କନକ ବ୍ୟୁରୋ: ସନ୍ଦେହ କେମିତି ମଣିଷକୁ ଅମଣିଷ କରିଦ୍ଖଶ ତାର ଏକ ଉଦାହରଣ ସାମ୍ନାକୁ ଆସିଛି । ଟଙ୍କା ଚୋରି କରିଥିବା ସନ୍ଦେହରେ ନାବାଳିକାଙ୍କୁ ଗୋଡାଇ ଗୋଡାଇ ଧରିବା ସହ, ଗାଁ ମଝିରେ ଥିବା ଏକ କାଠ ଖୁଣ୍ଟରେ ବାନ୍ଧି ପକାଇ, ନିର୍ଦ୍ଦୟ ଭାବେ ମାଡ ମାରିଥିଲେ ନୃଶଂସ । ଏପରିକି ସବୁ ସୀମା ଟପି ଅସହାୟ ଝିଅଟିର ବେକରେ ଜୋତାମାଳ ପିନ୍ଧାଇ ଦେଇଥିଲେ ଦୁର୍ବୃତ୍ତ । ଏହି ଅମାନବୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଅନ୍ତର୍ଗତ କାଉଡଲା ପଞ୍ଚାୟତର ତାରଙ୍ଗପୁରୀ ଗାଁରେ ।

Advertisment

ନାବାଳିକା ଜଣକ ଜଣଙ୍କ ଘରୁ ୯ ଶହ ଟଙ୍କା ଚୋରି କରିଥିବା ଅଭିଯୋଗ କରିଥିଲେ ସେହି ଗାଁର ଏକ ପରିବାର । କିନ୍ତୁ ସେ ଚୋରି କରିନଥିବାରୁ କହିବାରୁ ତାକୁ ଏଭଳି ଦୟନୀୟ ନିର୍ଯାତନା ସହିବାକୁ ପଡିଛି । ସବୁଠୁ ବିଡମ୍ବନାର କଥା ହେଉଛି, ଝିଅଟିକୁ ଯେତେବେଳେ ନିର୍ଯାତନା ଦିଆଯାଉଥିଲେ, ସେତେବେଳେ ତାକୁ ଅଟକାଇବା ପରିବର୍ତେ, ଆଉ କିଛି ଲୋକ ନିର୍ଯାତନାର ଭିଡିଓକୁ ସୁଟ୍ କରି ଭାଇରାଲ କରୁଥିଲେ । ଏନେଇ ନାବାଳିକାଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ପୋଲିସ । ତେବେ ଅଭିଯୁକ୍ତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ପୋଲିସ ସୂଚନା ଦେଇଛି ।

ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ବି ନାବାଳିକା ସହ ଯାହା ଘଟିଯାଇଛି ତାହା ସାରା ରାଜ୍ୟରେ ଚର୍ଚ୍ଚାରେ ବିଷୟ ହୋଇଛି । ମହିଳାଙ୍କୁ ସଶକ୍ତ କରିବା ପାଇଁ ଯେତେବେଳେ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ସେତିକିବେଳେ ଏଭଳି ଏକ ଲଜ୍ଜାଜନକ ଘଟଣା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଉ ନ୍ୟାୟ ମାଗୁଛି ନାବାଳିକା ।