ହକିରେ ଯୋଡି ହେଲା ନୂଆ ଅଧ୍ୟାୟ। ଉଦଘାଟିତ ହେଲା ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ।

171

କନକ ବ୍ୟୁରୋ: ବିଶ୍ୱ ଦେଖିବ ଅତ୍ୟାଧୁନିକ ସୁବିଧା ସୁଯୋଗ ଥିବା ହକି ଷ୍ଟାଡିୟମ । ରାଉରକେଲାରେ ବିର୍ସାମୁଣ୍ଡା ଷ୍ଟାଡିୟମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ଏହି ବିର୍ସାମୁଣ୍ଡା ଷ୍ଟାଡିୟମରେ ବିଶ୍ୱ ଦେଖିବ ପୁରୁଷ ବିଶ୍ୱକପ ହକି । ଏହି ଷ୍ଟାଡିୟମରେ ଆସନ୍ତା ୧୩ ତାରିଖରୁ ଖେଳାଯିବ ହକି ମ୍ୟାଚ । ଆଉ ବିଶ୍ୱକପ ମ୍ୟାଚ ପାଇଁ ହକିର ଏନ୍ତୁଡିଶାଳ ସୁନ୍ଦରଗଡ ଓ ରାଉରକେଲା ଚମକୁଛି । ଉଦଘାଟିତ ହୋଇଥିବା ଷ୍ଟାଡିୟମ ବି ଝଲସୁଛି । ଷ୍ଟାଡିୟମକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ହକିକୁ ଭଲ ପାଉଥିବା ସମସ୍ତ ଲୋକଙ୍କୁ ଏହି ଷ୍ଟାଡିୟମ ଉତ୍ସର୍ଗ । ସରକାର ଦାବି କରିଛନ୍ତି, ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମ ହେଉଛି ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମ । ବିର୍ସାମୁଣ୍ଡା ହକି ଷ୍ଟାଡିୟମ
-ରେକର୍ଡ ୧୫ ମାସ ଅବଧିରେ ନିର୍ମିତ ହୋଇଛି
-୨୦ ହଜାରରୁ ଅଧିକ ଦର୍ଶକ ବସିବାର କ୍ଷମତା ରହିଛି
-ଖେଳାଳି ଓ ଦର୍ଶକଙ୍କ ପାଇଁ ଅତ୍ୟାଧୁନିକ ସୁବିଧା କରାଯାଇଛି
-ପ୍ରାୟ ୧୫ ଏକର ଜମିରେ ତିଆରି ହୋଇଛି ଷ୍ଟାଡିୟମ
-ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି
-୯ ମାସ ମଧ୍ୟରେ ୨୨୫ କୋଠରୀ ବିଶିଷ୍ଟ ହକି ଗ୍ରାମର ନିର୍ମାଣ କରାଯାଇଛି

ହକି ଷ୍ଟାଡିୟମକୁ ଉଦଘାଟନ କରିବା ସହ ହକି ବିଶ୍ୱକପ ମାସ୍କଟ ଓଲି ସହ କିଛି ସମୟ ବିତାଇଥିଲେ ନବୀନ ପଟ୍ଟନାୟକ । ଏହାସହ ଭାରତୀୟ ହକି ଖେଳାଳିଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଭାରତ ବିଶ୍ୱକପ ଜିତିଲେ ପ୍ରତ୍ୟେକ ଖେଳାଳିଙ୍କୁ ଏକ କୋଟି ଟଙ୍କାର ପୁରସ୍କାର ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି । ମ୍ରୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିର୍ସାମୁଣ୍ଡା ଷ୍ଟାଡିୟମ ବୁଲି ଦେଖିଛନ୍ତି । ପରେ ବିଶ୍ୱକପ ଗ୍ରାମର ଶୁଭ ଉଦଘାଟନ କରି ଭାରତୀୟ ହକି ଖେଳାଳିଙ୍କୁ ଭେଟିବା ସହ କଥା ହୋଇଛନ୍ତି ଓ ଫଟୋ ଉଠାଇଛନ୍ତି ।