ପ୍ରଧାନମନ୍ତ୍ରୀ ଆବାସ ପାଇଁ ବ୍ଲକ ଘେରାଉ ବେଳେ….ଘର ଖଣ୍ଡିଏ ପାଇଁ ଅଧିକାରୀଙ୍କ ପାଦ ଧରିଲେ ବୃଦ୍ଧ ।

93

କନକ ବ୍ୟୁରୋ: ଆବାସ ତାଲିକାରେ ଅଭାବୀଙ୍କ ନାଁ ନାହିଁ । ପଞ୍ଚାୟତ ଓ ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ତାଲିକାରେ ନାଁ ନ ଥିବାରୁ ପ୍ରଧାନମନ୍ତ୍ରୀ ଆବାସ ପାଇଁ ବ୍ଲକର ଅଫିସ ଘେରାଉ କରିଥିଲେ ହିତାଧୀକାରୀ । ଆଉ ଏତିକି ବେଳେ ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି । ଘର ଖଣ୍ଡିଏ ପାଇଁ ନେହୁରା ହୋଇ ବ୍ଲକ ଅଧିକାରୀଙ୍କ ପାଦ ଧରିଛନ୍ତି ଜଣେ ବୃଦ୍ଧା । ଖଟିଲେ ଖାଉଥିବା ବୃଦ୍ଧା ଜଣଙ୍କ ଜୀବନ କାଳରେ ପକ୍କା ଘରଟିଏ କରିପାରିବେ ନାହିଁ । ତେଣୁ ସରକାରୀ ବାବୁ ତାଙ୍କ କୁଡିଆର ଯାଞ୍ଚ କରି ଆବାସଟିଏ ଯୋଗାଇ ଦେବାକୁ ସେ ଦାବି କରିଛନ୍ତି ।

ତେବେ ଆଦିବାସୀ ଅଞ୍ଚଳର ବୃଦ୍ଧାଙ୍କ ଏହି ଗୁହାରି ସରକାରଙ୍କ ମାଳମାଳ ଯୋଜନାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛି । ପିଏମ୍ ଆବାସ ଯୋଜନାରେ କାହାକୁ ଘର ମିଳିବ ତାହା କିଏ ସ୍ଥିର କରୁଛି? ଆବାସ ଯୋଜନାରେ କିଭଳି ହିତାଧୀକାରି ଚୟନ ହେଉଛି ତାହା ପଦାରେ ପକାଇଛି?

ପ୍ରଧାନମନ୍ତ୍ରୀ ଆବାସ ଦାବି କରି କଳାହାଣ୍ଡି ଜୟପାଟଣାର ଶତାଧିକ ହିତାଧିକାରୀ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିବା ବେଳେ ଏହି ଅଭାବନୀୟ ଖବର ସାମ୍ନାକୁ ଆସିଥିଲା । ଭଙ୍ଗା କୁଡ଼ିଆରେ ରହୁଥିବା ବୃଦ୍ଧା ଜଣଙ୍କ ଏକ ଦାବିପତ୍ର ଧରି ବ୍ଲକ କାର୍ଯ୍ୟାଳୟର ପହଞ୍ଚି, ପକ୍କା ଘରଟିଏ ପାଇଁ ଅଧିକାରୀଙ୍କୁ ଆକୁଳ ନିବେଦନ କରିିଥିଲେ । ଜୀବଦଶା ଭିତରେ ପକ୍କା ଘର ଖଣ୍ଡିଏ କରିବା ସମ୍ଭବ ନୁହେଁ ବୋଲି ଜଣାଇବା ସହ ସରକାରୀ ସହାୟତା ପାଇଁ ଅନୁନୟ ହୋଇଥିଲେ ।

କେବଳ ସେହି ବୃଦ୍ଧା ନୁହନ୍ତି, ତାଙ୍କ ଭଳି ଆହୁରି ଅନେକ ଅଭାବୀ ମଣିଷ ରହିଛନ୍ତି । ଯେଉଁମାନେ ମୂଲ ଲାଗି ପେଟ ପୋଷୁଥିବା ବେଳେ ଭଙ୍ଗା ଦଦରା ଘରେ ରହୁଛନ୍ତି । ଜୟପାଟଣା ବ୍ଲକ ପାଇକେନ୍ଦୁମୁଣ୍ଡି ପଞ୍ଚାୟତର ୩ଟି ଗାଁର ଲୋକ ଚାଳ ଛପର ଘରେ ରହୁଥିଲେ ବି ହିତାଧିକାରୀ ତାଲିକାରେ ନାଁ ନଥିବାରୁ ବ୍ଳକ ଅଫିସ ଘେରାଉ କରିଛନ୍ତି । ଜୟପାଟଣା ବିଡ଼ିଓ ସେମାନଙ୍କ ଦାବି ଶୁଣି, ସରକାରୀ ବ୍ୟବସ୍ଥାରେ ତାଲିକା ପ୍ରସ୍ତୁତ କରିବା ନେଇ ପ୍ରତିଶ୍ରୃତି ଦେଇଛନ୍ତି ।

ଆବାସ ଦୁର୍ନୀତିକୁ ନେଇ ସାରା ରାଜ୍ୟରୁ ଏମିତି ଅନେକ ଖବର ଆସୁଛି । କେଉଁଠି ଥିଲାବାଲାଙ୍କୁ ଆବାସ ମିଳିଛି ତ କେଉଁଠି ଗୋଟିଏ ପରିବାରର ଏକାଧିକ ସଦସ୍ୟଙ୍କ ନାଁରେ କାର୍ଯ୍ୟାଦେଶ ମିଳିଛି । ହେଲେ ଜୟପାଟଣା ବ୍ଲକ ସମ୍ମୁଖରୁ ଆସିଥିବା ଏହି ଖବର ଆବାସ ଅବ୍ୟବସ୍ଥାର ମୁଖା ଖୋଲି ଦେଇଛି ।