ଭୋଟ ରାଜନୀତିର କୋଳାହଳ ଭିତରେ ଖାଁ ଖାଁ ପାଇକମାଳର ଗାଁ । ସାମ୍ନାକୁ ଆସିଲା ଦାଦନ ଦୁଃଖର କରୁଣ କାହାଣୀ

131

କନକ ବ୍ୟୁରୋ: ଖାଁ ଖାଁ ପାଇକମାଳର ଗାଁ । ଘର ଗୁଡ଼ିକରେ ତାଲା ପଡ଼ିଛି । କାଁ ଭାଁ କିଛି ବୟସ୍କ ବ୍ୟକ୍ତି ନଜର ଆସୁଛନ୍ତି, ଯେଉଁମାନେ କି ଘର ଜଗିବା ଦାୟିତ୍ୱରେ ଅଛନ୍ତି । ତେବେ ଏହି ଗାଁରେ ନାହିଁ ଭୋଟର ରାଜନୀତିର କୋଳାହଳ । କାରଣ ପେଟର ଭୋକ ଲୋକଙ୍କୁ ସଜାଇ ଦେଇଛି ଦାଦନ । ନିର୍ବାଚନରେ କିଏ ଲଢ଼ୁଛି, କିଏ ଜିତୁଛି? ଏଠି କାହାରିକୁ କିଛି ଫରକ୍ ପଡୁନି ।

ଭୋଟ ରାଜନୀତିର କୋଳାହଳ ଭିତରେ ପଦ୍ମପୁରର ଏହି ଗାଁରେ ଭରି ରହିଛି କେବଳ ନିରୋଳା ନିସ୍ତବ୍ଧ । ଖାଁ-ଖାଁ ଗାଁ, ଘର ଆଗରେ ତାଲା । ପାଇକମାଳଠୁ ମାତ୍ର ୧୩ କିଲୋମିଟର ଦୂରରେ ଥିବା ବୁଟ୍ରାଖମାର ଗାଁରେ ଯେତେବେଳେ ଆମ ପ୍ରତିନିଧି ପହଞ୍ଚିଥିଲେ, ସେତେବେଳେ ନଜରକୁ ଆସିଥିଲେ ଜଣେ ବୁଢ଼ି ମା’ । ବୟସ ପାଖାପାଖି ୬୫ରୁ ୭୦ ହେବ । ବନ୍ଦ ଥିବା ଘର ଆଗରେ ବସିଥିବା ବୁଢ଼ିମା ଯାହା କହିଥିଲେ, ସେଥିରେ ଭରି ରହିଥିଲା ପଦ୍ମପୁରର ଦାଦନ କାହାଣୀ ।

ବୁଢ଼ୀ ମା’ଙ୍କୁ ପଡ଼ୋଶୀ ଘରେ ଛାଡ଼ି ଦେଇ ପୁଅ-ବୋହୂ, ନାତି-ନାତୁଣୀଙ୍କୁ ଧରି ଦାଦନ ଖଟିବାକୁ ଯାଇଛନ୍ତି ବାହାର ରାଜ୍ୟକୁ । ସୁବିଧା ହେଲେ ପୁଅ-ବୋହୁ ବେଳେବେଳେ ୪ଶହ-୫ଶହ ଟଙ୍କା ପଠେଇ ଦେଉଛନ୍ତି । ଖାଲି ସେ ଏକା ନୁହଁ, ସେହି ଗାଁର ସତମତି ସୁନାଙ୍କ ପରିବାରର ମଧ୍ୟ ସମସ୍ତେ ବି ଦାଦନ ଖଟିବାକୁ ଯାଇଛନ୍ତି । ଆଉ ସେମାନଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ସତମତି । ଗାଁରେ କାମଧନ୍ଦା କିମ୍ବା ରୋଜଗାରର କୌଣସି ମାଧ୍ୟମ ନଥିବାରୁ ନୂଆଁଖାଇ ପର୍ବ ପରେ ପରେ ଏହି ଗାଁର ପ୍ରାୟ ଶହେରୁ ଉଦ୍ଧ୍ୱର୍ ଲୋକ ଗାଁ ଛାଡ଼ିଦେଇଛନ୍ତି । କିଏ ତେଲେଙ୍ଗାନାରେ ଇଟାଭାଟିରେ କାମ କରୁଛି, ତ ଆଉ କିଏ ତାମିଲନାଡୁରେ କାରଖାନାରେ କାମ କରୁଛି ।

ଲୋକଙ୍କୁ ପକ୍କା ଘର ମିଳିଛି । ଘର ଆଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଫଳକ ଲାଗିଛି । ହେଲେ ରୋଜଗାରର ପନ୍ଧା ନଥିବାରୁ ଲୋକ ପାଲଟିଯାଇଛନ୍ତି ଦାଦନ । ପ୍ରଶ୍ନ ହେଉଛି- ପଦ୍ମପୁରର ଦାଦନ କାହାଣୀ ପାଇଁ ଦାୟୀ କିଏ ?