କନକ ବ୍ୟୁରୋ: ଲକ୍ଷ ଲକ୍ଷ ଭୂତ ରାସନକାର୍ଡ ହିତାଧିକାରୀଙ୍କ ନାଁରେ କେମିତି କୋଟି କୋଟି ଟଙ୍କା ଚାଉଳ କେଳେଙ୍କାରୀ ହୋଇଛି ସେନେଇ କନକ ନ୍ୟୁଜ ଖବର ପ୍ରସାରଣ କରିଥିଲା । ହେଲେ କେବଳ ଭୂତ ହିତାଧିକାରୀ ନୁହନ୍ତି, ଚାଉଳ ଓଜନରେ ବି ହେରଫେର ହେଉଛି। ଏଥିପାଇଁ ହିତାଧିକାରୀ ଡିଲରଙ୍କୁ ଦାୟୀ କରୁଥିବାବେଳେ, ଡିଲର ଯୋଗାଣ ବିଭାଗର ଠିକାଦାର ଠକୁଥିବା ଅଭିଯୋଗ କରିଛନ୍ତି।
ତେବେ ଯୋଗାଣ ମନ୍ତ୍ରୀ ଏନେଇ ତୀବ୍ର ପ୍ରତିକ୍ରିୟା ରଖିବା ପରେ, ଯୋଗାଣ ବିଭାଗ ଠିକାଦାରଙ୍କ ଉପରେ ଦୋଷ ଲଦିଛି ଡିଲର ମହାସଂଘ। ଡିଲରଙ୍କ ପାଖରେ ଚାଉଳ ପହଞ୍ଚିବାବେଳେକୁ ଚାଉଳ କମ୍ ରହୁଥିବା ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଏଫସିଆଇ ଗୋଦାମରୁ ଚାଉଳ, ରାଜ୍ୟ ପଣ୍ୟାଗାରକୁ ଆସିଥାଏ। ପଣ୍ୟାଗାରରୁ ରିଟେଲ ପାଇଲଟ ମାନେ ଚାଉଳ ବିଭିନ୍ନ ଜିଲ୍ଲାସ୍ତରକୁ ନେଇଥାନ୍ତି। ଏହାପରେ ଚାଉଳ ବ୍ଲକ ସ୍ତରରେ ବଣ୍ଟନ ହୁଏ। ସେଠାରୁ ଡିଲରମାନେ ନେଇ ପଞ୍ଚାୟତ ସ୍ତରରେ ଖାଉଟିକୁ ବଣ୍ଟନ କରିଥାନ୍ତି। ଏଫସିଆଇ ଗୋଦାମରୁ ଚାଉଳ ପଞ୍ଚାୟତସ୍ତରରେ ଯାଇ ପହଞ୍ଚିବା ଭିତରେ ବାଟମାରଣା ହେଉଛି ବୋଲି ଅଭିଯୋଗ ହେଉଛି।
ନିର୍ଦ୍ଧାରିତ ମାନ ଅନୁସାରେ, ଗୋଟିଏ ବସ୍ତାରେ ୫୦ କିଲୋ ୫୭୦ ଗ୍ରାମ ଓଜନର ଚାଉଳ ରହିବା କଥା। ହେଲେ ଓଜନ କଣ୍ଟାରୁ ଜଣାପଡୁଛି, କେଉଁ ବସ୍ତାରେ ୪୭ କିଲୋ ୧୧୦ ଗ୍ରାମ ରହୁଛି, ତ କେଉଁଠି ୪୫ କିଲୋ ୫୩୦ ଗ୍ରାମ ଚାଉଳ ରହୁଛି। ଯେଉଁଥିରୁ ଗୋଟିଏ କଥା ସ୍ପଟ ହୋଇଛି ଭୂତ ହିତାଧିକାରୀଙ୍କ ଭଳି ଚାଉଳ ଓଜନରେ କୋଟି କୋଟି ଟଙ୍କାର କେଳେଙ୍କାରୀ ହୋଇଛି। ଆଉ ଏହାରି ଭିତରେ ଦୁର୍ନୀତିଗ୍ରସ୍ତଙ୍କୁ କଡା ଚେତାବନୀ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ।