ଭିନ୍ନକ୍ଷମ ମହିଳାଙ୍କୁ ଯୌନଶୋଷଣ ମାମଲାରେ ଆସିଲା ନୂଆ ଟୁଇଷ୍ଟ । ଅଭିଯୋଗକାରୀ ମହିଳା ବନିଲେ ଅଭିଯୁକ୍ତ ।

817

କନକ ବ୍ୟୁରୋ : ଭିନ୍ନକ୍ଷମଙ୍କୁ ହେଉଛି ଯୌନଶୋଷଣ । ଦିଆଯାଉଛି ମାନସିକ ନିର୍ଯାତନା । ଭିନ୍ନକ୍ଷମଙ୍କ ନାଁରେ ହେଉଛି ଟଙ୍କା ହଡ଼ପ । ଏହିଭଳି କିଛି ସାଂଘାତିକ ଅଭିଯୋଗ ଆସିବା ପରେ ସାରା ରାଜ୍ୟରେ ହଇଚଇ ଖେଳି ଯାଇଥିଲା । ବିଭାଗୀୟ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମହିଳା କମିସନ ପର୍ଯ୍ୟନ୍ତ ଏହି ମାମଲାରେ ହସ୍ତକ୍ଷେପ କରିଥିଲେ । ଏପଟେ ଅଭିଯୋଗର ଛାନଭିନ କରି କମିସନରେଟ୍ ପୁଲିସ ଯେଉଁ ନିର୍ଯାସରେ ପହଁଚିଛି, ତାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଜଣେ ଅଭିଯୋଗକାରୀ ମହିଳା ବି ଯୌନ ନିର୍ଯାତନା ଘଟଣାର ଅଭିଯୁକ୍ତ ବୋଲି ଜାଣିବାକୁ ପାଇଛି ପୋଲିସ । ଏହି ମହିଳା ଜଣକ କ୍ୟାମେରା ଆଗରେ କାନ୍ଦି କାନ୍ଦି ଯୌନ ନିର୍ଯାତନାର ଶିକାର ହୋଇଥିବା ନେଇ ଅଭିଯୋଗ କରିଥିଲେ ।

ଭୁବନେଶ୍ୱର ପଳାସପଲ୍ଲୀ ସ୍ଥିତ ନିଖିଳ ଉକ୍ରଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘରେ ଦୀର୍ଘଦିନ ଧରି ଚାଲିଥିବା ଯୌନ କେଳେଙ୍କାରୀ ଘଟଣାରୁ ନିଜେ ପର୍ଦ୍ଦା ଉଠାଇଛି ସଂସ୍ଥାର ସଂପାଦକ ସୁରେଶ ବେହେରା । ବାରମ୍ବାର ଜେରା ଓ ସିସିଟିଭି ଫୁଟେଜ୍ରୁ ପ୍ରମାଣ ମିଳିବା ପରେ କେଳେଙ୍କାରୀର କଳା କାହାଣୀ ନିଜେ ବଖାଣିଛି ମୁଖ୍ୟ ଅଭିଯୁକ୍ତ ।

ଅଡିଟର ଓ ଅଫିସରମାନଙ୍କୁ ଖୁସି କରି ଅନୁଦାନର ଅର୍ଥକୁ ହଡ଼ପ କରୁଥିଲା ସୁରେଶ । ଦେହଜୀବୀଙ୍କ ପଛରେ ଅନୁଦାନ ଟଙ୍କା ଉଡାଉଥିଲା, ସ୍ୱଳ୍ପ ପରିମାଣର ଷ୍ଟାଇପେଣ୍ଡ ଦେଇ ଇନଷ୍ଟ୍ରକଟରମାନଙ୍କୁ ଖଟାଉଥିଲା । ପୋଲିସ ଜାଣିବାକୁ ପାଇଛି, ଖୋର୍ଦ୍ଧା ଜିଲ୍ଲା ସାମାଜିକ ନିରାପତା ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ ସଂଗ୍ରାମ ଦାସ, ସୁରେଶର ଏହି କଳା କାମ ସହାୟତା କରୁଥିଲେ, ଅଭିଯୋଗକୁ ତଳୁ ହିଁ ଚାପି ଦେଉଥିଲେ । ହଡ଼ପ କରୁଥିବା ଅନୁଦାନ ଅର୍ଥର କିଛି ଭାଗ ପ୍ଲେସମେଂଟ ଅଧିକାରୀ ଥିବା ରାକେଶ ଷଡ଼ଙ୍ଗୀ, କଟକର ଜଣେ ମହିଳା ଓ ସଂସ୍ଥାରେ ବିଉଟିସିଆନ୍ ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କୁ ଦେଉଥିଲା ସୁରେଶ ।

ଗତ ନଭେମ୍ବର ମାସରେ ସୁରେଶଙ୍କ ବିରୋଧରେ ଠକେଇ, ଯୌନ ନିର୍ଯାତନାର ଅଭିଯୋଗ ଆସିଥିଲା । ପ୍ରଥମେ ଜଣେ ମହିଳା ଇନଷ୍ଟ୍ରକଟର୍ଙ୍କୁ ଗରିଫ କରିବା ପରେ ଏବେ ସୁରେଶ ସମେତ ଆଉ ୬ ଜଣଙ୍କୁ ଗିରଫ କରିଛି କମିସନରେଟ୍ ପୋଲିସ । ସେମାନଙ୍କ ମଧ୍ୟରେ ରହିଛି ଜଣେ ଅଭିଯୋଗକାରିଣୀ । ଯୌନ ଶୋଷଣ କାରବାରରେ ସେ ସାମିଲ ଥିବା, ଜାଣିବାକୁ ପାଇଛି ପୋଲିସ ।