ସାମ୍ନାକୁ ଆସିଲା ସୁଶାନ୍ତ ଓ ରିୟାଙ୍କ ନୂଆ ଭିଡିଓ । ଜାଣନ୍ତୁ ଭିଡିଓରେ ଥିବା ହ୍ୱାଇଟ ବୋର୍ଡରେ ସୁଶାନ୍ତ ଲେଖିଥିଲେ କଣ ?

1,979

କନକ ବ୍ୟୁରୋ : ସୁଶାନ୍ତ ଓ ରିଆଙ୍କ ଏକ ନୂଆ ଭିଡିଓ ଏବେ ସାମ୍ନାକୁ ଆସିଛି । ଏକ ଧଳା ବୋର୍ଡରେ ମାର୍କର ପେନରେ ସୁଶାନ୍ତ ଏହି ଭିଡିଓରେ ଏକ ଚାର୍ଟ ବନାଉଥିବା ଦେଖିବାକୁ ମିଳୁଛି । ଭିଡିଓରେ ଅନ୍ୟଜଣେ ଅଜଣା ବ୍ୟକ୍ତି ମଧ୍ୟ ଅଛନ୍ତି । ସେହିପରି ଭିଡିଓକୁ କେହିଜଣେ ସୁଟ ମଧ୍ୟ କରୁଛନ୍ତି । ବ୍ୟାକଗ୍ରାଉଣ୍ଡରେ ମ୍ୟୁଜିକ ବାଜୁଛି । ଏବଂ ସୁଶାନ୍ତ ଓ ରିଆ ଖୁସି ମୁଡରେ ଥିବା ଦେଖିବାକୁ ମିଳୁଛି ।

ସୁଶାନ୍ତ ଓ ରିଆଙ୍କ ନୂଆ ଭିଡିଓ । ଏହା ପୂର୍ବରୁ ଏକାଧିକ ଭିଡିଓରେ ସୁଶାନ୍ତ ନିଶା କରୁଥିବା କିମ୍ବା ନିଶା ନେଇ ଅସ୍ୱାଭାବିକ ବ୍ୟବହାର କରୁଥିବାର ଦୃଶ୍ୟସବୁ ସାମ୍ନାକୁ ଆସିଥିଲା । ହେଲେ ପ୍ରଥମଥର ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ରିଆଙ୍କ ସହିତ ତାଙ୍କର ଏକ ସୁଖଦ ମୁହୂର୍ତର ଭିଡିଓ ଏବେ ସାମ୍ନାକୁ ଆସିଛି । କୁହାଯାଉଛି ଯାଂଚ ଏଜେନ୍ସି ହାତରେ ମଧ୍ୟ ଏହି ଭିଡିଓ ଲାଗିଛି । ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟିଡେ ହାତରେ ଲାଗିଥିବା ଏହି ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

କାରଣ ଏହି ଭିଡିଓରେ ଅଭିନେତା ସୁଶାନ୍ତ ସିଂ ଏକ ହ୍ୱାଇଟ ବୋର୍ଡରେ ଏକ ଫ୍ଲୋ-ଚାର୍ଟ କରୁଥିବାର ଦେଖାଯାଉଛି । ଆଉ ପାଖରେ ଏକ ଟେବୁଲ ଉପରେ ରିଆ ମଧ୍ୟ ବସିରହିଛନ୍ତି । ଦୁହେଁ ଖୁବ ଖୁସି ଥିବା ଭିଡିଓରୁ ଜଣା ପଡୁଛି । ପଛରେ ମ୍ୟୁଜିକ ବାଜୁଥିବା ମଧ୍ୟ ଶୁଣିବାକୁ ମିଳୁଛି ।
ଏକ ଆରୋ ମାର୍କ କରି ଏହି ଫ୍ଲୋ-ଚାର୍ଟରେ ପ୍ରଥମେ ଆରସି ଲେଖିଛନ୍ତି ସୁଶାନ୍ତ ସିଂ । ଅନୁମାନ କରାଯାଉଛି ଆରସି ଅର୍ଥାତ ରିଆ ଚକ୍ରବର୍ତୀ । ଏହାପରେ ତଳକୁ ଲେଖାଯାଇଛି ଏକେ । ତେବେ ଏହି ଏକେ କିଏ ବା କେଉଁ ଜିନିଷକୁ ଇସାରା କରୁଛି ସେନେଇ ଯାଂଚ ଏଜେନ୍ସି ଅଧିକ ଛାନଭିନ ଚଳାଇଛନ୍ତି । ଏକେ କୁ ଡିକୋଡ କରିବାରେ ଲାଗିଛନ୍ତି ସୁଶାନ୍ତ ମୃତ୍ୟୁ ମାମଲାର ଯାଂଚ କରୁଥିବା ଯାଂଚ ଏଜେନ୍ସି । ଏହାପରେ ଲେଖାଯାଇଛି ଏସଏସଆର, ଅର୍ଥାତ ସୁଶାନ୍ତ ସିଂ ରାଜପୁତ ।

ଏବେ ଶେଷକୁ ଲେଖିଛନ୍ତି ଅନ କହି ବାତେଁ, ଅର୍ଥାତ ଅକୁହା କଥା । ଏବେ ସୁଶାନ୍ତଙ୍କ ବ୍ୟକ୍ତିଗତ ଜୀବନରେ କଣ ଚାଲିଥିଲା ତାକୁ ଜାଣିବା ପାଇଁ ଅଧିକ ଅନୁସନ୍ଧାନ ଚଳାଇଛନ୍ତି ଯାଂଚ ଏଜେନ୍ସି । ତେଣୁ ଏହି ଫ୍ଲୋ-ଚାର୍ଟରେ ସୁଶାନ୍ତ ଯେଉଁ ଅନ କହି ବାତେଁ ଅର୍ଥାତ ଅକୁହା ରହିଯାଇଥିବା କଥା ବାବଦରେ ଇସାରା କରିଛନ୍ତି, ତାହା କଣ ବୋଲି ଜାଣିବାକୁ ମଧ୍ୟ ପ୍ରୟାସ କରାଯାଉଛି ।

ଅନୁମାନ କରାଯାଉଛି ଗତ ୨ ବର୍ଷ ଭିତରେ ସୁଶାନ୍ତଙ୍କ ଜୀବନ ସଂପୂର୍ଣ୍ଣ ବଦଳି ସାରିଥିଲ । କାରଣ ସୁଶାନ୍ତଙ୍କ ଫାର୍ମ ହାଉସରୁ ମିଳିଥିବା ତାଙ୍କ ହାତଲେଖା ନୋଟରେ ଜୀବନ ଓ କ୍ୟାରିୟରକୁ ସଜାଡିବା ପାଇଁ ଯୋଜନା ବନାଉଥିଲେ ସୁଶାନ୍ତ । ହେଲେ ରିଆ ତାଙ୍କ ଜୀବନରେ ଆସିବା ପରେ ଯେମିତି ବଦଳିଗଲା ତାଙ୍କ ଜୀବନର ଗତିପଥ । ସ୍ମୋକିଂ ଛାଡିବାକୁ ଚାହୁଁଥିବା ସୁଶାନ୍ତ କିଭଳି ଡ୍ରଗ୍ସ ନେବା ଆରମ୍ଭ କଲେ ଓ ନିଜ ଘରେ କିମ୍ବା ଫାର୍ମ ହାଉସରେ ମଧ୍ୟ ଡ୍ରଗ୍ସ ପାର୍ଟି କରୁଥିଲେ ତାର ଭିଡିଓ ସବୁ ସାମ୍ନାକୁ ଆସିଥିଲା ।

 

ସୁଶାନ୍ତ ନିଜ ନିତିଦିନିଆ କାମ କିମ୍ବା କ୍ୟାରିୟର ପ୍ଲାନିଂକୁ ଏହିଭଳି ଫ୍ଲୋ-ଚାର୍ଟ ଜରିଆରେ ବାରମ୍ବାର ଦର୍ଶାଉଥିଲେ ବା ଲେଖୁଥିଲେ । କୁହାଯାଉଛି ସୁଶାନ୍ତ ଜଣେ ଉଚ୍ଚଶିକ୍ଷିତ ଅଭିନେତା ଥିଲେ । ତେଣୁ ଜୀବନକୁ ଦେଖିବାର ନଜରିଆ ତାଙ୍କର ଭିନ୍ନ ଥିଲା । ଆଉ ପ୍ରାୟ ସେ ଏହିଭଳି ବ୍ୟକ୍ତିଗତ ଜୀବନ କିମ୍ବା ଘଟୁଥିବା ଘଟଣାକୁ ପେନ, ପେପର କୁହନ୍ତୁ କିମ୍ବା ହ୍ୱାଇଟବୋର୍ଡରେ ଚିତ୍ରକାଟି ଲେଖୁଥିଲେ । ସାମ୍ନାକୁ ଆସିଥିବା ଏହି ଭିଡିଓଟି ମୃତ୍ୟୁର ଅଲ୍ପଦିନ ପୂର୍ବର ବୋଲି ମଧ୍ୟ ଦାବି କରାଯାଉଛି । ଏହି ଭିଡିଓକୁ ଯାଂଚ ଏଜେନ୍ସି ଜବତ କରି ସୁଶାନ୍ତଙ୍କ ଜୀବନରେ କଣ ଚାଲିଥିଲା ଏବଂ ଏଥିରେ ଗର୍ଲଫ୍ରେଣ୍ଡ ରିଆ ଚକ୍ରବର୍ତୀଙ୍କ ଭୂମିକା କଣ ଥିଲା ସେସବୁ ବାବଦରେ ଜାଣିବାକୁ ଚାହୁଁଛି । ଅନୁମାନ କରାଯାଉଛି ସୁଶାନ୍ତ ମୃତ୍ୟୁର ରହସ୍ୟ ଖୋଲିବାରେ ସହାୟତା କରିପାରେ ଏହି ଭିଡିଓ ।