ବର୍ଷା-ଅନୁଭବ ବିଦାଦରେ ନୂଆ ମୋଡ଼ । ବର୍ଷାଙ୍କ ସଂଘାତିକ୍ ଅଭିଯୋଗ, କହିଲେ, ଘରୁ ବାହାର କରିବା ପାଇଁ ହେଉଛି ଷଡଯନ୍ତ୍ର

459

କନକ ବ୍ୟୁରୋ : ରିଲ୍ ଲାଇଭ୍ ବର୍ଷା-ଅନୁଭବ ଯୋଡ଼ି ଯେତିକି ସଫଳ, ରିୟଲ ଲାଇଭ୍ ସେତିକି ବିବାଦୀୟ । ଦାମ୍ପତ୍ୟ ଜୀବନରେ ଉଠିଥିବା ଝଡ଼, ଶାନ୍ତ ହେବାର ତ’ ନାଁ ଧରୁନି ବରଂ ଦିନକୁ ଦିନ ଆହୁରୀ ତୀବ୍ର ହେବାରେ ଲାଗିଛି । ଆଉ ଏହାରି ଭିତରେ ସାମ୍ନାକୁ ଆସିଛି ଏକ ନୂଆ ମୋଡ଼ ।

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଅଭିଯୋଗ କରିଛନ୍ତି, ଯେ ତାଙ୍କୁ ଘରୁ ବାହାର କରିବା ପାଇଁ ଉଦ୍ୟମ କରାଯାଉଛି । ଘର ମରାମତି ଆଳରେ ଶାଶୁଘର ଛାଡ଼ି ଯିବାକୁ କୁହାଯାଉଥିବା ସେ ଦାବି କରିଛନ୍ତି । ଆଉ ଏନେଇ ଥାନାରେ ଦ୍ୱାରସ୍ତ ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ
ଥାନାରେ ବର୍ଷର୍ା କରିଥିବା ଲିଖିତ ଅଭିଯୋଗ ଅନୁସାରେ- ଗତ ୨୭ ତାରିଖ ଦିନ ୧୨ଟା ୩୦ରେ ମୋ ଶାଶୂ ଡାକି କହିଲେ ଘରର କିଛି ପାଣି ପାଇପ ଓ ପାଇଖାନା ଟାଙ୍କିର ମରାମତି ହେବ । ଆସନ୍ତାକାଲି ଅର୍ଥାତ ୨୮ ତାରିଖ ସକାଳୁ ପରିବାରର ସମସ୍ତ ସଦସ୍ୟ ଘର ଛାଡିବାକୁ ପଡିବ । ଏହା ତାଙ୍କୁ ଘରୁ ବାହାର କରିବାକୁ ଏକ ସୁଚିନ୍ତିତ ଯୋଜନା । ଶାଶୁଘର ଛଡା ଅନ୍ୟ କେଉଁଠି ରହିବାର ବିକଳ୍ପ ନାହିଁ । ତେଣୁ ଶାଶୁ ଘରେ ରହିବା ପାଇଁ ମୋତେ ସୁରକ୍ଷା ଯୋଗାଇ ଦିଆଯାଉ । ଏଭଳି ହେଲେ ସେ ସମସ୍ୟାର ସାମ୍ନା କରିବେ, କାରଣ ସେ ଜଣେ ସାଂସଦଙ୍କ ସ୍ତ୍ରୀ । ତେଣୁ ମାମଲାର ତଦନ୍ତ କରି ପଦକ୍ଷେପ ନିଆଯାଉ ।

ଅନ୍ୟପଟେ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ଥାନାରେ ଦ୍ୱାରସ୍ତ ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତିଙ୍କ ମା ମଧୁସ୍ମିତା ମହାନ୍ତି । ଅନୁଭବ ମହାନ୍ତିଙ୍କ ମା ମଧୁସ୍ମିତା ମହାନ୍ତିଙ୍କ କହିବା କଥା ହେଲା, କଟକ ଚୌଧୁରୀ ବଜାର ନନ୍ଦିସାହିରେ ସେ ରହୁଥିବା ଘର ୬୦ ବର୍ଷ ପୁରୁଣା । କିଛିଦିନ ତଳେ ପାଇଖାନା ଟାଙ୍କିରେ ସମସ୍ୟା ଦେଖାଦେବାରୁ ଏହାର ମରାମତି ପାଇଁ ମିସ୍ତ୍ରୀଙ୍କୁ ଯୋଗାଯୋଗ କରିଥିଲେ । ମରାମତି ୧୦ ଦିନ ଲାଗିବ ବୋଲି ମିସ୍ତ୍ରୀ କହିଥିଲେ । ତେଣୁ ଏହି ୧୦ ଦିନ ପାଇଁ ଘର ଛାଡି ବକ୍ସିବଜାର ସ୍ଥିତ ତାଙ୍କ ବାପଘରକୁ ଯିବାକୁ ବୋହୂ ବର୍ଷାଙ୍କୁ ଅନୁରୋଧ କରିଥିଲେ ।

ବକ୍ସିବଜାର ସ୍ଥିତ ବାପଘରେ ରହି ପ୍ରତ୍ୟେକ ଦିନ ନନ୍ଦିସାହି ଆସି ମରାମତି କାମ ଦେଖିବାକୁ କହିଥିଲେ । କିନ୍ତୁ କୌଣସି କାରଣ ନ ଦର୍ଶାଇ ବର୍ଷା ଘର ଛାଡୁନାହାନ୍ତି । ଏହାଦ୍ୱାରା ସେ , ତାଙ୍କ ସ୍ୱାମୀ ଓ ଘରର ଅନ୍ୟ ସଦସ୍ୟ ସମସ୍ୟା ଭୋଗୁଛନ୍ତି । ତେଣୁ ଥାନା କର୍ତୃପକ୍ଷ ଘରକୁ ଆସି ସମସ୍ତ ତଥ୍ୟ ଦେଖି ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।

ବର୍ଷା-ଅନୁଭବ ବିବାଦ କଟକରୁ ଯାଇ ଦିଲ୍ଲୀରେ ପହଂଚିଛି । ବିବାହ ବିଚ୍ଛେଦ ମାମଲା ପଟିଆଲ କୋର୍ଟରୁ କଟକ ସ୍ଥାନନ୍ତର ନେଇ ବର୍ଷା କରିଥିବା ଆବେଦନର ଶୁଣାଣି କରି, ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି । ମଧ୍ୟସ୍ତତା କେନ୍ଦ୍ରରେ ଆସି ବର୍ଷା ଓ ଅନୁଭବ ଆପୋଷ ସମାଧାନ ପାଇଁ ଚେଷ୍ଟା କରନ୍ତୁ । ଆଉ ଏହାରି ଭିତରେ ନୂଆ ନୂଆ ଘଟଣା ସବୁ ଘଟି ଚାଲିଛି ।