ପାଦ କଟିଗଲା, ପୁଅ ପର କରିଦେଲା । ଅଣଦେଖା କରି ପୁଅ ଘରୁ ତଡିଦେବା ପରେ କଟା ଗୋଡ ନେଇ ଗଞ୍ଜାମରୁ ଭୁବନେଶ୍ୱର ଚାଲିଆସିଲା ଅସହାୟ ବୁଢାବାପା ।

248

କନକ ବ୍ୟୁରୋ: ଆଖିରେ ଅସହାୟତାର ଲୁହ, ଛାତିରେ ସବୁକିଛି ଛାଡି ଆସିବାର କୋହ । ସମସ୍ତେ ଥାଇ ବି ଏ ଆଖି ଘର ହରେଇଛି, ପରିବାର ହରେଇଛି । ଭିଟାମାଟି ଛାଡି ଭୁବନେଶ୍ୱର ଆସିଛି । ବ୍ରିଜ ତଳେ ଜଣେ ଅସହାୟ ବାପା ବଞ୍ଚୁଛି । ପୁଅ ପର କରିଦେବା ପରେ ଏ ପୋଲ ତଳ ହିଁ ଭରସା ସାଜିଛି । ଘା ଘଉଡ ଗୋଡରୁ ପାଦ ଛିଡି ଯାଇଛି, ଦେହରେ ବିଲକୁଲ ନାହିଁ ବଳ । ଏଇ ବ୍ରିଜ ତଳେ ଜଣେ ବାପା ଖରା ସହୁଛି, ବର୍ଷାରେ ଭିଜୁଛି, ଦିନରାତି ପରିତ୍ୟକ୍ତ ଅବସ୍ଥାରେ ପଡି ରହୁଛି । ତଥାପି ଏ ଯନ୍ତ୍ରଣାର ଯାତନା ଭିତରେ କେବେ ବି ପୁଅ ପରିବାର ପାଇଁ ତାଙ୍କ ମନ ଅମଙ୍ଗଳ ପାଞ୍ଚୁନି କି ତୁଣ୍ଡ ଅଭିଶାପ ଦେଉନି । କାରଣ ସବୁପରେ ସେ ଜଣେ ବାପା… ପୁଅ ସିନା ଘୃଣା କରି ଘରୁ ତଡିଦେଲା ହେଲେ ବାପା କଷ୍ଟକୁ କୋଳେଇ ନେଲା…

ଭୁବନେଶ୍ୱର ଫୁଲନଖରା ଓଭରବ୍ରିଜ ତଳେ ମୁମୂର୍ଷୁ ଅବସ୍ଥାରେ ପଡିଥିବା ଏ ଅସହାୟ ବାପା ଜଣଙ୍କ ହେଉଛନ୍ତି ଗଞ୍ଜାମ ଖଲିକୋଟ ଅଞ୍ଚଳର ବଲ୍ଲଭ ଦାସ । ଦିନ ମଜୁରିଆ ଭାବେ କାମ କରି ପେଟ ପୋଷୁଥିବା ବଲ୍ଲଭଙ୍କ ଟ୍ରାକ୍ଟର ଡାଲା ମାଡରେ ଗୋଡରେ ଗୁରୁତର ଆଘାତ ହୋଇଥିଲା । ପରବର୍ତ୍ତୀ ସମୟରେ ଚିକିତ୍ସା ଅଭାବରୁ ଗୋଡଟି ଛିଣ୍ଡି ପଡିଥିଲା । ଆଉ ଗୋଡ ପଚି ସଢିଯିବା ପରେ ଦୁର୍ଗନ୍ଧର ବାହାନା କରି ବାପାଙ୍କୁ ଘରୁ ତଡି ଦେଇଥିଲା ପୁଅ । ବାସ୍ ତାପରେ ଏହି ବ୍ରିଜ ତଳ ହିଁ ସବୁକିଛି ପାଲଟିଛି ଏ ବେସାହାରା ବାପାଙ୍କ ପାଇଁ…
ଗୋଡ ନଷ୍ଟ ହୋଇଯାଇଥିବାରୁ ପୁଅ ବୋହୂ ଦୂରେଇ ଦୂରେଇ ରହିବା । ଖାଇବାକୁ ନଦେବା ଭଳି ଅନେକ ଅବହେଳା, ଅଣଦେଖା କରନ୍ତି । ତେବେ ଫୁଲନଖରା ବ୍ରିଜ ତଳେ ଆଘାତପ୍ରାପ୍ତ ଅବସ୍ଥାରେ ପଡିଥିବା ବୃଦ୍ଧଙ୍କ ଏପରି ପରିସ୍ଥିତି ଦେଖି ତାଙ୍କୁ ସହଯୋଗ କରିଥିଲା ସଙ୍କଳ୍ପ ୟୁଥ କ୍ଲବ । ପ୍ରାଥମିକ ଅବସ୍ଥାରେ ବୃଦ୍ଧଙ୍କ ଘା ଘଉଡ ଗୋଡକୁ ଡ୍ରେସିଂ କରିବା ସହ ପରବର୍ତ୍ତୀ ସମୟରେ ତାଙ୍କର ଚିକିତ୍ସା କରାଇବାକୁ ପ୍ରତିଶ୍ରୁତି ଦେଇଛି ସ୍ୱେଚ୍ଛାସେବୀ ସଙ୍ଗଠନ ।

ତେବେ ଦିନେ ଯେଉଁ ବାପା, ପୁଅ ଗୋଡରେ କଣ୍ଟା ଫୁଟିବନି ବୋଲି ଚପଲ କିଣି ଦେଉଥିଲା, ନିଜେ ତାକୁ କୋଳେଇ ନେଉଥିଲା । ଆଜି ସେହି ବାପାର ପାଦ ନଷ୍ଟ ହେବା ପରେ କେମିତି ପର କରି ପାରିଲା ନିଷ୍ଠୁର ପୁଅ ? ଏଇ ହାତ ପୁଅର ଯେଉଁ ଦୁଇ ହାତକୁ ଧରି ଏଡୁଟେରୁ ଏଡଟେ କଲା, ସେହି ପୁଅ ଆଜି କେମିତି ବାପକୁ ହତାଦର କଲା ? ଆଜି ବଳ ବୟସ ନାହିଁ ବୋଲି ବୁଢାବାପାକୁ ବେସାହାରା କରିଦେଲ ସତ କିନ୍ତୁ ଥରେ ମନକୁ ପଚାର, ଭବିଷ୍ୟତ କଥା ଭାବ… ତମେ ବି ଦିନେ ବାପା ହେବ, ବୁଢା ବୟସରେ ପାଦ ଥାପିବ ? ଯଦି ତମ ପିଲାମାନେ ତୁମକୁ ଠିକ୍ ଏମିତି ଘରୁ ତଡି ଦିଅନ୍ତି, ବିଦା କରି ଦିଅନ୍ତି… ତେବେ କଣ କରିବ ? କାହାକୁ ଦୋଷ ଦେବ? ଭାଗ୍ୟକୁ ନା ନିଜ କଲାକର୍ମକୁ…?