କନକ ବ୍ୟୁରୋ : ନନ୍ଦନକାନନକୁ ମିଳିଛି ଖୁସିର ଖବର । ପ୍ରଥମ ଥର ପାଇଁ ମା’ ହୋଇଛି ମଧ୍ୟପ୍ରଦେଶ ଇନ୍ଦୋରରୁ ଆସିଥିବା ଯୁବା ସିଂହୀ ‘ବିଜ୍ଲି’। ସିଂହ ‘ସମ୍ରାଟ୍’ ଔରସରୁ ବିଜ୍ଲି ୩ ଛୁଆ ଜନ୍ମ ଦେଇଛି । ପ୍ରଥମ ସନ୍ତାନଟି ମୃତ ଅବସ୍ଥାରେ ଜନ୍ମ ହୋଇଥିବା ବେଳେ ଅନ୍ୟ ଦୁଇ ଶାବକ ବେଶ୍ ସୁସ୍ଥ ଅଛନ୍ତି । ପ୍ରଥମ ଥର ମା’ ହୋଇଥିବାରୁ ବିଜ୍ଲି ତା’ ଛୁଆଙ୍କୁ ବଡ଼ ସରାଗରେ କେବଳ ଚାଟୁଛି ସିନା, ଦୁଧ ପିଆଇ ପାରୁନାହିଁ । ତେଣୁ ଛୁଆ ଦୁଇଟିଙ୍କୁ ଏବେ ମା’ ପାଖରୁ ଅଲଗା କରି କର୍ମଚାରୀମାନଙ୍କ ତତ୍ତ୍ବାବଧାନରେ ବୋତଲ ଦୁଧ ପିଆଇ ରଖାଯାଇଛି । ଦୁଇ ସିଂହ ଶାବକଙ୍କ ଲିଙ୍ଗ ନିରୂପଣ ହୋଇନାହିଁ । ଏହି ନବଜାତକ ଦ୍ବୟଙ୍କୁ ନେଇ ଏବେ ନନ୍ଦନକାନନରେ ସିଂହ ସଂଖ୍ୟା ୧୮ ହୋଇଛି ।
ନିୟମାନୁସାରେ ସିଂହ ଗର୍ଭଧାରଣର ୧୦୪ ଦିନରେ ପ୍ରସବ କରନ୍ତି। କିନ୍ତୁ ବିଜ୍ଲି କ୍ଷେତ୍ରରେ ବ୍ୟତିକ୍ରମ ଦେଖା ଦେଇଛି । ସେ ୧୦୬ ଦିନରେ ଜନ୍ମ ଦେଇଛି। ଏହି ବିଳମ୍ବକୁ ନେଇ ନନ୍ଦନକାନନ କର୍ତ୍ତୃପକ୍ଷ ଚିନ୍ତାରେ ଥିଲେ । କିଛି ଅଘଟଣ ଘଟିବା ଆଶଙ୍କା ଥିଲା। ତେଣୁ ଓୟୁଏଟିର ବିଶେଷଜ୍ଞମାନଙ୍କ ସହଯୋଗ ନିଆଯାଇଥିଲା। ମାତ୍ର ସୌଭାଗ୍ୟକୁ ବିଜ୍ଲିର ପ୍ରଥମେ ମୃତ ଶାବକ ଜନ୍ମ ଦେଇଥିଲେ ବି ଅନ୍ୟ ଦୁଇ ସନ୍ତାନ ବେଶ୍ ସୁସ୍ଥ ଅବସ୍ଥାରେ ଜନ୍ମ ନେଇଛନ୍ତି । ସିସିଟିଭି ଫୁଟେଜ୍ରୁ ଏହି ଦୃଶ୍ୟ ଦେଖିବା ପରେ ନନ୍ଦନକାନନ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳି ଯାଇଥିଲା। ପ୍ରଥମ ମୃତ ଶିଶୁଟି ପାଇଁ ଦୁଃଖ ପ୍ରକାଶ ପାଇଥିଲେ ବି ଦୁଇ ସୁସ୍ଥ ଶିଶୁଙ୍କ ଖୁସି ସେହି ଦୁଃଖକୁ ଲାଘବ କରିଥିଲା । ସକାଳ ସାରା ବିଜ୍ଲି ଛୁଆ ଦୁଇଟିଙ୍କୁ କେବଳ ଚାଟୁଥିବାରୁ ଦୃଶ୍ୟ ଦେଖିବାକୁ ମିଳିଥିଲା । କିନ୍ତୁ ଛୁଆ ଦୁଇଟି ମା’ ପାଖରେ ଖେଳୁଥିଲେ ବି ସେ ସେମାନଙ୍କୁ ସ୍ତନ୍ୟପାନ କରାଇବା ଦେଖାଯାଇନଥିଲା। ପ୍ରଥମ ଥର ମା’ ହୋଇଥିବା ବିଜ୍ଲି ସ୍ତନ୍ୟପାନ କରାଇବା ଜାଣିନଥିବାରୁ ଛୁଆ ଦୁଇଟିଙ୍କ ପ୍ରତି ବିପଦ ଥିଲା। ତେଣୁ ତୁରନ୍ତ ମା’ଠାରୁ ପିଲା ଦୁଇଟିଙ୍କୁ ଅଲଗା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/vlcsnap-2021-07-22-08h05m22s859.png)