ରାଜଧାନୀର ରକ୍ତ ଚରିତ୍ର ଗ୍ୟାଙ୍ଗ ପଛରେ ଧାଉଁଛି ପୁଲିସ: ଏଯାଏଁ ଧରା ପଡ଼ିଛନ୍ତି ୫ ଅଭିଯୁକ୍ତ 

144

କନକ ବ୍ୟୁରୋ: ରାଜଧାନୀ ରାସ୍ତାରେ ମାରଣାସ୍ତ୍ର, ବନ୍ଧୁକ ଧରି ଆତଙ୍କିତ କରୁଥିବା ଗ୍ୟାଙ୍ଗ ଏବେ କମିସନରେଟ ପୁଲିସର ଟାର୍ଗେଟକୁ ଆସିଛି । ଭାଇରାଲ ଭିଡିଓ ଅଧାରରେ ଗ୍ୟାଙ୍ଗର ୫ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି । ସେମାନଙ୍କ ପାଖରୁ ବନ୍ଧୁକ, ମାରଣାସ୍ତ୍ର ଜବତ କରାଯାଇଛି । ସେମାନଙ୍କୁ ପଚରା ଉଚରା କରି ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରୁଛି ପୁଲିସ । ଗିରଫଦାରି ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ବି ଚାଲିଛି । ଏପରି କି ଗ୍ୟାଙ୍ଗ ସଦସ୍ୟଙ୍କ ସଂପର୍କୀୟଙ୍କ ଘର ଉପରେ ମଧ୍ୟ ପୁଲିସ ନଜର ରଖିଛି ।

ରାତିରେ ରାଜଧାନୀ ରାଜରାସ୍ତାରେ ରକ୍ତ ଚରିତ୍ର ଗ୍ୟାଙ୍ଗର ଉତ୍ପାତ ସଂପର୍କିତ ଖବର ଗଣମାଧ୍ୟମରେ ଆସିବା ପରେ ପ୍ରଶ୍ନ ଘେରକୁ ଆସିଯାଇଛି କମିସନରେଟ ପୁଲିସ । ତେଣୁ ଗ୍ୟାଙ୍ଗର ସମସ୍ତ ସଦସ୍ୟଙ୍କୁ ଗିରଫ କରିବାକୁ ପୁଲିସ ଅଂଟା ଭିଡିଛି ।

ଗୋଟିଏ ପଟେ ରକ୍ତ ଚରିତ୍ର ଗ୍ୟାଙ୍ଗ ସଦସ୍ୟ ଗୋଟିଏ ପରେ ଗୋଟିଏ ଧରା ପଡୁଛନ୍ତି । ଗିରଫରୁ ବଂଚିବାକୁ କିଛି ସଦସ୍ୟ ରାଜଧାନୀ ଛାଡି ଅନ୍ୟ କେଉଁଠି ଲୁଚିଛନ୍ତି । ଆଉ ଏପଟେ ତାଙ୍କ ଆତଙ୍କିତ କଲା ଭଳି ଭିଡିଓ ଗୋଟିଏ ପରେ ଗୋଟିଏ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏବେ ସାମ୍ନାକୁ ଆସିଥିବା ଭାଇରାଲ ଭିଡିଓରେ ଜଣେ ଯୁବକ ଆକାଶକୁ ଲକ୍ଷ୍ୟ କରି ଗୁଳି ବର୍ଷା କରୁଛି ।

ପ୍ରଶ୍ନ ଉଠୁଛି ସର୍ବାଧିକ ସୁରକ୍ଷା ବଳୟରେ ଥିବା ରାଜଧାନୀରେ ମାରଣାସ୍ତ୍ର, ବନ୍ଧୁକ ଧରି କେମିତି ନିର୍ଭୟରେ ବୁଲୁଛନ୍ତି ଅପରାଧୀ? କେଉଁଠୁ ଆସୁଛି ଏତେ ମାତ୍ରାରେ ମାରଣାସ୍ତ୍ର ଓ ବନ୍ଧୁକ ? କିଏ ଯୋଗାଉଛି ଏସବୁ ଅସ୍ତ୍ରଶସ୍ତ୍ର?