ବାହାଘରର ମାସକ ପରେ ଭାଗ୍ୟ ଭାଙ୍ଗିଦେଲା ଶଙ୍ଖା, ମଥାରୁ ଲିଭିଗଲା ସିନ୍ଦୂର । ସ୍ୱାମୀର ଚିତାକୁ ବାହୁନି କାନ୍ଦୁଛି ପତ୍ନୀ, ଭେଣ୍ଡିଆ ପୁଅକୁ ହରାଇ କୋହ ସମ୍ଭାଳି ପାରୁନି ମାଆ ।
କନକ ବ୍ୟୁରୋ: ପାଦରୁ ଅଳତା ଲିଭିନି, ଘର କାନ୍ଥରୁ ସାତ-ଜନ୍ମର ସମ୍ପର୍କର ରଙ୍ଗ ଧୋଇନି । ହେଲେ ମଥାରୁ ବିଧାତା ପୋଛିଦେଲା ସିନ୍ଦୂର । ବିବାହକୁ ମାସକ ପରେ ଭାଗ୍ୟ ଭାଙ୍ଗିଦେଲା ଶଙ୍ଖା, ପରପାରିକୁ ଚାଲିଗଲା ସ୍ୱାମୀ । ଜନ୍ମ ଜନ୍ମ ପାଇଁ ସାଥ୍ ଦେବାକୁ ଶପଥ କରିଥିବା ସିନ୍ଦୂରକୁ ହରାଇ କାନ୍ଦୁଛି ସ୍ତ୍ରୀ । ଘରର ଭେଣ୍ଡିଆ ପୁଅ ଆଖି ବୁଜିଦେଲା ପରେ ରାହା ଧରି ବାହୁନି ହେଉଛି ଜନ୍ମକଲା ମାଆ ।
Kanak News is now on WhatsApp
Join and get latest news updates delivered to you via WhatsApp
ବାଲେଶ୍ୱରର ମାଟିଆଳପଦାରେ ମାମିନା-ପ୍ରଦୀପଙ୍କ ହାତଗଣ୍ଠି ପଡ଼ିଥିଲା । ବୈଦିକ ରୀତିନୀତିରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ଦୁହେଁ । କଟକଣା ହଟିଲେ ଶ୍ରୀକ୍ଷେତ୍ର ଯାଇ କାଳିଆକୁ ଦର୍ଶନ କରି କୃପାଲାଭ କରିଥାନ୍ତେ, ହେଲେ ସବୁକିଛି ଓଲଟିଗଲା । ବାହାଘରକୁ ମାସଟିଏ ପୂରିଥିବାବେଳେ ପର କରି ଚାଲିଗଲେ ପ୍ରଦୀପ । ଆଉ ସାଆନ୍ତେଙ୍କୁ ଦେଖିବାର ସ୍ୱପ୍ନ ଖାଲି ସ୍ୱପ୍ନରେ ରହିଗଲା ।
ସବୁଦିନ ପରି ଗତକାଲି ବି ପ୍ରଦୀପ ମାଲିକର ଟ୍ରାକ୍ଟର ନେଇ ବିଲକୁ ହଳ କରିବାକୁ ଯାଇଥିଲେ । ବିଲ କାମ ସାରି ଘରକୁ ଫେରି ଖାଇ-ପିଇ ଶୋଇଥିଲେ । କିନ୍ତୁ ମଧ୍ୟରାତ୍ରୀରେ ପ୍ରଦୀପଙ୍କ ଦେହହାତ ହଠାତ୍ ଜଳାପୋଡା ହୋଇଥିଲା । ଏହାକୁ ଦେଖି ତାଙ୍କ ସ୍ତ୍ରୀ ଆଉ ପରିବାର ଲୋକେ ତୁରନ୍ତ ସୋର ମେଡ଼ିକାଲକୁ ନେଇଥିଲେ । ସେଠାରେ ପ୍ରଦୀପଙ୍କର ମୃତ୍ୟୁ ହୋଇଥିବାନେଇ ଡାକ୍ତର କହିଥିଲେ । ଘରର ଭରସା ଆଖିବୁଜିଦେବା ଖରବ ଜାଣି ପରିବାର ଲୋକଙ୍କ ପାଦତଳୁ ମାଟି ଖସି ପଡ଼ିଥିଲା । ଅନ୍ୟପଟେ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ତେବେ ପତ୍ନୀ ମାମିନାଙ୍କୁ ପ୍ରଦୀପ କଥା ଦେଇଥିଲେ ବିଲ କାମ ସରିଲେ ଜଗନ୍ନାଥଙ୍କୁ ଦର୍ଶନ କରିବାପାଇଁ ପୁରୀକୁ ଯିବା । ହେଲେ ସ୍ୱପ୍ନ ଓ ଆଶା ଆଶାରେ ରହିଗଲା । ବାହାଘରର ମାସକରେ ପ୍ରଦୀପଙ୍କ ସନ୍ଦେହଜନକ ମୃତ୍ୟୁ ଏବେ ଗାଁରେ ଚାଞ୍ଚଲ୍ୟ ଖେଳାଇଛି । ଘର କାନ୍ଥରେ ଲେଖା ହୋଇଥିବା ଶୁଭ ବିବାହ ଲେଖାର ରଙ୍ଗ ଲିଭିବା ପୂର୍ବରୁ ତାଙ୍କ ଜୀବନ ଦ୍ୱୀପ ଲିଭିଯାଇଛି । ଜଣେ ସଧବାକୁ ବିଧାତା ବିଧବାର ବାଟରେ ଆଣି ଛିଡ଼ା କରିଦେଇଛି । ସତରେ ବିଧିର ବିଧାନ ଏତେ ଦାରୁଣ ହୋଇପାରେ । ସମୟ କେତେବେଳେ କେଉଁ ଖେଳ ଖେଳିବ ତାହା ଏହି ସଧବାରୁ ବିଧବା ପାଲଟିଯାଇଥିବା ମାମିନାଙ୍କ ମଥାକୁ ଦେଖିଲେ ଜଳ ଜଳ ବାରି ହୋଇପଡୁଛି ।