ମହାମାରୀ ସମୟରେ ଆସିଲା ଅଭାବନୀୟ ଦୃଶ୍ୟ । ରାଜଧାନୀରେ ରୋଗୀଙ୍କୁ ଫେରାଇଦେଲା ଦୁଇ ଦୁଇଟି ହସ୍ପିଟାଲ । ଅକ୍ସିଜେନ୍ ଧରି ଦେବଦୂତ ଭଳି ପହଞ୍ଚିଲେ ସ୍ୱେଚ୍ଛାସେବୀ । 

292

କନକ ବ୍ୟୁରୋ: ରାଜ୍ୟରେ ସଂକ୍ରମଣ ଏବେ ବି ଉପରମୁହାଁ ହୋଇ ଗତି କରୁଛି । ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟସେବାର ମଧ୍ୟ ଅନେକ ବିକଳ ଚିତ୍ର ଦେଖିବାକୁ ମିଳୁଛି । କେଉଁଠି ହସ୍ପିଟାଲରେ ରୋଗୀକୁ ବେଡ୍ ମିଳୁନି ତ ଆଉଁ କେଉଁଠି ରୋଗୀଟିଏ ଚିକିତ୍ସା ପାଇଁ ଡହଳବିକଳ ହେଉଛି । ଏଭଳି ସମୟରେ ଖୋଦ୍ ରାଜଧାନୀରୁ ଆସିଛି ଏକ ଅଭାବନୀୟ ଦୃଶ୍ୟ । ଜଣେ ବୟସ୍କ ବ୍ୟକ୍ତିଙ୍କ ପାଖରେ କୋଭିଡ୍ ରିପୋର୍ଟ ନଥିଲା ବୋଲି ଅକ୍ସିଜେନ ଦେବାକୁ ମନା କରିଦେଲେ ଦୁଇ ଦୁଇଟି ହସ୍ପିଟାଲ ।

ଆଜି ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ନିରାକାରପୁର ଅଂଚଳରୁ ଜଣେ ବ୍ୟକ୍ତି ଭୁବନେଶ୍ୱର ଏମସ ହସ୍ପିଟାଲକୁ ଆସିଥିଲେ । ହେଲେ ସେଠାରେ ବେଡ୍ ଉପଲବ୍ଧ ନାହିଁ ବୋଲି କହି ହସପିଟାଲ ତାଙ୍କୁ ଫେରାଇ ଦେଇଥିଲା । ଏହାପରେ ଅନ୍ୟ କୌଣସି ଉପାୟ ନପାଇ ସେ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ । ହେଲେ ସେଠାରେ ମଧ୍ୟ ସେହି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ରୋଗୀ ଜଣକ ଏହି ସମୟରେ ଠିକ୍ ଭାବେ ନିଶ୍ୱାସ ମଧ୍ୟ ନେବାକୁ ଅସୁବିଧା ଅନୁଭବ କରୁଥିଲେ ହେଁ, ତାଙ୍କୁ ହସ୍ପିଟାଲ ପକ୍ଷରୁ ଅକ୍ସିଜେନ୍ ଯୋଗାଇ ଦିଆଯାଇନଥିଲା । ଏପରି ପରିସ୍ଥିତିରେ ଜଣେ ସମ୍ପର୍କୀୟଙ୍କଠାରୁ ଖବର ପାଇଁ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉକ୍ତ ବ୍ୟକ୍ତିଙ୍କ ପାଖରେ ପହଞ୍ଚିବା ସହିତ ତାଙ୍କୁ କାର୍ ଭିତରେ ହିଁ ଅକ୍ସିଜେନ୍ ଲଗାଇଛି । ଯାହା ଫଳରେ ତାଙ୍କର ସ୍ୱାସ୍ଥ୍ୟରେ କିଛିଟା ଉନ୍ନତି ଆସିଛି ।

ତେବେ କୋଭିଡ୍ ଭଳି ମହାମାରୀ ସ୍ଥିତିରେ ଜଣେ ବ୍ୟକ୍ତି ବେଡ୍ ଅଭାବ ହେତୁ ଅକ୍ସିଜେନ ନପାଇବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ତାଙ୍କ ପାଖରେ ଅକ୍ସିଜେନ୍ ପହଞ୍ଚାଇଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ଉପରେ ନଜର ରଖିଥିବା ସୂଚନା ଦେଇଛନ୍ତି ।