ମାଆର ଆକଟ ହେଲା କାଳ: ମୋବାଇଲ ଖେଳିବା ନେଇ ମାଆର ଆକଟ ପରେ ନାବାଳକର ଆତ୍ମହତ୍ୟା; ଅନଲାଇନ୍ ପାଠପଢା ନେଲାଣି ଭିନ୍ନ ରୂପ, ଚିନ୍ତାରେ ଅବିଭାବକ

ଖୋର୍ଦ୍ଧା ବେଗୁଆନିଆରୁ ଆସିଲା ଅଭାବନୀୟ ଖବର

187

କନକ ବ୍ୟୁରୋ: ମାଆର ଆକଟ ହେଲା କାଳ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ବେଗୁନିଆ ଥାନା ଗଡମାଣତୀରେ । ସ୍ଥାନୀୟ ତଳଗଡ ସାହିର ଅକ୍ଷୟ ସୁବୁଦ୍ଧିଙ୍କ ପୁଅ ଅଶୋକ ଗାଁର ନବମ ଶ୍ରେଣୀ ଛାତ୍ର । ଶନିବାର ଅପରାହ୍ନରେ ଅଶୋକ ମୋବାଇଲ ଖେଳୁଥିବା ବେଳେ ତାଙ୍କ ମାଆ ବାରଣ କରିଥିଲେ । ଏହା ସହ ବାପାଙ୍କୁ ଫୋନ କରିବାକୁ ବାରମ୍ବାର କହିଥିଲେ । କିନ୍ତୁ ପୁଅ ଅଶୋକ ଏହାକୁ ଅଣଦେଖା କରିବା ସହ ମୋବାଇଲ ଖେଳରେ ମାତି ରହିଥିଲେ । ଏହା ଦେଖି ମାଆ ତା ହାତରୁ ମୋବାଇଲ ଟାଣି ଆଣିବା ସହ ଗାଳି ଦେଇଥିଲେ । ଏହା ପରେ ଅଶୋକ ପାଇଖାନା ଭିତରକୁ ଯାଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲା ।

ଖବର ପାଇ ଘଟଣା ସ୍ଥଳରେ ବେଗୁନିଆ ଥାନା ପୁଲିସ ପହଂଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ କରୋନା କଟକଣା ଯୋଗୁଁ ଲକ୍ଡାନରେ ସ୍କୁଲ କଲେଜ ବନ୍ଦ ରହିଛି । ହେଲେ ମୋବାଇଲରେ ଚାଲିଛି ଅନ୍ଲାଇନ୍ କ୍ଲାସ । ଏଥିପାଇଁ କେତେକ ଗରିବ ପରିବାର ନିଜର ବହୁ ମୂଲ୍ୟ ସାମଗ୍ରୀ ବିକ୍ରି କରି ମୋବାଇଲ୍ କିଣିଥିବାର ନଜିର ରହିଛି । ଏଣେ ଏହି ମୋବାଇଲ୍ ଯୋଗୁଁ ପିଲାଏ ଘଂଟା ଘଂଟା ଧରି ଗେମ୍ ଖେଳୁଥିବା ଦେଖିବାକୁ ମିଳୁଛି । ଗୋଟିଏ ପଟେ ପାଠପଢା ଅନ୍ୟପେଟ ପିଲାଙ୍କର ମୋବାଇଲ୍ ନିଶା ଅବିଭାବକମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।