କନକ ବ୍ୟୁରୋ : ସ୍ବାମୀଙ୍କ ଛାତିରେ ମୁଣ୍ଡ ରଖି କାନ୍ଦୁଥିବା ନବ ବିବାହିତା ପତ୍ନିର ବିକଳ କାନ୍ଦ ଓ ପିଣ୍ଟୁ ଭାଇ ଅମର ରହେ ନାରାରେ କମ୍ପୁଛି ପରିବେଶ । ଅସମୟରେ ଯବାନ ପୁଅର ମୃତ୍ୟୁକୁ ସହଜରେ କେହି ଗ୍ରହଣ କରିପାରୁନଥିଲେ ମଧ୍ୟ ମୃତ୍ୟ ଯେ ଚିରନ୍ତନ ସତ୍ୟ ତାହା ମାନିବାକୁ ବାଧ୍ୟ ହେବାକୁ ପଡୁଛି ।କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମପୁରା ଗାଁର ପିଣ୍ଟୁ ନାୟକ । ବୟସ ମାତ୍ର ୨୬ ବର୍ଷ । ୪ ବର୍ଷ ତଳେ ସେନାବାହିନୀରେ ଯୋଗଦେଇଥିଲେ। ପଞ୍ଜାବ କାର୍ଯ୍ୟରତ ଥିଲେ । ଶାରୀରିକ ଅସୁସ୍ଥତା ଯୋଗୁଁ ଦିଲ୍ଲୀରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର ମୃତ୍ୟୁ ଘଟିଛି । ଘରର ଏକ ମାତ୍ର ରୋଜଗାରିଆ ପୁଅକୁ ହରାଇ ବାହୁନି ବାହୁନି କାନ୍ଦୁଛି ମା’।

Advertisment

ମାତ୍ର ଦୁଇ ମାସ ତଳେ ବିବାହ କରିଥିଲେ ପିଣ୍ଟୁ । ବିବାହର ୧୫ ଦିନ ପରେ ନିଜ କର୍ମକ୍ଷେତ୍ରକୁ ଫେରିଯାଇଥିଲେ । ପୁଣି ଛୁଟି ନେଇ ଗାଁକୁ ଫେରିବେ ବୋଲି ସ୍ତ୍ରୀଙ୍କୁ କଥା ଦେଇଥିଲେ । ହେଲେ ପିଣ୍ଟୁ ଗାଁକୁ ଫେରିଛନ୍ତି ସତ କିନ୍ତୁ ତାଙ୍କ ଦେହରେ ଜୀବନ ସତା ନାହିଁ । ସବୁଦିନ ପାଇଁ ଲିଭିଯାଇଛି ତାଙ୍କ ଜୀବନ ଦୀପ । ସାରା ଜୀବନ ସାଥୀ ହୋଇ ବଞ୍ଚିବା ପାଇଁ ହାତ ଧରିଥିବା ପତ୍ନୀଙ୍କୁ ଏକା କରି ଆରପାରିକୁ ଚାଲିଯାଛନ୍ତି ପିଣ୍ଟୁ । ଆଉ ଶେଷ ସନ୍ତକ ଭାବେ ତାଙ୍କ ଉପରେ ଘୋଡ଼ାଯାଇଥିବା ତ୍ରିରଙ୍ଗା ପତାକା ଧରି କାନ୍ଦି କାନ୍ଦି ଫେରୁଛନ୍ତି ସହିଦ ଯବାନଙ୍କ ପତ୍ନୀ।

ସାଥୀ ଯବାନଙ୍କ କାନ୍ଧରେ ଗାଁକୁ ଫେରିଛି ସହିଦ ଯବାନଙ୍କ ପାର୍ଥିବ ଶରୀର । ଶେଷ ସମ୍ମାନ ଭାବେ ସହିଦଙ୍କ ଉପରେ ଢ଼ାଙ୍କିଦିଆଯାଛି ତ୍ରିରଙ୍ଗା ପତାକା । ଶୋକାକୂଳ ପରିବେଶ ଭିତରେ ସହିଦ ଯବାନ ଅମର ରହେ ନାରାରେ କମ୍ପୁଛି ପୁରା ପରିବେଶ ।