଚନା ମୁତାବକ, କାଶୀନଗର ବାସିନ୍ଦା ରତନ ପାତ୍ର ନାମକ ଜଣେ ବୃଦ୍ଧା ଶୁକ୍ରବାର ହନୁମାନ ମନ୍ଦିର ନିକଟ ବଂଶଧାରା ନଦୀକୁ ଗାଧୋଇବା ପାଇଁ ଯାଇଥିଲେ । ତେବେ ଗାଧୋଇବାବେଳେ ସେ ନଦୀର ପ୍ରଖର ସ୍ରୋତରେ ପଡି ଭାସି ଯାଇଥିଲେ । ଗ୍ରାମବାସୀ ଓ ଦମକଳବାହିନୀ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତା ମିଳିନଥିଲା ।

ଆଉ ତାପରଦିନ ଅର୍ଥାତ୍ ଶନିବାର ପୂର୍ବାହ୍ନରେ ପୁଣି ଖୋଜାଖୋଜି ଆରମ୍ଭ ହୋଇଥିଲା । ହେଲେ ଅପରାହ୍ନ ୫ଟାରେ ନୂଆ କାଶୀନଗର ନିକଟ ଏକ ଲଟାବୁଦାକୁ ଧରି ବୃଦ୍ଧା ଜଣକ ପଡି ରହିଥିବା ଗ୍ରାମାବାଦୀ ଦେଖିବାକୁ ପାଇଥିଲେ । ଏନେଇ ଦମକଳବାହିନୀକୁ ଖବର ଦେଇଥିଲେ ଗ୍ରାମାବାସୀ । ତାପରେ ଦମକଳବାହିନୀର କର୍ମଚାରୀ ଓ ଗ୍ରାମବାସୀ ମିଳିତ ଭାବେ ବୃଦ୍ଧାଙ୍କୁ ଅତି ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତି କରିଥିଲେ । ତେବେ ନଖାଇ ନପିଇ ଦୀର୍ଘ ୨୪ ଘଂଟା ପାଣି ଭିତରେ ଲଟାବୁଦା ସାହାରାରେ ବଂଚି ରହିବା ସମସ୍ତଙ୍କୁ ଚକିତ କରିଛି ।