ଜଗନ୍ନାଥଙ୍କ ରହସ୍ୟମୟ ମନ୍ଦିର । ଖରା ହେଲେ ମନ୍ଦିର ଛାତରୁ ପାଣି ପଡେ, ବର୍ଷା ହେଲେ ଆପେଆପେ ବନ୍ଦ ହୋଇଯାଏ… ମନ୍ଦିର ଦେଇଥାଏ ବର୍ଷାର ଇସାରା ।

685

କନକ ବ୍ୟୁରୋ : ଆପଣ ଅନେକ ମନ୍ଦିର ଯାଇଥିବେ । ମନ୍ଦିରର ଆଧ୍ୟାତ୍ମିକ ପରିବେଶରେ ମନ ପ୍ରଫୁଲ୍ଲିତ ହୋଇଉଠେ । ତେବେ ଦୁନିଆରେ ଏମିତି କିଛି ରହସ୍ୟମୟ ମନ୍ଦିର ରହିଛି, ଯାହାର ଚମତ୍କାରିତା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଆଜି ଆମେ ଆପଣଙ୍କୁ ସେମିତି ଏକ ମନ୍ଦିର ଦେଖାଇବୁ, ଯାହାର ରହସ୍ୟ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ଉତ୍ତରପ୍ରଦେଶ କାନପୁର ଜିଲ୍ଲାର ବେହଟା ଗାଁରେ ରହିଛି ଏହି ରହସ୍ୟମୟ ମନ୍ଦିର । ଏହି ପ୍ରାଚୀନ ମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କୁ ପୂଜା କରାଯାଏ । ପ୍ରବଳ ଖରାରେ ଏହି ମନ୍ଦିର ଛାତରୁ ହଠାତ ବୁନ୍ଦା ବୁନ୍ଦା ପାଣି ପଡିଥାଏ । ଆଉ ଆଶ୍ଚର୍ଯ୍ୟର କଥା ହେଉଛି, ବର୍ଷା ଆରମ୍ଭ ହେବା ମାତ୍ରେ ଏହି ପାଣି ବୁନ୍ଦା ବନ୍ଦ ହୋଇଯାଏ ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ମନ୍ଦିରର ଏହି ରହସ୍ୟ ବାବଦରେ ଜାଣିବା ପାଇଁ ଅନେକ ଥର ବୈଜ୍ଞାନିକ ଏବଂ ପ୍ରତ୍ନତତ୍ୱବିତ ମାନେ ଯାଂଚ କରିଛନ୍ତି । ବର୍ଷ ପରେ ବର୍ଷ ଏମିତି ଶତାବ୍ଦୀ ବିତିଯାଇଛି । କିନ୍ତୁ ମନ୍ଦିର ଛାତରୁ ପଡୁଥିବା ପାଣି ବୁନ୍ଦାର ରହସ୍ୟ କେହି ଜାଣିପାରିନାହାନ୍ତି ।

କୁହାଯାଏ, ଏହି ମନ୍ଦିରର ଇତିହାସ ୫ ହଜାର ବର୍ଷ ପୁରୁଣା । ଏହି ମନ୍ଦିରରେ ମହାପ୍ରଭୁ ଜଗନ୍ନାଥ, ବଡଠାକୁର ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ବିରାଜମାନ ଅଛନ୍ତି । ଏପରିକି ମନ୍ଦିରରେ ପଦ୍ମନାଭମଙ୍କ ପ୍ରତିମୂର୍ତି ମଧ୍ୟ ସ୍ଥାପନ କରାଯାଇଛି । ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁସାରେ, ବର୍ଷ ବର୍ଷ ଧରି ମନ୍ଦିର ଛାତରୁ ପଡୁଥିବା ପାଣି ବୁନ୍ଦାରୁ ହିଁ ସେମାନେ ମୌସୁମୀ ବର୍ଷାର ଆକଳନ କରିଥାନ୍ତି । ଏପରିକି ମନ୍ଦିର ଛାତରୁ ପଡୁଥିବା ପାଣି ବୁନ୍ଦା ଅନୁଯାୟୀ ବର୍ଷା ମଧ୍ୟ ହୁଏ ବୋଲି ଗ୍ରାମବାସୀଙ୍କ ବିଶ୍ୱାସ ରହିଛି । ମନ୍ଦିର ଛାତରୁ ଛୋଟ ବୁନ୍ଦା ପାଣି ପଡିଲେ ଅଳ୍ପ ବର୍ଷା ହୋଇଥାଏ । ଏବଂ ଅପରପକ୍ଷରେ ଯଦି ଦୀର୍ଘ ସମୟ ଧରି ପାଣି ବୁନ୍ଦା ପଡିଥାଏ, ତେବେ ପ୍ରବଳ ବର୍ଷା ହୋଇଥାଏ ।

ତେବେ ଶ୍ରୀକ୍ଷେତ୍ର ପୁରୀରେ ଯେମିତି ମହାପ୍ରଭୁଙ୍କର ରଥଯାତ୍ରା ହୋଇଥାଏ, ସେମିତି ଏଠାରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ଏକାଦଶ ଶତାବ୍ଦୀରେ ଏହି ମନ୍ଦିରର ନବୀକରଣ କରାଯାଇଥିଲା । ତେବେ ସମସ୍ତ ରୀତିନୀତି ଅନୁସାରେ ଏଠାରେ ମଧ୍ୟ ମହାପ୍ରଭୁଙ୍କ ପୂଜାର୍ଚ୍ଚନା କରାଯାଏ ।