ଆସାମ-ମିଜୋରାମ ଭିତରେ ସୀମା ବିବାଦ । ବଡ ନିଷ୍ପତ୍ତି ନେଲେ କେନ୍ଦ୍ର ସରକାର । ସୀମା ଜଗିବେ କେନ୍ଦ୍ରୀୟ ସୁରକ୍ଷା ବଳ ।

205

କନକ ବ୍ୟୁରୋ: ଆସାମ ଓ ମିଜୋରାମ ମଧ୍ୟରେ ଲାଗି ରହିଥିବା ସୀମା ବିବାଦକୁ ନେଇ କେନ୍ଦ୍ର ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି । ଉଭୟ ରାଜ୍ୟ ସୀମାରେ ଏଣିକି କେନ୍ଦ୍ରୀୟ ସୁରକ୍ଷା ବଳ ମୂତୟନ ହେବେ । ବୁଧବାର କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସୋମବାର ଦୁଇ ରାଜ୍ୟର ପୋଲିସ କର୍ମଚାରୀଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷରେ ଆସାମର ୬ଜଣ ସୁରକ୍ଷାକର୍ମୀ ଓ ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିଲା ।

ଏହି ଘଟଣାରେ ଆହତ ହୋଇଥିବା ଆସାମ ପୋଲିସ କର୍ମଚାରୀ କହିବା ଅନୁସାରେ ସୀମା ବିବାଦ ନେଇ ଉଭୟ ରାଜ୍ୟର ପୋଲିସ କର୍ମଚାରୀଙ୍କ ମଧ୍ୟରେ ଆଲୋଚନା ପାଇଁ ଲୈଲାପୁର ଠାରେ ସେମାନେ ପହଁଞ୍ଚଥିଲେ । ମାତ୍ର ମିଜୋରାମ ପୋଲିସ ପୂର୍ବରୁ ଆକ୍ରମଣ ପାଇଁ ପୋଜିସନ ବନାଇ ରଖିଥିଲେ ।

ସେଠାକାର ଜନତା ନିଜକୁ ଆସାମ ରାଜ୍ୟ ଅଧିନରେ ମାନୁ ନାହାଁନ୍ତି  ଏବଂ ମିଜୋରାମ ପୋଲିସ ସହ ମିଶି ଆସାମ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିବା ଆହତ ପୋଲିସ କର୍ମଚାରୀ ଅଭିଯୋଗ କରିଛନ୍ତି । ତେବେ ସୋମବାର ଏହି ହିଂସାତ୍ମକ ସଂଘର୍ଷ ପରେ ମିଜୋରାମ ପୋଲିସ ଖୁସି ମନାଉଥିବା ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରୁ ସ୍ପଷ୍ଟ ହୋଇଛି ଯେ, ସେମାନେ ପୂର୍ବରୁ ପ୍ରସ୍ତୁତ ଥିଲେ ଆକ୍ରମଣ ପାଇଁ ।

ଆସାମ ଓ ମିଜୋରାମ ମଧ୍ୟରେ ସୀମା ବିବାଦକୁ ନେଇ ସୋମବାର କେନ୍ଦ୍ର ଗୃହ ମନ୍ତ୍ରାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଉଭୟ ରାଜ୍ୟର ଗୃହ ସଚିବମାନେ ଉପସ୍ଥିତ ଥିଲେ । ବୈଠକରେ ଅଶାନ୍ତ ସୀମାରେ ସିଏପିଏଫ ବା ତଟସ୍ଥ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳର ମୂତୟନ ପାଇଁ ଉଭୟ ସରକାର ମଞ୍ଜୁରୀ ଦେଇଛନ୍ତି । ଏବେ ଲୈଲାପୁର କ୍ଷେତ୍ରରେ ସିଏପିଏଫ କର୍ମୀଙ୍କ କଡ୍ଡା ପହରା ରହିଛି । ତେବେ ବର୍ଷ ବର୍ଷ ଧରି ଚାଲିଥିବା ଏହି ସୀମା ବିବାଦ ଆଗକୁ କେଉଁ ରୂପ ନେଉଛି, ତାହା ଦେଖିବାକୁ ବାକି ରହିଲା ।