୫ ମାସ ହେଲା ବୃଦ୍ଧାଙ୍କୁ ମିଳୁନି ବାର୍ଦ୍ଧକ୍ୟ ଭତା । ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ବି କେହି ଶୁଣୁନଥିବା କହିଲେ କାମାକ୍ଷାନଗର ସୁଶିଳା

96

କନକ ବ୍ୟୁରୋ : ଅଭାବୀ ମଣିଷର ଦୁଃଖ ଦୂର କରିବା ପାଇଁ ସରକାର କରିଛି କେତେ କଣ ଯୋଜନା । ଆଉ ସେହି ଯୋଜନା ବାବଦରେ ପ୍ରତି ମାସରେ କୋଟି କୋଟି ଟଙ୍କା ଖର୍ଚ ବି କରୁଛନ୍ତି । ହେଲେ ଯଦି ଜଣେ ୮୫ ବର୍ଷିୟ ବୃଦ୍ଧା ୫ ମାସ ଧରି ଭତା ଟଙ୍କା ନପାଆନ୍ତି, ତେବେ ସେ କେମିତି ସରକାରୀ ଯୋଜନା ଉପରେ ଭରସା କରିବେ ।

ଚମ ଧୁଡୁଧୁଡୁ ହୋଇ ଗଲାଣି । ପାଦେ ଚାଲିବା କଥା ଛାଡନ୍ତୁ, ଅଂଟା ସଳଖି ଠିଆ ହେବାକୁ ଆଉ ଜୁ ନାହିଁ । କାରଣ ବୟସ ୮୫ ଡେଇଁ ସାରିଛି । ବାର୍ଦ୍ଧକ୍ୟ ତାଙ୍କୁ ଗ୍ରାସ କରିଛି । କିନ୍ତୁ ଏ ବୟସରେ ତାଙ୍କ ଆଖିରୁ ଲୁହ ଝରୁଛି । କରାଣ ୫ ମାସ ହେଲା ତାଙ୍କୁ ଭତା ମିଳୁନି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବାଉଁଶପାଳ ପଂଚାୟତ କଇଁବିଲି ଗାଁର ସୁଶିଳା ସାହୁଙ୍କୁ ଭତା ଟଙ୍କା ମିଳିନଥିବାରୁ ସେ ଔଷଧ ଖାଇ ପାରୁନଥିବା ଅଭିଯୋଗ କରିଛନ୍ତି ।

ବୃଦ୍ଧାଙ୍କୁ ଭତା ଟଙ୍କା ମିଳୁନଥିବା ନେଇ ବାରମ୍ବାର ଅଭିଯୋଗ କଲେ ବି କୌଣସି ସୁଫଳ ମିଳୁନଥିବା କହିଛନ୍ତି ତାଙ୍କ ପୁଅ । ସୁଶିଳାଙ୍କୁ ବାର୍ଦ୍ଧକ୍ୟରେ ତ ଭତା ଟଙ୍କା ମିଳୁ ନାହିଁ, ସେ ଔଷଧ ଟିକିଏ ଖାଇ ପାରୁନାହାନ୍ତି, ମରିଗଲା ପରେ କଣ ମିଳିବ ବୋଲି କ୍ଷୋଭର ସହ ସ୍ଥାନୀୟ ଲୋକ କହିଛନ୍ତି ।