ଅଜଣା ଶିଶୁକୁ ପାଇବା ପାଇଁ କାନ୍ଦୁଛି ମାତୃତ୍ୱ । ଜଙ୍ଗଲରୁ ପାଇଥିବା ଶିଶୁକୁ ଫେରାଇ ନିଜ ପାଖକୁ ଫେରାଇ ନେବାକୁ ମହିଳାଙ୍କ ଦାବି

193

କନକ ବ୍ୟୁରୋ : ନବଜାତ ଶିଶୁ ପୁତ୍ରକୁ ନେଇ ସିଡବ୍ଲ୍ୟୁସି ଓ ମହିଳାଙ୍କ ମଧ୍ୟରେ ଟଣାଓଟରା। ଶିଶୁକୁ ମୁଁ କାଜୁ ଜଙ୍ଗଲରୁ ପାଇଛି ଶିଶୁ ଉପରେ ମୋର ପ୍ରଥମ ଅଧିକାର । ଶିଶୁକୁ ପାଳିବା ପାଇଁ ମୋତେ ନଦେଲେ ଆତ୍ମହତ୍ୟା କରିବି ବୋଲି କହୁଛନ୍ତି ମହିଳା ।

ଡାକ୍ତରଖାନା ସମ୍ମୁଖରେ ବସିଥିବା ଏହି ମହିଳାଙ୍କ ଦାବି ସଂପର୍କରେ ଶୁଣିଲେ ଆପଣଙ୍କ ହୃଦୟ ବି କାନ୍ଦି ଉଠିବ । ଜଙ୍ଗଲରୁ ଏକ ନବଜାତ ଶିଶୁକୁ ପାଇ ନିଜ ପୁଅର ମୃତ୍ୟୁକୁ ଭୁଲିବାକୁ ଚେଷ୍ଟା କରୁଥିଲେ ନବରଙ୍ଗପୁର କଷାଗୁମୁଡା ଥାନା ଅନ୍ତର୍ଗତ ରିଙ୍ଗଗୁଡା ଗାଁର ସୁନାତନୀ ହରିଜନ । ହେଲେ ତାଙ୍କ ମାତୃତ୍ୱ ଓ ଶିଶୁପୁତ୍ର ମଧ୍ୟରେ ବାଡ ଭଳି ଠିଆ ହୋଇଛି ଆଇନ୍କାନୁନ୍ ।

ଏବେ ପୁରା ଘଟଣା ସଂପର୍କରେ ଜାଣିବା. ରିଙ୍ଗଗୁଡା ଗାଁ ନିକଟସ୍ଥ କାଜୁ ଜଙ୍ଗଲରୁ ଶିଶୁଟିକୁ ଉଦ୍ଧାର କରିଥିଲେ ସୁନାତନୀ । ପରେ ଆଶାକର୍ମୀଙ୍କ ସହଯୋଗରେ ତାକୁ ଆବଶ୍ୟକୀୟ ଟିକା ଦେବା ପାଇଁ ନବରଙ୍ଗପୁର ଡାକ୍ତରଖାନାକୁ ନେଇଥିଲେ । ଏବେ ଶିଶୁଟି ଏସ୍ଏନ୍ସିୟୁରେ ଥିବା ବେଳେ ଶିଶୁପୁତ୍ର ଜଙ୍ଗଲରୁ ମିଳିଥିବାରୁ ତାକୁ ନିଜ ଅଧିନକୁ ନେଇଛି ସିଡବ୍ଲୁସି । ହେଲେ ଜଙ୍ଗଲରୁ ପାଇଥିବା ପୁଅକୁ ନନେଇ ଘରକୁ ଫେରିବେ ନାହିଁ ବୋଲି ଜିଦ୍ ଧରି ଡାକ୍ତରଖାନା ଆଗରେ ବସିଛନ୍ତି ସୁନାତନୀ ହରିଜନ ।

ସୁନାତନୀଙ୍କର ୩ ଝିଅ ଓ ଗୋଟିଏ ପୁଅ ଥିଲା । କିଛି ଦିନ ତଳେ ଷଷ୍ଠ ଶ୍ରେଣୀରେ ପୁଢୁଥିବା ପୁଅ ଗାଁ ପୋଖରୀରେ ବୁଡି ପ୍ରାଣ ହରାଇଛି । ପୁଅ ମୃତ୍ୟୁକୁ ନେଇ ଚିନ୍ତାରେ ଥିବା ସୁନାତନୀ ଜଙ୍ଗଲରୁ ଶୁଶୁପୁତ୍ରକୁ ପାଇ ଭଗବାନ ତା ଦୁଃଖ ବୁଝିଛନ୍ତି ବୋଲି ବିଶ୍ୱାସ କରୁଥିଲେ ।